ନୂଆଦିଲ୍ଲୀ: କତର ଜେଲରେ ଥିବା ୮ ଜଣ ପୂର୍ବତନ ଭାରତୀୟ ନୌସେନାଙ୍କୁ ମିଳିଥିବା ମୃତ୍ୟୁଦଣ୍ଡକୁ ରଦ୍ଦ କରାଯାଇଥିବା ପ୍ରସଙ୍ଗରେ ଶୁକ୍ରବାର ନିଜର ପ୍ରତିକ୍ରିୟା ରଖିଛି ଭାରତର ବିଦେଶ ମନ୍ତ୍ରାଳୟ ।

Advertisment

ବିଦେଶ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚୀଙ୍କୁ ତାଙ୍କ ସାପ୍ତାହିକ ସାମ୍ବାଦିକ ସମ୍ମିଳନୀ ଅବସରରେ ଏହି ପ୍ରସଙ୍ଗରେ ସାମ୍ବାଦିକ ମାନେ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ସେ କହିଥିଲେ, “କତର ମାମଲାରେ ମୁଁ ଅଧିକ ମନ୍ତବ୍ୟ ଦେବାକୁ ଚାହେଁ ନାହିଁ କାରଣ ବିସ୍ତୃତ ନିର୍ଦ୍ଦେଶର ନକଲ ଏପର୍ଯ୍ୟନ୍ତ ମିଳିନାହିଁ। ଗତକାଲି (ଗୁରୁବାର, ଡିସେମ୍ବର ୨୮) ମଧ୍ୟ ଆମେ ଏ ନେଇ ସୂଚନା ଦେଇଥିଲୁ। ଏହା ଏକ ସମ୍ବେଦନଶୀଳ ମାମଲା। ଆମର ଚିନ୍ତା ହେଉଛି ଆଠ ଜଣ ଭାରତୀୟ ଏବଂ ସେମାନଙ୍କ ପରିବାରର କଲ୍ୟାଣ । ତେଣୁ ଆମକୁ ଟିକେ ଅପେକ୍ଷା କରିବାକୁ ପଡ଼ିବ।“

ସୂଚନାଯୋଗ୍ୟ ଯେ ଅଲ ଦହରା ମାମଲାରେ କତରର ଏକ ଅଦାଲତ ଗୁରୁବାର ଭାରତୀୟ ନୌସେନାର ୮ ଜଣ ପୂର୍ବତନ ଯବାନଙ୍କ ଫାଶୀ ଦଣ୍ଡାଦେଶକୁ ରଦ୍ଦ କରିଦେଇଥିଲେ । ୨୦୨୨ ଅଗଷ୍ଟରେ ସେମାନଙ୍କୁ ଗିରଫ କରାଯାଇଥିଲା । ଗତ ଅକ୍ଟୋବର ୨୬ରେ ଫାଶୀ ଦଣ୍ଡାଦେଶ ଦିଆଯାଇଥିଲା। ଏହି ଦଣ୍ଡକୁ ନେଇ ଭାରତୀୟ ବିଦେଶ ମନ୍ତ୍ରାଳୟ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲା । ଏହା ପରେ ଭାରତ ସରକାର କୂଟନୈତିକ ସ୍ତରରେ ଉଦ୍ୟମ ଜାରି ରଖିଥିଲେ ଓ କତରର ଅପିଲୀୟ ଅଦାଲତରେ ଆବେଦନ କରିଥିଲେ । ସେପଟେ ଦୁବାଇରେ ଅନୁଷ୍ଠିତ କପ୍୨୮ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କତରର ଏମିର ଶେଖ ତମିମ୍ ବିନ୍ ହମଦ୍ ଅଲ ଥାନିଙ୍କୁ ସାକ୍ଷାତ କରିଥିଲେ । ଏହି ସାକ୍ଷାତ ହିଁ ମୃତ୍ୟୁଦଣ୍ଡ କୋହଳ ହେବାର ମୁଖ୍ୟ କାରଣ ବୋଲି କୁହାଯାଉଛି ।