ଲଦାଖ ସ୍ଥିତି ଜଟିଳ : ସାମରିକ ଆଲୋଚନା ଜରୁରୀ, ଭାରତ-ଚୀନ୍‌ ଉତ୍ତେଜନା ନେଇ ବିଦେଶ ମନ୍ତ୍ରୀଙ୍କ ବୟାନ

ନୂଆଦିଲ୍ଲୀ: ଭାରତ-ଚୀନ୍‌ ସଂପର୍କ ଏବେ ଭୀଷଣ ତିକ୍ତତା ଭିତର ଦେଇ ଗତି କରୁଛି। ଗତବର୍ଷ ଲଦାଖ ସୀମାରେ ଭାରତ ଓ ଚୀନ୍‌ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିବା ପରଠାରୁ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଛି। ପରିସ୍ଥିତି ସ୍ବାଭାବିକ କରିବା ପାଇଁ ସମାଧାନର ବାଟ ବାହାର କରିବା ଲାଗି ଉଭୟ ଦେଶ ମଧ୍ୟରେ ୯ ଥର ସାମରିକ ସ୍ତରୀୟ ଆଲୋଚନା ସରିଲାଣି। ଏତେ ସତ୍ତ୍ବେ ବି ସ୍ଥିତିରେ କୌଣସି ଉନ୍ନତି ପରିଲକ୍ଷିତ ହୋଇନାହିଁ। ତଥାପି ଲଦାଖ ଏକ ଜଟିଳ ସମସ୍ୟା ହୋଇ ରହିଛି ଏବଂ ଆହୁରି ଦ୍ବିପାକ୍ଷିକ ସାମରିକ ଆଲୋଚନା ଜରୁରୀ ବୋଲି ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର କହିଛନ୍ତି।

ଏପରିକି ସେ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସେମାନଙ୍କ ଚୀନୀ ପ୍ରତିପକ୍ଷଙ୍କ ସହ କଥାବାର୍ତ୍ତା କରିଥିଲେ ହେଁ କୌଣସି ସ୍ଥାୟୀ ସମାଧାନ ହୋଇପାରିନାହିଁ। କାରଣ ସେଠାରେ ବାସ୍ତବରେ କେଉଁ ସେନା କିଭଳି ସ୍ଥିତିରେ କେତେ ଶକ୍ତି ସାମର୍ଥ୍ୟ ସହ ସେଠାରେ ନିଜର ପ୍ରଭାବକୁ କେତେ ସୁଦୃଢ଼ କରିପାରିଛି ତାହା ଉପରେ ହିଁ ସବୁ କିଛି ନିର୍ଭର କରୁଛି। ସୁତରାଂ ସେ ସମ୍ପର୍କିତ ଯାବତୀୟ ସୂଚନା ଏବଂ ସମ୍ଭାବ୍ୟ ଆକଳନ ସେନା ପାଖରେ ହିଁ ରହିଛି। ଅପରପକ୍ଷେ, ଗତବର୍ଷ ମଇ ୫ରେ ପୂର୍ବ ଲଦାଖରେ ଦୁଇ ଦେଶର ସୈନିକମାନେ ମୁହାଁମୁହିଁ ହେବା ପରଠାରୁ ଭାରତ ସେଠାରେ ପ୍ରତିପକ୍ଷକୁ ମୁକାବିଲା କରିବା ଲାଗି ଅଧିକରୁ ଅଧିକ ସାମରିକ ଶକ୍ତି ଠୁଳ କରିଚାଲିଛି ବୋଲି ଜୟଶଙ୍କର କହିଛନ୍ତି।

ସମ୍ବନ୍ଧିତ ଖବର