ବିଦେଶୀ ପାଣ୍ଠି ଲାଇସେନ୍ସ ନବୀକରଣ ମାମଲା: ଏନ୍‌ଜିଓଗୁଡ଼ିକୁ ସୁପ୍ରିମ୍‌କୋର୍ଟଙ୍କ ଅନୁକମ୍ପା ମିଳିଲାନି

ନୂଆଦିଲ୍ଲୀ: ବିଦେଶୀ ଅନୁଦାନ (ବିନିୟମନ) ଆଇନ ଅନୁଯାୟୀ କେନ୍ଦ୍ର ସରକାରଙ୍କ ଦ୍ବାରା ପଞ୍ଜୀକରଣ ବାତିଲ ହୋଇଯାଇଥିବା ପ୍ରାୟ ୬୦୦୦ ଏନ୍‌ଜିଓଙ୍କୁ ସୁରକ୍ଷା ଦେବା ଲାଗି ଅନ୍ତରୀଣ ଆଦେଶ ପ୍ରଦାନ ନିମନ୍ତେ କରାଯାଇଥିବା ଆବେଦନକୁ ମଙ୍ଗଳବାର ସୁପ୍ରିମ୍‌କୋର୍ଟ ଖାରଜ କରିଦେଇଛନ୍ତି। ଜଷ୍ଟିସ୍ ଏଏମ୍ ଖାନୱିଲକରଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଉକ୍ତ ଏନ୍‌ଜିଓଗୁଡ଼ିକୁ କେନ୍ଦ୍ର ସରକାରଙ୍କ ପାଖକୁ ପ୍ରତିନିଧି ପଠାଇବା ପାଇଁ ପରାମର୍ଶ ଦେଇଛନ୍ତି ଏବଂ କେନ୍ଦ୍ର ସରକାର ହିଁ ଆଇନ ଅନୁଯାୟୀ ନିଷ୍ପତ୍ତି ନେବେ ବୋଲି କହିଛନ୍ତି। ଆମେରିକା ଟେକ୍ସାସର ଏକ ସଂଗଠନ ସହ ସମ୍ମିଳିତ ଗ୍ଲୋବାଲ ପିସ୍ ଇନିସିଏଟିଭ୍‌ର ପ୍ରତିଷ୍ଠାତା ଡ. କେଏ ପଲ ଲାଇସେନ୍ସ ନବୀକରଣ କରିପାରି ନ ଥିବା ସଂଗଠନଗୁଡ଼ିକୁ ତାହା ନବୀକରଣ ଲାଗି ଆଉ କିଛି ଦିନ ସମୟ ଦେବା ଏବଂ କୋଭିଡ୍ ପରିସ୍ଥିତି ବଳବତ୍ତର ଥିବା ପର୍ଯ୍ୟନ୍ତ ପଞ୍ଜୀକରଣ ଅବଧି ବୃଦ୍ଧି କରିବା ନିମିତ୍ତ କେନ୍ଦ୍ରକୁ ନିର୍ଦ୍ଦେଶ ଦେବା ପାଇଁ ଅଦାଲତଙ୍କୁ ଅନୁରୋଧ କରିଥିଲେ।

କେନ୍ଦ୍ର ତରଫରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଲେ ଯେ, ଧାର୍ଯ୍ୟ ସମୟ ଭିତରେ ୧୧,୦୦୦ରୁ ଊର୍ଦ୍ଧ୍ବ ଏନ୍‌ଜିଓ ନବୀକରଣ ପାଇଁ ଆବେଦନ କରିଛନ୍ତି ଏବଂ ସେମାନଙ୍କ ପଞ୍ଜୀକରଣ ଅବଧି ବୃଦ୍ଧି କରାଯାଇଛି। ଖଣ୍ଡପୀଠ କହିଲେ ଯେ ସେମାନେ ଅନ୍ତରୀଣ ଆଦେଶ ଦେବାକୁ ଚାହୁନାହାନ୍ତି। ବରଂ ସମ୍ପୃକ୍ତ ଏନ୍‌ଜିଓମାନେ ସିଧାସଳଖ କେନ୍ଦ୍ର ସରକାରଙ୍କ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ନିକଟକୁ ପ୍ରତିନିଧି ପଠାଇ ନିବେଦନ କରନ୍ତୁ ଏବଂ କର୍ତ୍ତୃପକ୍ଷ ଆଇନ ଅନୁଯାୟୀ ନିଷ୍ପତ୍ତି ନେବେ।

ସୂଚନାଯୋଗ୍ୟ, ଯେଉଁ ଏନ୍‌ଜିଓମାନଙ୍କର ପଞ୍ଜୀକରଣ ଅବଧି ପୂରିଯାଇଛି ଓ ନବୀକରଣ ହୋଇ ନାହିଁ, ସେମାନେ ବିଦେଶୀ ପାଣ୍ଠି ଗ୍ରହଣ କରିପାରିବେ ନାହିଁ ଏବଂ ପାଇଥିବା ପାଣ୍ଠି ଖର୍ଚ୍ଚ କରିପାରିବେ ନାହିଁ ବୋଲି ଗତ ଡିସେମ୍ବର ୧୩ରେ ସରକାର ନୋଟିସ ଜାରି କରିଥିଲେ। କିନ୍ତୁ ଲାଇସେନ୍ସ ରଦ୍ଦ ହେବା ଫଳରେ କୋଭିଡ୍-୧୯ ରିଲିଫ କାର୍ଯ୍ୟରେ ବାଧା ଉପୁଜିବ ବୋଲି ଆବେଦନରେ ଦର୍ଶାଯାଇଥିଲା। ମହାମାରୀ ସହ ଲଢ଼େଇରେ ଏନ୍‌ଜିଓମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକାକୁ ସରକାର ସ୍ବୀକାର କରିଥିବାରୁ କୋଭିଡ୍-୧୯ ମହାମାରୀର ଅନ୍ତ ଘଟିବା ପର୍ଯ୍ୟନ୍ତ ସେମାନଙ୍କ ଲାଇସେନ୍ସ କାଏମ ରଖିବା ଏବଂ ସେହି ଅବଧି ଭିତରେ ତାହା ନବୀକରଣ କରିବା ପାଇଁ ସୁଯୋଗ ଦେବା ନିମନ୍ତେ ଆବେଦନରେ ଅନୁରୋଧ କରାଯାଇଥିଲା।

ସମ୍ବନ୍ଧିତ ଖବର