ଟୋଙ୍କ୍‌: କାହାକୁ ଦୋଷ ନ ଦେବାକୁ କି,  କାହା ଉପରେ ନ ରାଗିବାକୁ କଂଗ୍ରେସ ମୁଖ୍ୟ ମଲ୍ଲିାକର୍ଜୁନ ଖଡ୍‌ଗେ ଓ ଦଳର ନେତା ରାହୁଲ୍‌ ଗାନ୍ଧୀ ମତେ କହିଥିବାରୁ ମୁଁ ରାଜସ୍ଥାନର ଭବିଷ୍ୟତ ପ୍ରତି ଦୃଷ୍ଟି ଦେଉଛି ବୋଲି ବରିଷ୍ଠ ରାଜସ୍ଥାନୀ କଂଗ୍ରେସ ନେତା ସଚିନ ପାଇଲଟ୍‌ କହିଛନ୍ତି।

Advertisment

ଚଳିତ ନିର୍ବାଚନରେ ସେ ମୁଖ୍ୟମନ୍ତ୍ରୀ ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ବୋଲି ଯେଉଁ କଳ୍ପନାଜଳ୍ପନା ଚାଲିଛି ତାହାର ଅବସାନ ଘଟାଇ ସଚିନ କହିଛନ୍ତି, ରାଜସ୍ଥାନ ସରକାରର ନେତୃତ୍ବ କିଏ ନେବ, ସେକଥା ନିର୍ବାଚିତ ବିଧାୟକ ଓ କଂଗ୍ରେସ ହାଇକମାଣ୍ଡ ସ୍ଥିର କରିବେ।

publive-image Image Courtesy of NDTV

ସମ୍ପ୍ରତି ନିର୍ବାଚନ ପ୍ରଚାରରେ ଯାଇଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ସଚିନ୍‌ ପାଇଲଟ୍‌ ‘ଏନ୍‌ଡିଟିଭି’କୁ ଦେଇଥିବା ସାକ୍ଷାତ୍‌କାରରେ ଏକଥା କହିଛନ୍ତି।

କଂଗ୍ରେସ ଏକଜୁଟ ହୋଇ ରହିଛି କି, ବୋଲି ପଚରାଯିବାରୁ ପାଇଲଟ୍‌ କହିଲେ, କଂଗ୍ରେସ ସମ୍ପୂର୍ଣ୍ଣ ଏକଜୁଟ ହୋଇ ରହିଛି। ଗୋଷ୍ଠୀ, ଉତ୍ତେଜନା, ସଂଘର୍ଷ କେବଳ ‘ବିଜେପି’ରେ ରହିଛି। ଭୁଲ୍‌ ଭାବରେ ଟିକେଟ୍‌ ବଣ୍ଟନ କରାଯାଇଛି। ଏକଥା ମୁଁ କହୁନି, ଜଗତଯାକର ଲୋକେ କହୁଛନ୍ତି। କିନ୍ତୁ, କଂଗ୍ରେସରେ ଆମେ ଏକତ୍ର ବସି ଆଲୋଚନା କରୁଛୁ।

ନଭେମ୍ବର ୨୫ ତାରିଖରେ ରାଜସ୍ଥାନରେ ନିର୍ବାଚନ ହେବାକୁ ଥିବା ବେଳେ ସେ କହିଛନ୍ତି, କଂଗ୍ରେସ ମୁଖ୍ୟ ମଲ୍ଲିାକର୍ଜୁନ ଖଡ୍‌ଗେ ଓ ଦଳର ନେତା ରାହୁଲ୍‌ ଗାନ୍ଧୀ ମତେ କାହା ଉପରେ ନ ରାଗିବାକୁ କହିଥିବାରୁ ମୁଁ ଭବିଷ୍ୟତ ପ୍ରତି ଧ୍ୟାନ ଦେଉଛି। ରାଜସ୍ଥାନ ପାଇଁ ପାଞ୍ଚ ବର୍ଷିଆ ‘ରୋଡ୍‌ମ୍ୟାପ୍‌’ ଉପରେ ମୋର ଦୃଷ୍ଟି। ଆମେ ଏକତ୍ର ହୋଇ କଂଗ୍ରେସକୁ ଜିତାଇବୁ। ତ’ପରେ କ’ଣ କରାଯିବ ବିଧାୟକ ଓ ନେତୃତ୍ବ ସ୍ଥିର କରିବେ।