ଆଜି ବି ବଞ୍ଚିଛି ପ୍ରେମ; ପ୍ରେମିକଙ୍କ ସହ ବିବାହ ବନ୍ଧନରେ ବାନ୍ଧିହେବାକୁ ୪୦୦୦ କିଲୋମିଟର ଦୂରରୁ ଆସିଲେ ପ୍ରେମିକା

ନୂଆଦିଲ୍ଲୀ: ଆପଣମାନେ ପ୍ରେମକୁ ନେଇ ଅନେକ ପ୍ରତାରଣା, ଛଳନା, ହତ୍ୟା, ଆତ୍ମହତ୍ୟା, ବିରହ ବିଚ୍ଛେଦର କାହାଣୀ ଶୁଣିଥିବେ ଓ ଦେଖିଥିବେ! ତେବେ, ଏହି ଖବରଟି କିଛି ଲୋକଙ୍କ ମନରେ ପ୍ରେମକୁ ନେଇ ଥିବା ଏ ପ୍ରକାରର ଧାରଣାକୁ ବଦଳାଇ ଦେଇପାରେ ।

ଏହି ଚର୍ଚ୍ଚିତ ଖବରଟି ଆମ ପଡ଼ୋଶୀ ଦେଶ ପାକିସ୍ତାନର।  ଜଣେ ଋଷୀୟ ଝିଅ ପାକିସ୍ତାନର ଜଣେ ପୁଅକୁ ଭଲ ପାଉଥିଲା । ନିଜ ପ୍ରେମ ପାଇଁ ସେ ୪୦୦୦ କିଲୋମିଟର ଦୂରରୁ ପାକିସ୍ତାନ ଆସିଥିଲା । ପ୍ରେମ ପାଇଁ ସେ ନିଜର ଧର୍ମ ପରିବର୍ତ୍ତନ କରି ଇସଲାମ ଧର୍ମ ବି ଗ୍ରହଣ କରିଥିଲା ଏବଂ ପରେ ବିବାହ କରିଥିଲା । ସୋସିଆଲ ମିଡିଆରେ ଋଷର ବାସିନ୍ଦା ପଲିନା ଏବଂ ଗୁଜରାନୱାଲା ମହମ୍ମଦ ଅଲୀଙ୍କ ପ୍ରେମ କାହାଣୀ ବିଷୟରେ ଏବେ ଅନେକ ଆଲୋଚନା ହେଉଛି ।

ପ୍ରଥମେ ସେମାନେ ‘ଲେଟସ୍ ଗୋ’ ୟୁଟ୍ୟୁବ୍ ଚ୍ୟାନେଲରେ  ସେମାନଙ୍କ ପ୍ରେମ ଓ ପ୍ରଥମ ସାକ୍ଷାତକୁ ନେଇ ଖୋଲାଖୋଲି ଭାବରେ କହିଥିଲେ । ପୋଲିନା ଏବଂ ମହମ୍ମଦ ଅଲୀଙ୍କ ପ୍ରଥମେ ଅନଲାଇନରେ ସାକ୍ଷାତ ହୋଇଥିଲା।  ଯେତେବେଳେ ଉଭୟଙ୍କ ମଧ୍ୟରେ ଭଲପାଇବା ବଢିବାକୁ ଲାଗିଲା ସେତେବେଳେ ପଲିନା ଋଷରୁ ୪୦୦୦ କିଲୋମିଟର ଦୂରତା ଅତିକ୍ରମ କରି ପାକିସ୍ତାନରେ ପହଞ୍ଚିଥିଲେ । ପାକିସ୍ତାନର ଏକ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ମହମ୍ମଦ କହିଛନ୍ତି ଯେ ସେ ବିଦେଶ ଗଲାବେଳେ ପ୍ରଥମେ ପଲିନାଙ୍କୁ ଭେଟିଥିଲେ ।

ଭ୍ରମଣ ଏବଂ ନୂଆ ସଂସ୍କୃତି ଜାଣିବା ଉପରେ ଏବେ ଏହି ଦମ୍ପତି ନିଜର ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ମଧ୍ୟ ଆରମ୍ଭ କରିଛନ୍ତି । ଯେଉଁଠାରେ ଉଭୟଙ୍କ ଜୀବନ ସହିତ ଜଡିତ ଅନୁଭୂତି ବି ବାଣ୍ଟିଛନ୍ତି । ମହମ୍ମଦ ଅଲୀଙ୍କୁ ବିବାହ କରିବା ପାଇଁ ପଲିନା ଇସଲାମ ଧର୍ମ ଗ୍ରହଣ କରିଥିଲେ। ବିବାହ ପୂର୍ବରୁ ସେ ସମ୍ପୂର୍ଣ୍ଣ ନାସ୍ତିକ ଥିଲେ । ପରେ ସେ ଉର୍ଦ୍ଦୁ ଶିକ୍ଷା ମଧ୍ୟ କରିଥିଲେ । ତାଙ୍କ ନୂଆ ଜୀବନ ବିଷୟରେ ପଲିନା କହିଛନ୍ତି ଯେ ସେ ପାକିସ୍ତାନର ଦେଶୀ ଖାଦ୍ୟକୁ ବହୁତ ଭଲ ପାଉଛନ୍ତି ।

ସମ୍ବନ୍ଧିତ ଖବର