ରାଷ୍ଟ୍ରପତି ପଦକ ପାଇଥିବା ପୂର୍ବତନ ସେନାଧିକାରୀ ବିଦେଶୀ ଘୋଷିତ

ଗୌହାଟୀ: ଆସାମରେ ଜଣେ ପୂର୍ବତନ ଭାରତୀୟ ସେନା ଅଧିକାରୀଙ୍କୁ ବିଦେଶୀ ନାଗରିକ ଘୋଷଣା କରାଯାଇ ଅଟକ ରଖାଯାଇଛି।  ଭାରତୀୟ ସେନାରେ ୩୦ ବର୍ଷ ଧରି ସେବା କରିବାପରେ ମହମ୍ମଦ ସନଉଲ୍ଲାହ ନିଜର ଉତ୍କୃଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ ମଧ୍ୟ ପାଇଥିଲେ । ମାତ୍ର ତାଙ୍କୁ ଭାରତୀୟ ନାଗରିକ ତାଲିକାରୁ ବାଦ ଦିଆଯାଇଥିବା ଜଣାଯାଇଛି।

କିନ୍ତୁ ଆସାମରେ ଭାରତୀୟ ନାଗରିକଙ୍କୁ ଚିହ୍ନଟ କରିବା ଲାଗି  ଗଠନ ହୋଇଥିବା ନ୍ୟାୟାଧିକରଣ ମହମ୍ମଦଙ୍କୁ ବିଦେଶୀ ନାଗରିକ ବୋଲି ଘୋଷଣା କରିଥିଲା | ଯାହାଫଳରେ ତାଙ୍କୁ ଓ ତାଙ୍କ ପରିବାରକୁ ଏବେ ନଜରବନ୍ଦୀ ଶିବିରରେ ରଖାଯାଇଛି | କାମରୂପ ଜିଲ୍ଲାର ବୋକୋ ଥାନା ଅନ୍ତର୍ଗତ କୋଲହିକସ ଗାଁରେ ଦୀର୍ଘ ବର୍ଷ ଧରି ରହି ଆସୁଥିବାବେଳେ ଏବେ ସୀମା ପୋଲିସରେ ଏସଆଇ ଭାବେ କାର୍ଯ୍ୟରତ ଅଛନ୍ତି | କିନ୍ତୁ ଦୁର୍ଭାଗ୍ୟର କଥା ବିଦେଶୀ ଚିହ୍ନଟ ନ୍ୟାୟାଧିକରଣ, କାମରୂପ ପକ୍ଷରୁ ତାଙ୍କୁ ବିଦେଶୀ ବୋଲି ଘୋଷିତ କରାଯାଇଛି |

କାମରୂପ ଜିଲ୍ଲାର ଅତିରିକ୍ତ ପୋଲିସ ଅଧିକାରୀ କହନ୍ତି ଯେ  ସନ୍ଦିଗ୍ଧ ମତଦାତା ତାଲିକାରେ ତାଙ୍କ ନାମ ଥିବାରୁ ମହମ୍ମଦଙ୍କୁ ନଜରବନ୍ଦି ଶିବିରକୁ ପଠାଯାଇଛି | ନିଜର ଭାରତୀୟ ନାଗରିକତା ପ୍ରମାଣ ପାଇଁ ସବୁ ଜରୁରୀ କାଗଜପତ୍ର ସହିତ ସେ ଗୌହାଟୀ ହାଇକୋର୍ଟରେ ଅପିଲ କରିବେ ବୋଲି ମହମ୍ମଦ କହିଛନ୍ତି |

ସମ୍ବନ୍ଧିତ ଖବର