ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ଶ୍ରୀ ଶାରଦା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆନ୍ ମ୍ୟାନେଜମେଣ୍ଟ-ରିସର୍ଚ୍ଚର ପୂର୍ବତନ ନିର୍ଦ୍ଦେଶକ ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ ଛାତ୍ରୀମାନଙ୍କୁ କିପରି ପ୍ରଲୋଭିତ କରୁଥିଲେ ସେ ବିଷୟରେ ଅନୁଷ୍ଠାନର ଜଣେ ପୂର୍ବତନ ଛାତ୍ରୀ ପ୍ରକାଶ କରିଛନ୍ତି। ସହରର ବସନ୍ତ କୁଞ୍ଜ ଅଞ୍ଚଳରେ ଥିବା ଅନୁଷ୍ଠାନରୁ ବହିଷ୍କୃତ ଛାତ୍ରୀ ଜଣକ କହିଛନ୍ତି, ଭଣ୍ଡ ବାବା ଛାତ୍ରୀମାନଙ୍କୁ ମାଗଣା ବିଦେଶ ଯାତ୍ରା, ଆଇଫୋନ୍, କାର୍ ଓ ଲାପ୍‌ଟପ୍ ଅଫର କରୁଥିଲେ।

Advertisment

ଗଣମାଧ୍ୟମ ସହ କଥାବାର୍ତ୍ତା କରି ପୂର୍ବତନ ଛାତ୍ରୀ କହିଛନ୍ତି ଯେ, ଆଡମିସନ ସମୟରେ ଛାତ୍ରମାନଙ୍କୁ ମିଛ କୁହାଯାଉଥିଲା। ନୂତନ ଛାତ୍ରମାନେ କଲେଜରେ ପ୍ରବେଶ କରିବା ମାତ୍ରେ ତୁରନ୍ତ ଚୟନ ପ୍ରକ୍ରିୟା ଆରମ୍ଭ ହେଉଥିଲା। ପ୍ରଥମେ ଟାର୍ଗେଟ୍‌ କରାଯାଉଥିବା ଛାତ୍ରୀଙ୍କୁ ଚିହ୍ନଟ କରାଯାଉଥିଲା। ଏହା ପରେ ସେମାନଙ୍କୁ ଅଧିକ ସ୍କୋର, ବିଦେଶୀ ଇଣ୍ଟର୍ଣ୍ଣସିପ୍ ଓ ଭଲ ପ୍ଲେସମେଣ୍ଟ ସହିତ ଉନ୍ନତ ସେବା ପ୍ରଦାନ ଲାଗି ପ୍ରଲୋଭିତ କରାଯାଉଥିଲା। ଯେଉଁମାନେ ବାବାଙ୍କ ଅଫରକୁ ଗ୍ରହଣ କରୁଥିଲେ ସେମାନଙ୍କ ପାଇଁ ସବୁକିଛି ସୁଗମ ହେଉଥିଲା, କିନ୍ତୁ ଯେଉଁମାନେ ମନା କରନ୍ତି ସେମାନଙ୍କ ଜୀବନ ଦିନକୁ ଦିନ ଖରାପ ହେବାକୁ ଲାଗୁଥିଲା। ଏହି ଛାତ୍ରୀମାନଙ୍କୁ ରାତିରେ ଉଜାଗର ରହିବାକୁ ବାଧ୍ୟ କରାଯାଉଥିଲା, କାହା ସହ କଥା ହେବାକୁ ଅନୁମତି ଦିଆଯାଉ ନ ଥିଲା, ଅହରହ ନିରୀକ୍ଷଣରେ ରଖାଯାଉଥିଲା ଏବଂ କେତେକଙ୍କୁ ହଇରାଣ କରାଯାଇ କଲେଜରୁ ବାହାର କରିଦିଆଯାଉଥିଲା। ଏପରି କି ସେମାନଙ୍କ ପିତାମାତାଙ୍କୁ ମଧ୍ୟ ହଇରାଣ କରାଯାଉଥିଲା ବୋଲି ସେ ପ୍ରକାଶ କରିଛନ୍ତି। ଟାର୍ଗେଟେଡ୍ ଛାତ୍ରମାନଙ୍କୁ କିପରି ଚୟନ କରାଯାଉଥିଲା ବୋଲି ପଚରାଯିବାରୁ ଛାତ୍ରୀ ଜଣକ କହିଛନ୍ତି ଯେ ଚୈତନ୍ୟାନନ୍ଦ ସରସ୍ୱତୀ ବ୍ୟକ୍ତିଗତ ଭାବରେ ଏହି ପ୍ରକ୍ରିୟା କରୁଥିଲେ, ଯିଏ ପୂର୍ବରୁ ସ୍ୱାମୀ ପାର୍ଥସାରଥି ଭାବରେ ଜଣାଶୁଣା ଥିଲେ। ସ୍ୱାମୀ ଜଣ ଜଣ କରି ଛାତ୍ରୀମାନଙ୍କ ସହ କଥାବାର୍ତ୍ତା କରୁଥିଲେ, ଯାହା ପରେ ସେମାନଙ୍କୁ ଚିହ୍ନଟ କରାଯାଉଥିଲା। ସେ ଝିଅ ଓ ପୁଅମାନଙ୍କ ପାଇଁ ଅଲଗା ଅଲଗା ଶ୍ରେଣୀ ମଧ୍ୟ ପରିଚାଳନା କରୁଥିଲେ। ସେ ସ୍ବତନ୍ତ୍ର ଭାବେ ଛାତ୍ରୀମାନଙ୍କୁ ବାଛୁଥିଲେ। ସେଠାରେ କିଛି ମହିଳା କର୍ମଚାରୀ ଥିଲେ ଯେଉଁମାନେ ଟାର୍ଗେଟ୍‌ ହୋଇଥିବା ଛାତ୍ରୀମାନଙ୍କ ନିକଟକୁ ଯାଉଥିଲେ ଏବଂ ସେମାନଙ୍କୁ ବାବାଙ୍କ କାର୍ଯ୍ୟାଳୟ କିମ୍ବା କୋଠରିରେ ତାଙ୍କୁ ଭେଟିବାକୁ କହୁଥିଲେ।

