ନୂଆଦିଲ୍ଲୀ: ପାକିସ୍ତାନକୁ ବିଦେଶ ସଚିବ ବିକ୍ରମ ମିସ୍ରି ଆଜି ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି। ସଂଘର୍ଷ ହ୍ରାସର ପସନ୍ଦ ବା ବିକଳ୍ପ ବର୍ତ୍ତମାନ ପାକିସ୍ତାନ ନିକଟରେ ରହିଛି। କାରଣ ସେହି ଦେଶ ହିଁ ପହଲଗାମ ଆତଙ୍କବାଦୀ ଆକ୍ରମଣ ଭିଆଇ ଉତ୍ତେଜନା ଆରମ୍ଭ କରିଥିଲା। ଏହାର ଜବାବ ‘ଅପରେସନ୍ ସିନ୍ଦୂର’ ମାଧ୍ୟମରେ ହିଁ ଦିଆଯାଇଛି ବୋଲି ଆଜି ଗଣମାଧ୍ୟମକୁ ବିଦେଶ ସଚିବ କହିଛନ୍ତି। ଆମର ଆଭିମୁଖ୍ୟ ପରିସ୍ଥିତିକୁ ଅଧିକ ଉତ୍ତେଜନାମୂଳକ କରିବା ନୁହେଁ। ଆମେ କେବଳ ଏପ୍ରିଲ ୨୨ ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାର ଜବାବ ଦେଇଛୁ। ତେଣୁ ବିକଳ୍ପ ବା ପସନ୍ଦ ପାକିସ୍ତାନ ନିକଟରେ ରହିଛି ବୋଲି ସେ କହିଛନ୍ତି। ଏଥିସହିତ ଭାରତ ଓ ପାକିସ୍ତାନର ଜାତୀୟ ସୁରକ୍ଷା ଉପଦେଷ୍ଟା (ଏନ୍ଏସ୍ଏ) ପରସ୍ପର ସହିତ କଥା ହୋଇଛନ୍ତି ବୋଲି ପାକିସ୍ତାନର ବିଦେଶ ମନ୍ତ୍ରୀ ଯେଉଁ ଦାବି କରିଛନ୍ତି ସେ ସଂପର୍କରେ ଆମ ପାଖରେ କୌଣସି ସୂଚନା ନାହିଁ ବୋଲି ମିସ୍ରି କହିଛନ୍ତି।
ଅପରେସନ୍ ସିନ୍ଦୂରରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀରରେ ନିହତ ହୋଇଥିବା ଆତଙ୍କବାଦୀଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ କରିବାକୁ ଭାରତ ନିନ୍ଦା କରିଛି। ପାକିସ୍ତାନର ଏହା ଏକ ଅଭ୍ୟାସରେ ପରିଣତ ହୋଇଥାଇ ପାରେ ବୋଲି ବିଦେଶ ସଚିବ ମିସ୍ରି କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ମିସ୍ରି ଏହାର ଫଟୋକୁ ମଧ୍ୟ ଦେଖାଇଛନ୍ତି। ଆତଙ୍କବାଦୀଙ୍କ କଫିନ ଉପରେ ଜାତୀୟ ପତାକାରେ ଘୋଡ଼ାଇବା ସହିତ ପାକିସ୍ତାନର ସେନା ଓ ପୁଲିସ ସେଠାରେ ଉପସ୍ଥିତ ରହିବା କି ବାର୍ତ୍ତା ଦେଉଛି ବୋଲି ଭାରତ ପ୍ରଶ୍ନ ଉଠାଇଛି। ଯଦି ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଛି ସେମାନଙ୍କ ଶେଷକୃତ୍ୟରେ ଏଭଳି ବ୍ୟବସ୍ଥା କ’ଣ ବୋଲି ମିସ୍ରି ପ୍ରଶ୍ନ କରିଛନ୍ତି।
ଏନ୍ଏସ୍ଏସ୍ତରୀୟ ଆଲୋଚନା ନେଇ କୌଣସି ସୂଚନା ନାହିଁ
ଆତଙ୍କବାଦୀଙ୍କୁ ସମ୍ମାନ ପାକ୍ର ପରମ୍ପରା ସାଜିଛି
ପାକ୍ ଗୁଳିରେ ୧୬ ବେସାମରିକ ଲୋକଙ୍କ ମୃତ୍ୟୁ ହୋଇଛି
