କୋଲକାତା: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଚାରବିମର୍ଶ ଶେଷ କଲାପରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର୍‌) ଆଜି ଅପରାହ୍ନରେ କୋଲକାତା ଗସ୍ତ କରି ସେଠାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ରାଜନୈତିକ ବିଚାରବିମର୍ଶ କରିଛନ୍ତି। ମମତାଙ୍କ ସହ ଦୀର୍ଘ ଆଲୋଚନା ଶେଷ କଲାପରେ କଲକୋତା ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କେସିଆର୍‌ କହିଛନ୍ତି ଯେ ତାଙ୍କର ଏକମାତ୍ର ଲକ୍ଷ୍ୟ ହେଉଛି, ଆଗାମୀ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଦେଶରେ ଏକ ଅଣ ବିଜେପି ଓ ଅଣ କଂଗ୍ରେସ ରାଜନୈତିକ ସାମ୍ମୁଖ୍ୟ ଗଠନ କରିବା।

Advertisment

ସଦ୍ୟସମାପ୍ତ ତେଲେଙ୍ଗାନା ରାଜ୍ୟ ବିଧାନସଭା ନିର୍ବାଚନରେ କେସିଆର୍‌ଙ୍କ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି (ଟିଆର୍‌ଏସ୍‌) ବିପୁଳ ସଫଳତା ପାଇବା ପରେ କେସିଆର୍‌ କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବେ ଅବସ୍ଥାପିତ ହୋଇଛନ୍ତି। ଦ୍ୱିତୀୟ ଥର ପାଇଁ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ କେସିଆର୍‌ ବର୍ତ୍ତମାନ ଆଗାମୀ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଦେଶରେ ଏକ ଅଣ ବିଜେପି ଓ ଅଣ କଂଗ୍ରେସ ରାଜନୈତିକ ସାମ୍ମୁଖ୍ୟ ଗଠନ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ଦେଶର ବିଭିନ୍ନ ରାଜ୍ୟରେ କ୍ଷମତାସୀନ ଥିବା ଆଞ୍ଚଳିକ ରାଜନୈତିକ ଦଳଗୁଡ଼ିକୁ ଧରି ଏହି ନୂତନ ରାଜନୈତିକ ସାମ୍ମୁଖ୍ୟ ଗଠନ କରିବା ଲକ୍ଷ୍ୟରେ ରହିଛନ୍ତି କେସିଆର। ସେଥିପାଇଁ ଗତ ରବିବାର ଠାରୁ ଓଡ଼ିଶା ଗସ୍ତରେ ଥିବା କେସିଆର୍‌ ଏସଂପର୍କରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି) ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ଏବାବଦରେ ବ୍ୟାପକ ବିଚାର ବିମର୍ଶ କରି ସାରିବା ପରେ ଆଜି ଅପରାହ୍ନରେ ଭୁବନେଶ୍ୱରରୁ କୋଲକାତା ଯାତ୍ରା କରି ସେଠାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ମମତା ବାନାର୍ଜୀଙ୍କୁ ସାକ୍ଷାତ କରିବା ସହ ତାଙ୍କ ଯୋଜନା ସଂପର୍କରେ ବିସ୍ତତ ଆଲୋଚନା କରିଛନ୍ତି।


ମମତାଙ୍କ ସହ ଦୀର୍ଘ ଆଲୋଚନା ଶେଷ କଲାପରେ କୋଲକୋତା ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କେସିଆର୍‌ କହିଛନ୍ତି ଯେ ତାଙ୍କର ଏକମାତ୍ର ଲକ୍ଷ୍ୟ ହେଉଛି, ଆଗାମୀ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଦେଶରେ ଏକ ଅଣ ବିଜେପି ଓ ଅଣ କଂଗ୍ରେସ ରାଜନୈତିକ ସାମ୍ମୁଖ୍ୟ ଗଠନ କରିବା। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀଙ୍କ ସହ ତାଙ୍କର ବିଚାର ବିମର୍ଶ ଫଳପ୍ରଦ ହୋଇଛି ଏବଂ ଆଗାମୀ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଦେଶର ବିଭିନ୍ନ ରାଜ୍ୟରେ କ୍ଷମତାସୀନ ଥିବା ଆଞ୍ଚଳିକ ରାଜନୈତିକ ଦଳଗୁଡ଼ିକୁ ଗୋଟିଏ ମଞ୍ଚରେ ଏକତ୍ରିତ କରି ଏହି ନୂତନ ରାଜନୈତିକ ସାମ୍ମୁଖ୍ୟ ଗଠନ କରିବାରେ ସେ ସଫଳ ହେବେ।