ଜଙ୍ଗଲ ଅଂଚଳ ଜବରଦଖଲରେ ଓଡ଼ିଶାର ସ୍ଥାନ ଦେଶରେ ଚତୁର୍ଥ

ନୂଆଦିଲ୍ଲୀ: ଜଙ୍ଗଲ ଅଂଚଳର ଜବରଦଖଲ ମାମଲାରେ ଓଡ଼ିଶାର ସ୍ଥାନ ଦେଶରେ ଚତୁର୍ଥ। ଡେରାଡୁନ୍‌ସ୍ଥିତ ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ ଦ୍ୱାରା ପ୍ରକାଶିତ ଇଣ୍ଡିଆ ଷ୍ଟେଟ ଅଫ୍‌ ଫରେଷ୍ଟ ରିପୋର୍ଟ(ଆଇଏସ୍‌ଏଫ୍‌ଆର୍‌)-୨୦୧୫ରେ ଓଡ଼ିଶାରେ ୫୮ ହଜାର ୧୩୬ ବର୍ଗ କିମି ଜଙ୍ଗଲ ଜମି ରେକର୍ଡ କରାଯାଇଥିବା ବେଳେ ୭୮ ହଜାର ୫୦୫.୦୮ ହେକ୍ଟର ଅଞ୍ଚଳ ଜବରଦଖଲ ହୋଇଥିବା ଉଲ୍ଲେଖ ରହିଛି। ନିକଟରେ ଜଙ୍ଗଲ ଏରିଆ ଜବର ଦଖଲ ମାମଲାରେ ଦେଶର ସମସ୍ତ କେନ୍ଦ୍ର ଶାସିତ ଅଞ୍ଚଳ ଓ ରାଜ୍ୟମାନଙ୍କରୁ ସଂଗୃହୀତ ତଥ୍ୟରୁ ରିପୋର୍ଟ ପ୍ରସ୍ତୁତ କରାଯାଇ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଦ୍ୱାରା ରାଜ୍ୟସଭାରେ ଦାଖଲ କରାଯାଇଥିଲା। ରିପୋର୍ଟ ମୁତାବକ, ଦେଶର ୩୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ସମୁଦାୟ ୭ ଲକ୍ଷ ୬୪ ହଜାର ୫୪୪ ବର୍ଗ କିମି ଜଙ୍ଗଲ ଜମି ରେକର୍ଡ କରାଯାଇଥିଲା। ଏହାପରେ କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କରୁ ଜଙ୍ଗଲ ଜମି ଜବରଦଖଲ ମାମଲାରେ ତଥ୍ୟ ଲୋଡିଥିଲା। ରାଜ୍ୟମାନଙ୍କ ପାଖରୁ ଯେଉଁସବୁ ତଥ୍ୟ ହାସଲ ହୋଇଥିଲା ସେଥିରେ ସର୍ବାଧିକ ୫ ଲକ୍ଷ ୩୪ ହଜାର ୭୧୮.୨୮ ହେକ୍ଟର ମଧ୍ୟପ୍ରଦେଶରେ ଜବରଦଖଲ ହୋଇଥିବା ବେଳେ ଆସାମରେ ୩ ଲକ୍ଷ ୧୭ ହଜାର ୨୧୫.୩୪ ହେକ୍ଟର ଓ କର୍ଣ୍ଣାଟକରେ ୮୨ ହଜାର ୭୩୪.୮୧ ହେକ୍ଟର ଜବରଦଖ ହୋଇଥିବା ଜଣାପଡ଼ିଥିଲା। ମହାରାଷ୍ଟ୍ରରେ ୬୭ ହଜାର ୧୨.୫୬ ହେକ୍ଟର ଜଙ୍ଗଲ ଏରିଆର ଜବରଦଖଲ ହୋଇଥିବାର ରିପୋର୍ଟରେ ଉଲ୍ଲେଖ ରହିଛି। ୩୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୧୩ ଲକ୍ଷ ୬୧ ହଜାର ୨୪୫ ହେକ୍ଟର ଜଙ୍ଗଲ ଅଂଚଳ ଜବରଦଖଲ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

ସମ୍ବନ୍ଧିତ ଖବର