ଜାନୁଆରି ୧୫ ପରେ ଚୀନ ଯାଇଥିବା ବିଦେଶୀମାନଙ୍କୁ ଭାରତ ଆସିବା ମନା

ନୂଆଦିଲ୍ଲୀ : ଚୀନରେ କରୋନା ଭାଇରସ ସମଗ୍ର ବିଶ୍ୱ ପାଇଁ ଚିନ୍ତା ଓ ଆତଙ୍କର କାରଣ ଭାବେ ଦେଖା ଦେଇଛି । ଏପର୍ଯ୍ୟନ୍ତ ଏହି ଭାଇରସ ବ୍ୟାପିବା ଦ୍ୱାରା ୮୦୦ରୁ ଅଧିକ ଲୋକ ମୃତ୍ୟୁ ବରଣ କରିସାରିଲେଣି । ଏହା ସହିତ କରୋନା ଭାଇରସ ୨୦୦୦-୦୧ରେ ଚୀନରେ ହୋଇଥିବା ସାରସ ଭାଇରସ ଜନିତ ମୃତ୍ୟୁସଂଖ୍ୟାକୁ ଏହା ଟପିଯାଇଛି ।

 

ଅନ୍ୟପକ୍ଷରେ ଭାରତ ସରକାର କରୋନା ଭାଇରସ ନିୟନ୍ତ୍ରଣ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଜାନୁଆରି ୧୫ ତାରିଖ ପରେ ଚୀନ ଯାଇଥିବା ବିଦେଶୀ ନାଗରିକମାନଙ୍କୁ ଭାରତରେ ପ୍ରବେଶ ଅନୁମତି ଦିଆଯିବ ନାହିଁ । ଏ ସଂପର୍କରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଶନିବାରଦିନ ଏକ ସର୍କୁଲାର ଜାରି ହୋଇଛି । ଅନ୍ୟପକ୍ଷରେ ଜଳ,ସ୍ଥଳ ଓ ଆକାଶମାର୍ଗରେ ଭାରତକୁ କୌଣସି ବିଦେଶୀଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ଭାରତ ସରକାର ଚୀନର ଉହାନ ସହରକୁ ବିମାନ ପଠାଇ ପ୍ରାୟ ୬୩୮ ଜଣ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଫେରାଇଆଣିଥିଲେ ମଧ୍ୟ ଆଉ ୮୦ ଜଣ ଛାତ୍ରଛାତ୍ରୀ ସେଠାରେ ଏବେ ବି ରହିଛନ୍ତି ବୋଲି ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଶୁକ୍ରବାରଦିନ କହିଥିଲେ । ଚୀନର ଉହାନ ସହରରୁ ହିଁ କରୋନା ଭାଇରସ ସଂକ୍ରମଣ ଆରମ୍ଭ ହୋଇଥିଲା ।

ସମ୍ବନ୍ଧିତ ଖବର