ଅନ୍ୟ ଏକ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ମହିଳା କର୍ମଚାରୀମାନଙ୍କ ମଧ୍ୟରୁ କେତେକ ପୂର୍ବତନ ଛାତ୍ରୀ ଥିଲେ, ଯେଉଁମାନେ ଚୈତନ୍ୟାନନ୍ଦ ସରସ୍ୱତୀଙ୍କ ଦ୍ୱାରା ଟାର୍ଗେଟ୍‌ ହୋଇଥିଲେ ଓ ଆପୋଷ ବୁଝାମଣା କରିଥିଲେ। ସେମାନଙ୍କୁ ସ୍ୱାମୀ ସମାନ ଜିନିଷ ପ୍ରଦାନ କରିଥିଲେ। ସେମାନଙ୍କୁ ବିଦେଶ ଯାତ୍ରାରେ ନିଆଯାଉଥିଲା ଏବଂ ବିଦେଶ ଇଣ୍ଟର୍ନସିପ୍ ପ୍ରଦାନ କରାଯାଇଥିଲା। ଆଜି ସେମାନେ କର୍ମଚାରୀ। ସେମାନେ ହେଉଛନ୍ତି ସେହି ମହିଳା କର୍ମଚାରୀ ଯେଉଁମାନେ ଛାତ୍ରୀମାନଙ୍କୁ ସ୍ୱାମୀଙ୍କ ଅନୁରୋଧ ମାନିବାକୁ ବାଧ୍ୟ କରୁଥିଲେ। 

ବାବାଙ୍କର ସବୁକିଛି ନକଲି। ତାଙ୍କର ଏମ୍‌ଫିଲ୍ ଡିଗ୍ରି ନକଲି। ରାଜନେତାଙ୍କ ସହ ତାଙ୍କର ଅନେକ ନକଲି ଫଟୋ ମଧ୍ୟ ଅନୁଷ୍ଠାନରେ ରଖାଯାଇଛି। ତାଙ୍କର ଏକ ପ୍ରିଣ୍ଟିଂ ପ୍ରେସ୍ ଅଛି ଯେଉଁଠାରେ ସେ ଏହି ଫଟୋ ତିଆରି କରନ୍ତି ବୋଲି ପୂର୍ବତନ ଛାତ୍ରୀ କହିଛନ୍ତି। ପୁଲିସ ଜବତ କରିଥିବା ନକଲି ଜାତିସଂଘ ନମ୍ବର ପ୍ଲେଟ୍ ସମ୍ପର୍କରେ ସେ କହିଛନ୍ତି ଯେ ଚୈତନ୍ୟାନନ୍ଦ ସରସ୍ୱତୀ ସମସ୍ତଙ୍କୁ କହୁଥିଲେ ଯେ ସେ ଜାତିସଂଘର ସଦସ୍ୟ ଓ ଏକ ଦୂତାବାସ ତାଙ୍କୁ ଏହି ନମ୍ବର ପ୍ଲେଟ୍ ଦେଇଛି। ତେବେ କେଉଁ ଦୂତାବାସ ତାହା ସେ କହିନାହାନ୍ତି।