ରାସ୍ତା ଉପରକୁ ଚାଲିଆସୁଛନ୍ତି ବହୁ ସଂଖ୍ୟାରେ କଙ୍ଗାରୁ, କାହିଁକି ଜାଣନ୍ତୁ

ସିଡନୀ: ବନାଗ୍ନି ପାଇଁ ଅଷ୍ଟ୍ରେଲିଆରେ ଜରୁରୀକାଳୀନ ପରିସ୍ଥିତି ଜାରି କରାଯାଇଛି | ଏହି କାରଣରୁ ଜଙ୍ଗଲରେ ଥିବା ଜନ୍ତୁଙ୍କ ଜୀବନ ବିପଦରେ ପଡ଼ିଛି | ସୂଚନାନୁସାରେ ଜଙ୍ଗଲରେ ନିଆଁ ଲାଗିବା ଯୋଗୁଁ ଅଷ୍ଟ୍ରେଲିଆରେ ଜରୁରୀକାଳୀନ ସ୍ଥିତି ଘୋଷଣା କରାଯାଇଛି | ସିଡନୀ ସହରର ଆଖପାଖରେ ଥିବା ଜଙ୍ଗଲରେ ନିଆଁ ଲାଗିବା ଦ୍ୱାରା ଏଭଳି ସ୍ଥିତି ସୃଷ୍ଟି ହୋଇଛି |  ଜଙ୍ଗଲରେ ୧୦୦ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ଏହା କାନନଗ୍ର ଜାତୀୟ ପାର୍କକୁ ମଧ୍ୟ ବ୍ୟାପିବାରେ ଲାଗିଛି , ଯାହାଫଳରେ ପାର୍କରେ ଥିବା ବହୁ ସଂଖ୍ୟାରେ କଙ୍ଗାରୁ ରାସ୍ତା ଉପରକୁ ଚାଲିଆସିଥିବା ଦେଖିବାକୁ ମିଳିଛି |

photo-ap

ସିଡନୀର ଆଖପାଖରେ ଥିବା ଜଙ୍ଗଲରେ ନିଆଁ ଲାଗିବା ଦ୍ୱାରା କଳା ଧୂଆଁ ବଳୟରେ ଏବେ ସମ୍ପୂର୍ଣ୍ଣ ସହର ଆସିଯାଇଛି | ଜଙ୍ଗଲରେ ନିଆଁ ଲାଗିବା ଯୋଗୁଁ ସିଡନୀ ଓ ଆଖପାଖ ଅଞ୍ଚଳର ତାପମାତ୍ରା ୪୫ ଡିଗ୍ରି ସେଲସିୟସରେ ପହଞ୍ଚିଯାଇଛି |

ଲୋକଙ୍କୁ ସୁରକ୍ଷିତ ଭାବେ ରହିବାକୁ ପ୍ରଶାସନ ପକ୍ଷରୁ ଲଗାତାର ଚେତାବନୀ ଦିଆଯାଉଛି | ଅଷ୍ଟ୍ରେଲିଆର ନ୍ୟୁ ସାଉଥ ୱେଲସରେ ଦୋକାନ, ସରକାରୀ ଅଫିସ ସହ ସ୍କୁଲ ଓ ବଜାର ମଧ୍ୟ ବନ୍ଦ ରହିଛି | ସେହିପରି ଯେଭଳି କୌଣସି ଜୀବନହାନୀ ନ ହୁଏ ସେଥିପାଇଁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ କୁହାଯାଇଛି | ଅଷ୍ଟ୍ରେଲିଆରେ ଲାଗିଥିବା ଏହି ଜଙ୍ଗଲ ନିଆଁରେ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬୮୦ଟି ଘର ଜଳି ପାଉଁଶ ହୋଇଯାଇଛି | ସେହିପରି ୩୦ ଲକ୍ଷ ଏକର ଅରଣ୍ୟ ମଧ୍ୟ ଜଳିଯାଇଛି |

ସମ୍ବନ୍ଧିତ ଖବର