ନାବାଳିକାଙ୍କ ଅନ୍ତର୍ବସ୍ତ୍ରକୁ ଜୋରଜବରଦସ୍ତ ଖୋଲିବା ଦୁଷ୍କର୍ମ ସହ ସମାନ: କାଲକାଟା ହାଇକୋର୍ଟ

କୋଲକାତା: ନାବାଳିକାଙ୍କ ଅନ୍ତର୍ବସ୍ତ୍ରକୁ ଜୋରଜବରଦସ୍ତ ଖୋଲିବା ବା ହଟାଇବା ଦୁଷ୍କର୍ମ ସହ ସମାନ ବୋଲି କାଲକାଟା ହାଇକୋର୍ଟ ରାୟ ଦେଇଛନ୍ତି। ଜନୈକା ନାବାଳିକାଙ୍କୁ ନିର୍ଜନ ସ୍ଥାନକୁ ପ୍ରଲୋଭନ ଦେଖାଇ ଡାକିନେବା ପରେ ତାଙ୍କ ଅନ୍ତର୍ବସ୍ତ୍ରକୁ ହଟାଇବାକୁ କହିଥିବା ରବି ରାୟଙ୍କ ମାମଲାର ଶୁଣାଣି କରି କାଲକାଟା ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଅନନ୍ୟା ବନ୍ଦୋପାଧ୍ୟାୟ ଏହି ରାୟ ଦେଇଛନ୍ତି।

ମାମଲାର ଶୁଣାଣି କରି ଜଷ୍ଟିସ ବନ୍ଦୋପାଧ୍ୟାୟ କହିଛନ୍ତି, ପୀଡ଼ିତାଙ୍କୁ କେବଳ ନିଜ ଯୌନ ଇଚ୍ଛା ପୂରଣ କରିବା ପାଇଁ ଦୋଷୀ ଆଇସକ୍ରିମ୍‌ ଦେଇଥିଲା। ଦୋଷୀର କହିବା ଅନୁଯାୟୀ ପୀଡ଼ିତା ନିଜ ଅନ୍ତର୍ବସ୍ତ୍ରକୁ ଖୋଲିବାକୁ ମନା କରିବାରୁ ସେ ଜୋରଜବରଦସ୍ତ ଏହାକୁ ହଟାଇ ଦେଇଥିଲା। ଏପ୍ରକାରର ଜଘନ୍ୟ ଆଚରଣକୁ ସ୍ନେହର ଅଭିବ୍ୟକ୍ତି ଭାବରେ ବିବେଚନା କରାଯାଇ ପାରିବ ନାହିଁ। ଏହା ଦୁଷ୍କର୍ମ କିମ୍ବା ଦୁଷ୍କର୍ମ ଉଦ୍ୟମ ସହ ସମାନ ଧରଣର ଅପରାଧ।

ଉଲ୍ଲେଖଯୋଗ୍ୟ, ୨୦୦୮ରେ ପଶ୍ଚିମ ଦିନାଜପୁରର ଏକ ନିମ୍ନ ଅଦାଲତ ଏହି ମାମଲାରେ ଅଭିଯୁକ୍ତ ରବି ରାୟଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ୨୦୦୭ ମେ’ ୭ ତାରିଖରେ ଏହି ଘଟଣା ଘଟିଥିଲା। ରାୟ ଜୋରଜବରଦସ୍ତ ନାବାଳିକାର ଅନ୍ତର୍ବସ୍ତ୍ରକୁ ବାହାର କରିବାରୁ ନାବାଳିକା ଜଣକ ଚିତ୍କାର କରିବା ପରେ ଘଟଣାଟି ସାମ୍ନାକୁ ଆସିଥିଲା। ନାବାଳିକାର ଚିତ୍କାର ଶୁଣି ଲୋକେ ଘଟଣାସ୍ଥଳରେ ସ୍ଥାନୀୟ ଲୋକ ପହଞ୍ଚି ଅଭିଯୁକ୍ତକୁ ଧରି ପୁଲିସକୁ ହସ୍ତାନ୍ତର କରିଥିଲେ।

ନଭେମ୍ବର ୨୦୦୮ରେ ନିମ୍ନ ଅଦାଲତ ଏହି ମାମଲାରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ସାଢ଼େ ୫ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବା ସହ ୩ ହଜାର ଟଙ୍କା ଜରିମାନା ମଧ୍ୟ ଲଗାଇଥିଲେ।

ପଶ୍ଚିମ ଦିନାଜପୁର ନିମ୍ନ ଅଦାଲତଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ରବି ରାୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ ତାଙ୍କୁ ମିଥ୍ୟା ଭାବେ ଫସାଇ ଦିଆଯାଇଛି ବୋଲି ଦାବି କରିଥିଲେ। ପୀଡ଼ିତାଙ୍କ ପ୍ରତି ତାଙ୍କର କୌଣସି ଖରାପ ଉଦ୍ଦେଶ୍ୟ ନଥିଲା ଏବଂ ସେ ଝିଅ ପ୍ରତି ତାଙ୍କର ପିତୃ ସ୍ନେହ ପ୍ରକାଶ କରିବାକୁ ଚାହୁଁଥିଲେ ବୋଲି ରାୟ ତାଙ୍କ ପିଟିସନରେ ଦାବି କରିଥିଲେ।

ତେବେ, ଜଷ୍ଟିସ ବନ୍ଦୋପାଧ୍ୟାୟ ଏହି ମାମଲାର ଶୁଣାଣି କରି ରାୟ ଦେବା ବେଳେ ନିମ୍ନ ଅଦାଲତଙ୍କ ଆଦେଶକୁ କାଏମ ରଖିଛନ୍ତି। ସେତେବେଳେ ଡାକ୍ତରୀ ପରୀକ୍ଷାରୁ ଜଣାପଡ଼ିଥିଲା ଯେ ନାବାଳିକା ଜଣକ ଯୌନ ନିର୍ଯାତନାର ଶିକାର ହୋଇ ନଥିଲେ। କାଲକାଟା ହାଇକୋର୍ଟ ବିଚାରପତି ଜଷ୍ଟିସ ବନ୍ଦୋପାଧ୍ୟାୟ କହିଛନ୍ତି ଯେ ଏହି ଘଟଣା ଭାରତୀୟ ଦଣ୍ଡବିଧି ସଂହିତାର ଧାରା ୩୭୫ ଅନୁଯାୟୀ ଯୌନ ଅପରାଧ ସହ ସମାନ।

ସମ୍ବନ୍ଧିତ ଖବର