ନୂଆଦିଲ୍ଲୀ : କରୋନା ଓମିକ୍ରନ୍‌ ପ୍ରଜାତିର ଏକ ଉପପ୍ରଜାତି ସଂକ୍ରମଣ ବଢ଼ାଇପାରେ ବୋଲି ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ଓମିକ୍ରନ୍‌ର ଏକ ଉପପ୍ରଜାତି ବିକ୍ୟୁ.୧ ମଙ୍ଗଳବାର ଦିନ ମହାରାଷ୍ଟ୍ରରେ ଚିହ୍ନଟ ହୋଇଛି। ମହାରାଷ୍ଟ୍ରରେ ମଧ୍ୟ ଭାରତର ପ୍ରଥମ ଏକ୍ସବିବି ମାମଲା ଚିହ୍ନଟ ହୋଇଥିଲା। କରୋନା ସଂକ୍ରମଣ ଏବେ ନିୟନ୍ତ୍ରଣରେ ଥିଲେ ମଧ୍ୟ ନୂଆ ପ୍ରଜାତି ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ କରିବା ଆରମ୍ଭ କରିଛନ୍ତି। ଦିଲ୍ଲୀ ଏମ୍ସର ପୂର୍ବତନ ଡାକ୍ତର ରଣଦୀପ ଗୁଲେରିଆ ଆଜି ଏନେଇ ସତର୍କ କରାଇଛନ୍ତି।

Advertisment

ଡାକ୍ତର ଗୁଲେରିଆ କହିଛନ୍ତି, ନୂଆ ପ୍ରଜାତି ସଂକ୍ରମଣ ବଢ଼ାଇପାରେ। ତେଣୁ ଏଦିଗରେ ସତର୍କ ରହିବାକୁ ପଡ଼ିବ। ଡାକ୍ତର ଗୁଲେରିଆ କହିଛନ୍ତି, ଏବେ ପରିସ୍ଥିତି ଭିନ୍ନ ରହିଛି। ପୂର୍ବରୁ ଲୋକମାନେ ଟିକା ନେଇ ନଥିଲେ। କିନ୍ତୁ ଏବେ ଲୋକମାନେ ଟିକା ନେଇଛନ୍ତି ଏବଂ ଭାଇରସ ବିରୋଧରେ ଲଢ଼ିବାପାଇଁ ସେମାନଙ୍କ ରୋଗପ୍ରତିରୋଧକ ଶକ୍ତି ଅଛି। ମାସ୍କ ନିର୍ଦ୍ଦେଶାବଳି ବାଦ୍‌ ଗୁଲେରିଆ ବରିଷ୍ଠ ନାଗରିକଙ୍କୁ ଅନାବଶ୍ୟକ ଭାବେ ବାହାରକୁ ଯିବାପାଇଁ ମନା କରିଛନ୍ତି।

ଡାକ୍ତର ଗ‌ୁଲେରିଆ କହିଛନ୍ତି, ଯଦି ଭିଡ଼ ସ୍ଥାନକୁ ଯାଉଛନ୍ତି ତେବେ ମାସ୍କ ପିନ୍ଧିବାକୁ ହେବ। ବୟସ୍କ ଲୋକମାନେ ବାହାରକୁ ଯିବା ବନ୍ଦ କରିବା ଉଚିତ। କାରଣ ସଂକ୍ରମଣ ବଢ଼ିବା ସମ୍ଭାବନା ଅଛି। ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଗତକାଲି ଦେଶରେ କରୋନା ସ୍ଥିତି ସଂକ୍ରାନ୍ତରେ ଏକ ସମୀକ୍ଷା ବୈଠକ କରି ମାସ୍କ ପିନ୍ଧିବା ଜାରି ରହିବ ବୋଲି କହିଥିଲେ ।