ତେହରାନ: ଇରାନର ଫୋର୍ଡୋ ପରମାଣୁ ସ୍ଥଳ ଉପରେ ଆମେରିକା ବୋମା ମାଡ଼ କରିବାର ଗୋଟିଏ ଦିନ ପରେ ସୋମବାର ଇସ୍ରାଏଲ ବି ସେଠାରେ ଆକ୍ରମଣ କରିଛି। ଏଥି ସହ ଇରାନର ସାମରିକ ଭିତ୍ତିଭୂମି ଉପରେ ଇସ୍ରାଏଲ ତୀବ୍ର ଆକ୍ରମଣ କରିଥିବା ଜଣାପଡ଼ିଛି। ଆମେରିକା ବାୟୁସେନା ଫୋର୍ଡୋ ସମେତ ନାତାଞ୍ଜ ଓ ଇସ୍ଫାହାନର ପରମାଣୁ ସ୍ଥଳକୁ ଜିବିୟୁ-୫୭ ‘ବଙ୍କର ବଷ୍ଟର’ ବୋମା ଏବଂ ଟମାହକ୍ କ୍ରୁଜ୍ କ୍ଷେପଣାସ୍ତ୍ରରେ ଆକ୍ରମଣ କରିବାର କିଛି ଘଣ୍ଟା ପରେ ଫୋର୍ଡୋରେ ଏହି ନୂଆ ଆକ୍ରମଣ ହୋଇଛି।

Advertisment

ୟୁରାନିୟମକୁ ଶୀଘ୍ର ସମୃଦ୍ଧ କରିବାର କ୍ଷମତା ରଖିଥିବା ଫୋର୍ଡୋ ପରମାଣୁ ସ୍ଥଳ ଭୂପୃଷ୍ଠରୁ ୮୦ରୁ ୯୦ ମିଟର ତଳେ ଅବସ୍ଥିତ। ଏହି କାରଖାନାକୁ ଧ୍ୱଂସ କରିବା ପାଇଁ ଇସ୍ରାଏଲ ପାଖରେ ଆବଶ୍ୟକ ଅସ୍ତ୍ରଶସ୍ତ୍ର ନ ଥିବାରୁ ଆମେରିକା ଏହି କେନ୍ଦ୍ରକୁ ଟାର୍ଗେଟ୍‌ କରିଥିଲା। ‘ଅପରେସନ୍ ମିଡ୍‌ନାଇଟ୍ ହାମର୍’ର କେତେ ପ୍ରଭାବ ପଡ଼ିଛି ତାହା ଆମେରିକୀୟ ପ୍ରତିରକ୍ଷା ଅଧିକାରୀମାନେ ଏପର୍ଯ୍ୟନ୍ତ ସ୍ଥିର କରି ନ ଥିବା ବେଳେ ଜାତିସଂଘର ପରମାଣୁ ପର୍ଯ୍ୟବେକ୍ଷକ ସଂସ୍ଥା କହିଛି ଯେ ଏହା ସମ୍ଭବତଃ ଫୋର୍ଡୋର ଭୂତଳ ଅଞ୍ଚଳରେ ଭୀଷଣ କ୍ଷୟକ୍ଷତି କରିଛି। ଅନ୍ତର୍ଜାତୀୟ ଆଣବିକ ଶକ୍ତି ଏଜେନ୍ସି (ଆଇଏଇଏ) ମୁଖ୍ୟ ରାଫେଲ ଗ୍ରୋସି କହିଛନ୍ତି ଯେ, ବିସ୍ଫୋରକ ପେଲୋଡ୍ ବ୍ୟବହାର ଏବଂ ସେଣ୍ଟ୍ରିଫ୍ୟୁଜ୍‌ର ଅତ୍ୟଧିକ କମ୍ପନକୁ ଦୃଷ୍ଟିରେ ରଖି ବହୁତ ବଡ଼ଧରଣର କ୍ଷୟକ୍ଷତି ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି। ପୂର୍ବରୁ ଆଇଏଇଏ କହିଥିଲା ଯେ ଆମେରିକାର ଆକ୍ରମଣ ପରେ ବାହ୍ୟ ବିକିରଣ ସ୍ତରରେ କୌଣସି ବୃଦ୍ଧି ଘଟିନାହିଁ।

ରଏଟର୍ସକୁ ମିଳିଥିବା ବାଣିଜ୍ୟିକ ଉପଗ୍ରହ ଚିତ୍ରରେ ଫୋର୍ଡୋ ପରମାଣୁ କାରଖାନା ଓ ଏଥିରେ ଥିବା ୟୁରାନିୟମ୍ ସମୃଦ୍ଧ ସେଣ୍ଟ୍ରିଫ୍ୟୁଜ୍‌ର ଗୁରୁତର କ୍ଷୟକ୍ଷତି ହୋଇଥିବା ଦର୍ଶାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ସୂଚନା ମିଳିନାହିଁ। ଫଟୋରେ ୬ଟି ଗାତ ଦେଖିବାକୁ ମିଳୁଛି ଯେଉଁଠାରେ ଆମେରିକାର ବୋମା ପର୍ବତ ଭିତରକୁ ପଶିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ବିଶେଷଜ୍ଞଙ୍କ ଏକ ଗୋଷ୍ଠୀ ଗତ ସପ୍ତାହରେ ହୋଇଥିବା ଉପଗ୍ରହ ଚିତ୍ରକୁ ଉଦାହରଣ ଦେଇ କହିଛନ୍ତି ଯେ ଆକ୍ରମଣ ପୂର୍ବରୁ ଇରାନ ଫୋର୍ଡୋରୁ ଅସ୍ତ୍ରଶସ୍ତ୍ର ଗ୍ରେଡ୍ ସମୃଦ୍ଧ ୟୁରାନିୟମ୍‌ର ଭଣ୍ଡାର ସ୍ଥାନାନ୍ତର କରିଥାଇପାରେ।