ତାମିଲନାଡୁରେ ଜେନେରାଲ୍‌ ବିପିନ ରାୱତ୍‌ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି; ଆଗାମୀକାଲି ଦିଲ୍ଲୀରେ ଶେଷକୃତ୍ୟ

ନୂଆଦିଲ୍ଲୀ: ବୁଧବାର ଦିନ ତାମିଲନାଡୁରେ ପତ୍ନୀ ମଧୁଲିକା ଏବଂ ଅନ୍ୟ ୧୧ଜଣଙ୍କ ସହ ହେଲିକପ୍ଟର୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ‘ଚିଫ୍‌ ଅଫ୍‌ ଡିଫେନ୍‌ସ୍‌ ଷ୍ଟାଫ୍‌’ ଜେନେରାଲ୍‌ ବିପିନ ରାୱତ୍‌ଙ୍କ ଶବ ଆଜି ବିମାନଯୋଗେ ଦିଲ୍ଲୀ ନିଆଯିବା ପୂର୍ବରୁ ୱେଲିଙ୍ଗ୍‌ଟନ୍‌ ମିଲିଟାରି ହସ୍ପିଟାଲ୍‌ରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି।

ପୁଷ୍ପମାଲ୍ୟ ଅର୍ପଣ ଉତ୍ସବରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍‌. କେ. ଷ୍ଟାଲିନ୍‌ ଏବଂ ବାୟୁସେନା ମୁଖ୍ୟ ଏୟାର୍‌ ଚିଫ୍‌ ମାର୍ସଲ୍‌ ଭିଆର୍‌ ଚୌଧୁରୀ ମଧ୍ୟ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଆଜି ମଧ୍ୟାହ୍ନ ବେଳକୁ ତାମିଲନାଡୁର ସୁଲୁର୍ ବିମାନଘାଟିରୁ ଜେନେରାଲ୍‌ ରାୱତ୍‌ଙ୍କ ଶବ ନେଇ ଏକ ବିମାନ ଜାତୀୟ ରାଜଧାନୀ ଅଭିମୁଖେ ଯାତ୍ରା କରିବାର ଯୋଜନା ଥିଲା। ଅପରାହ୍ଣ ପ୍ରାୟ ୪ଟା ବେଳକୁ ଉକ୍ତ ବିମାନଟି ଦିଲ୍ଲୀର ଏୟାର୍‌ଫୋର୍ସ ଟେକ୍ନିକାଲ୍‌ ଏୟାର୍‌ପୋର୍ଟରେ ଅବତରଣ କରିବ ବୋଲି ସମୟ ଧାର୍ଯ୍ୟ କରାଯାଇଛି। ଏହା ପରେ ରାୱତ୍‌ଙ୍କ ଶବ ଧୌଲା କୁଆଁସ୍ଥିତ ଆର୍ମି ହସ୍ପିଟାଲ୍‌କୁ ନିଆଯିବ।

Image Courtesy of NDTV

ଶୁକ୍ରବାର ଦିନ ୧୧ଟାରେ ଜେନେରାଲ୍‌ ରାୱତ୍‌ ଏବଂ ପତ୍ନୀ ମଧୁଲିକାଙ୍କ ଶବ ୩, କାମରାଜ ମାର୍ଗସ୍ଥିତ ସରକାରୀ ବାସଭବନକୁ ନିଆଯିବ। ଅପରାହ୍ଣ ପ୍ରାୟ ୨ଟା ବେଳେ ତିନି ବାହିନୀର ସାମରିକ ବାଦ୍ୟ ବାଜଣ ସହ ଦୁହିଁଙ୍କ ଶବ ଧୌଲା କୁଆଁରେ ଥିବା ବ୍ରାର୍‌ ଶ୍ମଶାନକୁ ନିଆଯିବ। ଅପରାହ୍ଣ ୪ଟାରେ ସେମାନଙ୍କର ଶବଦାହ କରାଯିବ।

ଜେନେରାଲ୍‌ ରାୱତ୍‌ଙ୍କ ବିୟୋଗରେ ଦେଶ ଓ ବିଦେଶରୁ ଶ୍ରଦ୍ଧାଞ୍ଜଳି ଆସୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଜଣେ ବିଚକ୍ଷଣ ସୈନିକ ଏବଂ ବାସ୍ତବ ଦେଶଭକ୍ତ ବୋଲି ଅଭିହିତ କରିଛନ୍ତି।

ସମ୍ବନ୍ଧିତ ଖବର