ମାଙ୍ଗାଲୁରୁ: ବଜରଙ୍ଗ ଦଳର ପୂର୍ବତନ ସଦସ୍ୟ ସୁହାସ ସେଟ୍ଟୀଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୮ ଜଣଙ୍କୁ ମାଙ୍ଗାଲୁରୁ ପୁଲିସ ଗିରଫ କରିଛି। ୨୦୨୨ ଫଜିଲ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଥିବା ସେଟ୍ଟୀଙ୍କୁ ଗୁରୁବାର ରାତିରେ କିଛି ଅଜ୍ଞାତ ଦୁର୍ବୃତ୍ତ ହତ୍ୟା କରିଥିଲେ। ଏହି ଘଟଣା ଉପକୂଳବର୍ତ୍ତୀ ଜିଲ୍ଲା ଦକ୍ଷିଣ କନ୍ନଡରେ ତୀବ୍ର ଉତ୍ତେଜନା ସୃଷ୍ଟି କରିଛି। ଏହାର ଜବାବରେ କର୍ତ୍ତୃପକ୍ଷ କେତେକ କଟକଣା ଜାରି କରିଛନ୍ତି, ସର୍ବସାଧାରଣ ପରିବହନ ବନ୍ଦ କରିଛନ୍ତି ଏବଂ ଆଗକୁ ଉତ୍ତେଜନା ବୃଦ୍ଧିକୁ ରୋକିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛନ୍ତି। ଅଭିଯୁକ୍ତମାନେ ହେଲେ ଅବଦୁଲ ସଫୱାନ, ନିଆଜ, ମହମ୍ମଦ ଗୁଜାଭିଲ, କଲନ୍ଦର ଶାଫି, ଆଦିଲ ମେହେରୁଫ, ନାଗରାଜ, ମହମ୍ମଦ ରିଜୱାନ ଓ ରଞ୍ଜିତ।
ମାଙ୍ଗାଲୁରୁ ପୁଲିସ କମିସନର ଅନୁପମ ଅଗ୍ରଵାଲଙ୍କ କହିବା ଅନୁଯାୟୀ, ଏହି ହତ୍ୟାକାଣ୍ଡ ଏକ ପ୍ରତିଶୋଧମୂଳକ ମାମଲା। ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଆଦିଲ ମେହେରୁଫ ଫଜିଲଙ୍କ ସାନଭାଇ, ଯାହାଙ୍କୁ ସୁହାସ ସେଟ୍ଟୀ ହତ୍ୟା କରିଥିଲେ। ଆଦିଲ ସହ-ଅଭିଯୁକ୍ତ ଅବଦୁଲ ସଫୱାନ ସହ ମିଶି ସୁହାସଙ୍କୁ ମାରିବାକୁ ପୂର୍ବରୁ ଦୁଇଥର ବିଫଳ ଉଦ୍ୟମ କରିଥିଲେ। ତୃତୀୟ ପ୍ରୟାସରେ ସେମାନେ ୫ ଲକ୍ଷ ଟଙ୍କା ଦେବାକୁ ପ୍ରସ୍ତାବ ଦେଇ ଅନ୍ୟମାନଙ୍କ ସହାୟତାରେ ଆକ୍ରମଣ କରି ସଫଳ ହୋଇଥିବା ଅଭିଯୋଗ ହୋଇଛି। ହତ୍ୟାକାଣ୍ଡ ପରେ ଅଭିଯୁକ୍ତମାନେ ଏକ କାର୍ରେ ଫେରାର ହୋଇ ବାଜପେ ଓ ଉଡୁପି ମଧ୍ୟରେ ଥିବା ଏକ ସ୍ଥାନରେ ଲୁଚି ଯାଇଥିଲେ। ପରେ ସେମାନଙ୍କୁ ମାଙ୍ଗାଲୁରୁରୁ ଗିରଫ କରାଯାଇଥିଲା।
କର୍ଣ୍ଣାଟକ ଗୃହମନ୍ତ୍ରୀ ଜି ପରମେଶ୍ୱର ଶୁକ୍ରବାର ଦକ୍ଷିଣ କନ୍ନଡରେ ସୁହାସ ସେଟ୍ଟୀଙ୍କ ହତ୍ୟା ଏକ ସାମ୍ପ୍ରଦାୟିକ ହିଂସାକାଣ୍ଡ ବୋଲି ନିଶ୍ଚିତ କରିବା ପରେ ରାଜ୍ୟ ସରକାର ଏକ ସମର୍ପିତ ସାମ୍ପ୍ରଦାୟିକ ବିରୋଧୀ ଟାସ୍କ ଫୋର୍ସ ଗଠନ କରିବାକୁ ଘୋଷଣା କରିଛନ୍ତି। ୪୨ ବର୍ଷୀୟ ସେଟ୍ଟୀ କର୍ଣ୍ଣାଟକର ଉପକୂଳ ରାଜନୀତିରେ ଜଣେ ବିବାଦୀୟ ବ୍ୟକ୍ତିତ୍ୱ ଥିଲେ। ତାଙ୍କ ନାଁରେ ୫ଟି ଆପରାଧିକ ମାମଲା ରହିଛି। ହିନ୍ଦୁତ୍ବ ସଂଗଠନ, ବିଶେଷ କରି ବଜରଙ୍ଗ ଦଳ ସହ ତାଙ୍କର ଦୀର୍ଘଦିନର ସମ୍ପର୍କ ତାଙ୍କୁ ଅନେକ ସମୟରେ ରାଜନୈତିକ ଚର୍ଚ୍ଚାକୁ ଆଣିଥିଲା। ୨୦୨୨ ମସିହାରେ କଟିପଲ୍ଲା ମଙ୍ଗଳାପେଟର ୨୩ ବର୍ଷୀୟ ମୁସଲମାନ ଯୁବକ ମହମ୍ମଦ ଫଜିଲଙ୍କ ହତ୍ୟା ମାମଲାରେ ସେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଥିଲେ। ସୁଲିଆରେ ବିଜେପି ଯୁବ ନେତା ପ୍ରବୀଣ ନେତ୍ତାରୁଙ୍କ ହତ୍ୟାର ମାତ୍ର ଦୁଇ ଦିନ ପରେ ଫଜିଲଙ୍କ ହତ୍ୟା ଘଟଣା ଘଟିଥିଲା ଏବଂ ଏହା ଏକ ପ୍ରତିଶୋଧମୂଳକ କାର୍ଯ୍ୟ ଭାବରେ ବିବେଚନା କରାଯାଉଥିଲା ଯାହା କର୍ଣ୍ଣାଟକର ଉପକୂଳବର୍ତ୍ତୀ ଅଞ୍ଚଳରେ ସାମ୍ପ୍ରଦାୟିକ ଉତ୍ତେଜନାକୁ ଯଥେଷ୍ଟ ବୃଦ୍ଧି କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/05/04/r4mN3rKpXciKTvx2wggu.jpg)