ନୂଆଦିଲ୍ଲୀ: ନକଲି କାଗଜପତ୍ର ଦର୍ଶାଇ ୟୁପିଏସସି ଦ୍ୱାରା ପରିଚାଳିତ ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ଚୟନ ହୋଇଛନ୍ତି ବୋଲି ଦାବି କରିଥିବା ଅଭିଯୋଗରେ କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍‌ସି) ସଂପୃକ୍ତ ଦୁଇ ଜଣ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ଏବଂ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି।

Advertisment

ଏହି ମାମଲା ଆୟାଶା ମକ୍ରାନି (ମଧ୍ୟପ୍ରଦେଶ) ଏବଂ ତୁଷାର (ବିହାର)ଙ୍କ ସହିତ ଜଡ଼ିତ। ଏହି ଦୁଇଜଣ କାଗଜପତ୍ର ଜାଲିଆତି କରି ଦାବି କରିଛନ୍ତି ଯେ ପ୍ରକୃତରେ ସୁପାରିଶ କରାଯାଇଥିବା ପ୍ରାର୍ଥୀଙ୍କ ଦୁଇଟି ରୋଲ୍‌ ନମ୍ବରକୁ ୨୦୨୨ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ପାଇଁ ଆୟୋଗ ସେମାନଙ୍କୁ ପ୍ରଦାନ କରିଛନ୍ତି।

publive-image ଆୟାଶା ମକ୍ରାନି

ତେବେ, ଉଭୟଙ୍କ ଦାବି ମିଥ୍ୟା ବୋଲି ଆୟୋଗ କହିଛନ୍ତି। ସେମାନେ ସେମାନଙ୍କ ଦାବିକୁ ଦୃଢ଼ କରିବା ପାଇଁ ସେମାନଙ୍କ ସପକ୍ଷରେ ନକଲି କାଗଜପତ୍ର ପ୍ରସ୍ତୁତ କରିଛନ୍ତି ବୋଲି ଶୁକ୍ରବାର ୟୁପିଏସ୍‌ସି ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ଏପରି କରି ଉଭୟ ଆୟାଶା ମକ୍ରାନୀ ଓ ତୁଷାର ଭାରତ ସରକାରଙ୍କ (କାର୍ମିକ ଓ ପ୍ରଶିକ୍ଷଣ ବିଭାଗ) ଦ୍ୱାରା ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ନିୟମ, ୨୦୨୨ର ବ୍ୟବସ୍ଥାକୁ ଉଲ୍ଲଂଘନ କରିଛନ୍ତି। ତେଣୁ ପରୀକ୍ଷା ନିୟମର ବ୍ୟବସ୍ଥା ଅନୁଯାୟୀ ୟୁପିଏସସି ଏହି ଦୁଇ ପ୍ରାର୍ଥୀଙ୍କ ବିରୋଧରେ ଉଭୟ ଅପରାଧିକ ଏବଂ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଚାର କରୁଛି।

ୟୁପିଏସସିର ବ୍ୟବସ୍ଥା ସୁଦୃଢ଼ ରହିବା ସହ ଏଭଳି ତ୍ରୁଟି ସମ୍ଭବ ନୁହେଁ। ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌), ଭାରତୀୟ ବୈଦେଶିକ ସେବା (ଆଇଏଫ୍‌ଏସ୍‌) ଏବଂ ଭାରତୀୟ ପୁଲିସ ସେବା (ଆଇପିଏସ୍‌)ର ଅଧିକାରୀ ଚୟନ ପାଇଁ ୟୁପିଏସସି ପ୍ରତିବର୍ଷ ତିନିଟି ପର୍ଯ୍ୟାୟରେ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଆୟୋଜନ କରିଥାଏ ବୋଲି ଆୟୋଗଙ୍କ ପକ୍ଷରୁ କୁହାଯାଇଛି।