ଗତକାଲି ପାକିସ୍ତାନର ଜମ୍ମୁ କାଶ୍ମୀରର ପୁଞ୍ଚ୍ଠାରେ ଶିଖ୍ ସମୁଦାୟକୁ ଟାର୍ଗେଟ୍ କରି ଏକ ଗୁରୁଦ୍ବାରାକୁ ଆକ୍ରମଣ କରିଥିଲା। ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ମୋଟ ୧୬ ଜଣ ବେସାମରିକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ବ୍ୟକ୍ତି ଆହତ ହୋଇଛନ୍ତି ବୋଲି ମିସ୍ରି କହିଛନ୍ତି। ପାକିସ୍ତାନ ପଟୁ ଗତକାଲି ରାତିରେ ଉତ୍ତର ଏବଂ ପଶ୍ଚିମ ଭାରତରେ ଅବସ୍ଥିତ ସେନାର ଏକାଧିକ ସ୍ଥାନକୁ ଟାର୍ଗେଟ୍ କରି ଆକ୍ରମଣ ଉଦ୍ୟମ କରାଯାଇଥିଲା। ଡ୍ରୋନ୍ ଏବଂ ମିସାଇଲ୍ ଜରିଆରେ ଏହି ଆକ୍ରମଣ ଉଦ୍ୟମ କରାଯାଇଥିଲା। ଭାରତ କିନ୍ତୁ ସଫଳତାର ସହିତ ଏସବୁ ଆକ୍ରମଣକୁ ପଣ୍ଡ କରିଛି। ଲାହୋରରେ ଅବସ୍ଥିତ ପାକିସ୍ତାନର ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ମଧ୍ୟ ଧ୍ବଂସ କରାଯାଇଛି। ଭାରତର ସମନ୍ବିତ କାଉଣ୍ଟର-ୟୁଏଏସ୍ ଗ୍ରିଡ୍ ଏବଂ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଦ୍ବାରା ଏସବୁ ଆକ୍ରମଣର ସଫଳ ମୁକାବିଲା କରାଯାଇଛି ବୋଲି କର୍ଣ୍ଣେଲ ସୋଫିୟା କୁରେଶି କହିଛନ୍ତି। ପାକିସ୍ତାନ ପକ୍ଷରୁ ଭାରତର ଅବନ୍ତିପୁରା, ଶ୍ରୀନଗର, ଜମ୍ମୁ, ପଠାନକୋଟ, ଅମୃତସର, କପୁରତାଲା, ଜଳନ୍ଧର, ଲୁଧିଆନା, ଆଦାମପୁର, ଭଟିଣ୍ଡା, ଚଣ୍ଡିଗଡ଼, ନଲ୍, ଫଲୋଡ଼ି, ଉତ୍ତରଲାଇ ଏବଂ ଭୁଜ୍କୁ ଲକ୍ଷ୍ୟ କରି ଡ୍ରୋନ ଓ ମିସାଇଲ ଆକ୍ରମଣ ହୋଇଥିଲା। ଏସବୁର ଧ୍ବଂସାବଶେଷ ବିଭିନ୍ନ ସ୍ଥାନରୁ ମିଳିଛି।
ସେସବୁ ମିସାଇଲ ଏବଂ ଡ୍ରୋନ୍ ପାକିସ୍ତାନର ବୋଲି ଜଣାଯାଇଥିବା କୁରେଶି କହିଛନ୍ତି। ଅନ୍ୟପକ୍ଷରେ ଭାରତ ପକ୍ଷରୁ ପାକିସ୍ତାନର କୌଣସି ସେନା ପ୍ରତିଷ୍ଠାନ ଉପରେ ଆକ୍ରମଣ କରାଯାଇ ନାହିଁ। କେବଳ ଆତଙ୍କବାଦୀ ଭିତ୍ତିଭୂମିକୁ ନଷ୍ଟ କରାଯାଇଛି ବୋଲି ବିଦେଶ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ପାକିସ୍ତାନର ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ଭାରତ ଇସ୍ରାଏଲ ନିର୍ମିତ ହାରପ୍ ଡ୍ରୋନ୍ ଦ୍ବାରା ନଷ୍ଟ କରିଛି। ପାକିସ୍ତାନର ସମ୍ଭାବ୍ୟ ଆକ୍ରମଣକୁ ଦୃଷ୍ଟିରେ ରଖି ଭାରତ ଏହାର ଏସ୍-୪୦୦ ସୁଦର୍ଶନ ଚକ୍ର ବାୟୁ ପ୍ରତିରକ୍ଷା ମିସାଇଲ ବ୍ୟବସ୍ଥାକୁ ରାତିସାରା ସକ୍ରିୟ ରଖିଥିଲା। ଏହାଦ୍ବାରା ପାକିସ୍ତାନ ପଟୁ ଆସୁଥିବା ମିସାଇଲ ଏବଂ ଡ୍ରୋନକୁ ଆକାଶ ମାର୍ଗରେ ହିଁ ସଫଳତାର ସହ ଖସାଇ ଦିଆଯାଇପାରିଛି।