ଅଷ୍ଟ୍ରେଲିଆରେ ଜଙ୍ଗଲ ନିଆଁ ନେଲାଣି ୫୦ କୋଟି ବନ୍ୟଜନ୍ତୁଙ୍କ ଜୀବନ, ଭାରତ ଗସ୍ତ ରଦ୍ଦ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦକ୍ଷିଣ ପୂର୍ବ ଅଷ୍ଟ୍ରେଲିଆର ଜଙ୍ଗଲରେ ଭୀଷଣ ନିଆଁ ଲାଗିଛି | ଅଷ୍ଟ୍ରେଲିଆ ସରକାର ତୃତୀୟ ଥର ପାଇଁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି | ଜଙ୍ଗଲ ଆଖପାଖ ଅଂଚଳରେ ରହୁଥିବା ଲୋକମାନେ ଏବେ ସଙ୍କଟଜନକ ସ୍ଥିତିକୁ ଆସିଯାଇଛନ୍ତି | ଗରମ ପବନ ସାଙ୍ଗକୁ ବିଷାକ୍ତ ଧୂଆଁ ଏବେ ସାରା ସହରରେ ବ୍ୟାପି ଯାଇଛି | ଲୋକ ଘର ଛାଡି ପଳାଇଯାଉଥିବାବେଳେ ମୃତ୍ୟୁ ସଂଖ୍ୟା ୨୩ରେ ପହଁଚିଛି | ଅନ୍ୟପଟେ ପାଖାପାଖି ୫୦ କୋଟି ବନ୍ୟଜନ୍ତୁଙ୍କ ମଧ୍ୟ ଜୀବନ ଚାଲିଗଲାଣି |

ଜଙ୍ଗଲ ନିଆଁ ଅଷ୍ଟ୍ରେଲିଆର ଭିକ୍ଟୋରିଆ ଓ ସାଉଥ ୱେଲସ ଅଂଚଳରେ ଅଧିକ ମାତ୍ରାରେ ବ୍ୟାପିବାରେ ଲାଗିଥିବାବେଳେ ଗରମ ପବନ ଯୋଗୁଁ ଅଗ୍ନିଶମ କର୍ମଚାରୀଙ୍କୁ ମଧ୍ୟ ନିଆଁ ଲିଭାଇବାରେ ବହୁ ଅସୁବିଧାର ସାମ୍ନା କରିବାକୁ ପଡୁଛି | କିଛି ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀକୁ ବଢ଼ିଯାଇଥିବାବେଳେ ପାଣିପାଗ ବିଭାଗର କହିବା ମୁତାବକ ଜଙ୍ଗଲରେ ଲାଗିଥିବା ନିଆଁ ହିଁ ଏହି ତାପମାତ୍ରା ବଢିବାର ପ୍ରମୁଖ କାରଣ ସାଜିଛି |

ଅନ୍ୟପଟେ ଜରୁରୀକାଳୀନ ସ୍ଥିତିକୁ ନଜରରେ ରଖି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମାରିସନ ତାଙ୍କର ଭାରତ ଯାତ୍ରାକୁ ରଦ୍ଦ କରିଛନ୍ତି | ଆସନ୍ତା ଜାନୁୟାରୀ ୧୩ ତାରିଖରୁ ମାରିସନ ଚାରିଦିନିଆ ଭାରତ ଗସ୍ତରେ ଆସିବାର ଥିଲା | ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏବେ ଆମର ଦେଶରେ ବ୍ୟାପିଥିବା ଜଙ୍ଗଲ ନିଆଁ ପାଇଁ ସରକାର ନାଗରିକଙ୍କୁ ସହାୟତା କରିବା ପାଇଁ ଦୃଷ୍ଟି ଦେଉଛନ୍ତି | ଆସନ୍ତା ମାସରେ ସେ ଭାରତ ଆସିବେ |

ସମ୍ବନ୍ଧିତ ଖବର