କୋଭିଡ୍ ସମ୍ବନ୍ଧୀୟ ସହଯୋଗ ବିଷୟ ଆଲୋଚନା ଲାଗି ଆମେରିକାରେ ପହଞ୍ଚିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାର ବରିଷ୍ଠ ସରକାରୀ ଅଧିକାରୀଙ୍କୁ ସାକ୍ଷାତ୍ କରିବା ଏବଂ ଦୁଇ ଦେଶ ମଧ୍ୟରେ କୋଭିଡ୍ ସମ୍ବନ୍ଧୀୟ ସହଯୋଗ ବିଷୟ ଆଲୋଚନା କରିବା ଲାଗି ଆଜି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ନ୍ୟୁୟର୍କରେ ପହଞ୍ଚିଛନ୍ତି।

ଭାରତ ଜାତିସଂଘ ନିରାପତ୍ତା ପରିଷଦ୍‌ରେ ଯୋଗ ଦେବା ପରେ ପ୍ରଥମ ଥର ନ୍ୟୁୟର୍କ ଗସ୍ତ କରିଥିବା ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କରଙ୍କୁ ଜାତିସଂଘସ୍ଥିତ ଭାରତର ରାଷ୍ଟ୍ରଦୂତ ଟିଏସ୍‌ ତିରୁମୂର୍ତ୍ତି ପାଛୋଟି ନେଇଛନ୍ତି।

ଟୁଇଟ୍‌ କରି ରାଷ୍ଟ୍ରଦୂତ ତିରୁମୂର୍ତ୍ତି ଲେଖିଛନ୍ତି, ୨୦୨୧ ଜାନୁଆରି ୧ ତାରିଖ ଦିନ ଭାରତ ଜାତିସଂଘର ନିରାପତ୍ତା ପରିଷଦ୍‌ରେ ପ୍ରବେଶ କରିବା ପରେ ପ୍ରଥମ ନ୍ୟୁୟର୍କ ଗସ୍ତରେ ଆସିଥିବା ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର୍‌ ଏସ୍‌. ଜୟଶଙ୍କରଙ୍କୁ ସ୍ବାଗତ କରିବାର ସୁଯୋଗ ପାଇ ଆନନ୍ଦିତ।

Image Courtesy of Business Standard

ମେ ୨୮ ତାରିଖ ପର୍ଯ୍ୟନ୍ତ ବୈଦେଶିକ ବ୍ୟାପାର ମନ୍ତ୍ରୀ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତରେ ରହିବେ ବୋଲି ଗତ ସପ୍ତାହରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଥିଲା।

ନ୍ୟୁୟର୍କରେ ଡକ୍ଟର୍‌ ଜୟଶଙ୍କର ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ଙ୍କୁ ଭେଟିବା ପରେ ୱାସିଂଟନ୍‌ ଡିସିରେ ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍‌ଙ୍କୁ ସାକ୍ଷାତ୍ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ।

ଏଥିସହ, ସେ ଦ୍ବିପାକ୍ଷିକ ସମ୍ପର୍କ ଦାୟିତ୍ବ ନିର୍ବାହ କରୁଥିବା କ୍ୟାବିନେଟ୍‌ ସଦସ୍ୟ ଏବଂ ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କୁ ମଧ୍ୟ ଭେଟିବେ।

ସମ୍ବନ୍ଧିତ ଖବର