ନୂଆଦିଲ୍ଲୀ: ଓଡ଼ିଶା ଓ ଛତିଶଗଡ ମଧ୍ୟରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠନ କରାଯାଇଥିବା ଟ୍ରିବ୍ୟୁନାଲରେ ଗତ ୫ ମାସରୁ ଶୁଣାଣି ଠପ୍ ରହିଛି। ଗତ ମାର୍ଚ୍ଚ ୮ ତାରିଖରେ ଜଷ୍ଟିସ ଏ.ଏମ. ଖାନୱିଲକର ଭାରତର ଲୋକପାଳ ଦାୟିତ୍ବ ନେବା ପୂର୍ବରୁ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଏଥିସହିତ ଅନ୍ୟାଦେଶ ପର୍ଯ୍ୟନ୍ତ ଟ୍ରିବ୍ୟୁନାଲର ଶୁଣାଣିକୁ ସ୍ଥଗିତ ରଖାଯାଇଥିଲା ଇତିମଧ୍ୟରେ ଜଷ୍ଟିସ ଖାନୱିଲକରଙ୍କ ଇସ୍ତଫା ଦେବାର ୫ ମାସ ବିତିଯାଇଯାଇଥିଲେ ହେଁ କେନ୍ଦ୍ର ସରକାରଙ୍କ ନୂତନ ଅଧ୍ୟକ୍ଷଙ୍କ ନିଯୁକ୍ତି କରାନଯିବା ଏହି ଟ୍ରିବ୍ୟୁନାଲର ଭବିଷ୍ୟତ ନେଇ ପ୍ରଶ୍ନ ଉଠାଇଛି।
ପ୍ରଚଳିତ ବ୍ୟବସ୍ଥା ଅନୁସାରେ, ଟ୍ରିବ୍ୟୁନାଲର ନୂତନ ଅଧ୍ୟକ୍ଷ ନିଯୁକ୍ତି ପାଇଁ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ଜଣେ ସିଟିଂ ଜଜ୍ଙ୍କ ନାମ ସୁପାରିସ କରିବା ପାଇଁ ପତ୍ର ଲେଖିଥାନ୍ତି। ତଦନୁସାରେ ସରକାର ଅଧ୍ୟକ୍ଷଙ୍କ ନିଯୁକ୍ତି ସଂପର୍କିତ ଗେଜେଟ୍ ବିଜ୍ଞପ୍ତି ପ୍ରକାଶିତ କରିଥାନ୍ତି। ସୁଚନାଯୋଗ୍ୟ, ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ବର୍ତ୍ତମାନ ବିଚାରପତି ଡ. ରବିରଂଜନ ଓ ବିଚାରପତି ଇନ୍ଦରମିତ କୌର ସଦସ୍ୟ ଭାବେ ଅବସ୍ଥାପିତ ଅଛନ୍ତି। ଅନ୍ୟପକ୍ଷେ, ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ ମହାନଦୀ ଜଳ ବିବାଦ ମାମଲା ପରିଚାଳନା କରୁଥିବା ଓଡିଶାର ଆଇନଜୀବୀ ଟିମ୍ର ମଧ୍ୟ ପୁର୍ନଗଠନ ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ଟ୍ରିବ୍ୟୁନାଲରେ ଓଡ଼ିଶାର ଆଠଜଣିଆ ଆଇନଜୀବୀ ଟିମ୍ ନିୟୋଜିତ ରହିଛନ୍ତି। ସେହିଭଳି ଟ୍ରିବ୍ୟୁନାଲର ବୈଷୟିକ ଟିମ୍ର ମଧ୍ୟ ଅଦଳବଦଳ ସମ୍ଭାବନାକୁଏଡାଇ ଦିଆଯାଇନପାରେ।
ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ୨୦୧୮ ମସିହା ଅକ୍ଟୋବର ୧୩ରୁ ଶୁଣାଣି ଆରମ୍ଭ କରିଥିଲେ। ଫେବ୍ରୁଆରି ୨୦୨୪ ସୁଦ୍ଧା ଟ୍ରିବ୍ୟୁନାଲରେ ମୋଟ ୩୨ ଥର ଶୁଣାଣି ହୋଇଛି। ମାମଲାର ବିଚାର ପାଇଁ ଟ୍ରିବ୍ୟୁନାଲ ୪୬ଟି ପ୍ରସଙ୍ଗ ନିର୍ଧାରଣ କରିବା ସହିତ ମହାନଦୀ ଅବବାହିକାର କ୍ଷେତ୍ର ପରିଦର୍ଶନ କରିବା ପରେ ସାକ୍ଷ୍ୟ ଗ୍ରହଣ ଓ ସାକ୍ଷୀଙ୍କ ବୟାନ ରେକର୍ଡ କାର୍ଯ୍ୟ ଆରମ୍ଭ କରିଥିଲେ। ଓଡ଼ିଶାର ପ୍ରଥମ ସାକ୍ଷୀଙ୍କ ଜେରା ଶେଷ ହୋଇଛି। ହେଲେ ପରେ ଟ୍ରିବ୍ୟୁନାଲଙ୍କ ତତ୍କାଳୀନ ଅଧ୍ୟକ୍ଷଙ୍କ ଲୋକପାଳ ନିଯୁକ୍ତି ହିଁ ଟ୍ରିବ୍ୟୁନାଲର ଶୁଶାଣି ଉପରେ ସାମୟିକ ବ୍ରେକ ଲଗାଇଛି। ଟ୍ରିବ୍ୟୁନାଲ ଗଠନ ହେବାର ୬ ବର୍ଷ ପରେ ବିବାଦର ସମାଧାନ ନେଇ ଟ୍ରିବ୍ୟୁନାଲ କେନ୍ଦ୍ର ସରକାରଙ୍କୁ କୌଣସି ରିପୋର୍ଟ ଦାଖଲ କରିନାହାନ୍ତି। ଟ୍ରିବ୍ୟୁନାଲର ଅବଧି ଏପ୍ରିଲ ୧୩,୨୦୨୬ ପର୍ଯ୍ୟନ୍ତ ବୈଧ ଅଛି।