ତାଲିବାନ ଶାସନରେ ସାମ୍ବାଦିକଙ୍କ ଦୟନୀୟ ସ୍ଥିତି, ରାସ୍ତାକଡ଼ରେ ଖାଦ୍ୟ ବିକୁଛନ୍ତି ପୂର୍ବତନ ଟିଭି ଆଙ୍କର

କାବୁଲ : ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଫେରିବା ପରେ ଏହି ଦେଶଟି ଏକ ବଡ଼ ଆର୍ଥିକ ଓ ସାମାଜିକ ସଂକଟ ମଧ୍ୟକୁ ଠେଲିହୋଇଯାଇଛି । ଆର୍ଥକ ସଂକଟ ଯୋଗୁଁ ଅନେକ ଲୋକ ଦୁଇଓଳି ଖାଦ୍ୟ ପାଇଁ ମଧ୍ୟ ସଂଘର୍ଷ କରୁଛନ୍ତି । ଏପରିକି ପୂର୍ବ ସରକାର ଅମଳରେ ଭଲ ଆୟ କରୁଥିବା ଲୋକମାନେ ଏବେ ଭିକାରି ପାଲଟିଯାଇଛନ୍ତି ।

ଆଫଗାନ ଲୋକମାନେ କେତେବଡ଼ ମାନବୀୟ ସଂକଟର ସାମନା କରୁଛନ୍ତି ତାହା ଏହି ଗୋଟିଏ ଘଟଣାରୁ ଅନୁମାନ କରିପାରିବେ । ପୂର୍ବରୁ ବିଭିନ୍ନ ଚ୍ୟାନେଲରେ ନ୍ୟୁଜ ଆଙ୍କର ଭାବେ କାମ କରିଥିବା ଜଣେ ସାମ୍ବାଦିକ ଏବେ ଦାଣ୍ଡର ଭିକାରୀ ପାଲଟି ଯାଇଛନ୍ତି । ତାଙ୍କ ନାଁ ହେଉଛି ମୁସା ମହମ୍ମଦି । ନିଜର ଗୁଜୁରାଣ ମେଣ୍ଟାଇବାକୁ ତାଙ୍କ ଏବେ କାବୁଲର ରାସ୍ତାରେ ଖାଦ୍ୟ ବିକିବାକୁ ପଡ଼ୁଛି । ତାଙ୍କର ଏହି ସଂଘର୍ଷକୁ ଏକ ଟୁଇଟ ମାଧ୍ୟମରେ ଜଣାଇଛନ୍ତି କବୀର ହକମଲ ନାମକ ଜଣେ ପୂର୍ବତନ ସରକାରୀ କର୍ମଚାରୀ ।

 

ଏହି ଟୁଇଟ ପରେ ମହମ୍ମଦିଙ୍କ ସଂଘର୍ଷ କାହାଣୀ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି । ଏପରିକି ଆଫଗାନିସ୍ତାନର ଜାତୀୟ ରେଡିଓ ଓ ଟେଲିଭିଜନର ମହାନିର୍ଦ୍ଦେଶକ ଅହମ୍ମଦୁଲ୍ଲା ଓ୍ବାସିକ ତାଙ୍କୁ ନିଯୁକ୍ତି ଦେବାକୁ ଘୋଷଣା କରିଛନ୍ତି ।

ଗତ ବର୍ଷ ଅଗଷ୍ଟ ମାସରେ ଆଫଗାନିସ୍ତାରେ ତାଲିବାନ ଶାସନ ଆରମ୍ଭ ହୋଇଥିଲା । ଏହା ପରେ ତାଲିବାନ ପକ୍ଷରୁ ଗଣମାଧ୍ୟମ ଉପରେ କଠୋର କଟକଣା ଲଗାଯାଇଛି । ଏହା ଫଳରେ ଅନେକ ଗଣମାଧ୍ୟମ ସଂସ୍ଥା ବନ୍ଦ ହୋଇଯାଇଛି ଓ ଅନେକ ସାମ୍ବାଦିକ ନିଯୁକ୍ତି ହରାଇଛନ୍ତି ।

 

 

ସମ୍ବନ୍ଧିତ ଖବର