ନନ୍ ଦୁଷ୍କର୍ମ ମାମଲାରେ ଗିରଫ ବିସପଙ୍କୁ ୨ ଦିନ ଲାଗି ରିମାଣ୍ଡରେ ନେଲା କେରଳ ପୁଲିସ୍

ଥିରୁବନନ୍ତପୁରମ୍ : କେରଳ ନନ୍ ଦୁଷ୍କର୍ମ ମାମଲାରେ ଗତକାଲି ବିସପ୍ ଫ୍ରାଙ୍କୋ ମୁଲାକ୍କାଲଙ୍କୁ ଗିରଫ କରିବା ପରେ ପୁଲିସ ପକ୍ଷରୁ ଶନିବାର ତାଙ୍କୁ ଅଦାଲତରେ ପେସ କରାଯାଇଥିଲା। ପୁଲିସ ପକ୍ଷରୁ ୩ ଦିନ ରିମାଣ୍ଡରେ ନେବା ଲାଗି ଅଦାଲତରେ ଆବେଦନ କରାଯାଇଥିଲା ବେଳେ ବିସପଙ୍କ ଓକିଲ ଏହାର ବିରୋଧ କରିଥିଲେ। ସେ ଯୁକ୍ତି ବଢ଼େି ଥିଲେ କି ଜଳନ୍ଧରରେ ୮ ଘଣ୍ଟା ଓ କୋଚିରେ ଲଗାତାର ୩ ଦିନ ପୁଲିସ ବିସପଙ୍କୁ ଜେରା କରିସାରିଛି। ତେଣୁ ରିମାଣ୍ଡରେ ନେବାର କୌଣସି ଆବଶ୍ୟକତା ନାହିଁ। ଏଣୁ ବିସପଙ୍କୁ ଜାମିନ ଦିଆଯିବା ଦରକାର। ମାତ୍ର ଅଦାଲତ ଜାମିନ ଆବେଦନ ଖାରଜ କରିବା ସହ ୨ ଦିନ ଲାଗି ପୁଲିସ ରିମାଣ୍ଡରେ ରହିବା ଲାଗି ରାୟ ଦେଇଥିଲେ। ଶୁକ୍ରବାର ଅପରାହ୍ନରେ କୋଚିରେ ବିସପଙ୍କୁ ଗିରଫ କରାଯାଇଥିଲା । ବିସପ୍ ମୁଲାକ୍କାଲ୍ ପ୍ରଥମ ଭାରତୀୟ କ୍ୟାଥୋଲିକ୍ ବିସପ୍ ଭାବେ ଦୁଷ୍କର୍ମ ମାମଲାରେ ଗିରଫ ହୋଇଛନ୍ତି। ବିସପଙ୍କୁ ଗିରଫ କରିବା ପୂର୍ବରୁ ମଧ୍ୟ ପୁଲିସ ନନଙ୍କ ସଦ୍ୟ ବୟାନ ରେକର୍ଡ କରିଛି।

ବିସପ୍ ଫ୍ରାଙ୍କୋ ମୁଲାକ୍କାଲ୍ ଉକ୍ତ ୪୩ ବର୍ଷୀୟା ନନଙ୍କୁ ୨୦୧୪ରୁ ୨୦୧୬ ମସିହା ମଧ୍ୟରେ ୧୩ ଥର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ବିସପ୍ ନିଜକୁ ନିର୍ଦ୍ଦୋଷ ଦର୍ଶାଇ ପୁଲିସ ପାଖରେ ସଫେଇ ଦେଇଥିଲେ ମଧ୍ୟ ସେ ଅନେକ ମିଛ କହିଥିବା ତଦନ୍ତରୁ ଧରାପଡ଼ିଥିଲା। ନନଙ୍କୁ ମେ’ ୫, ୨୦୧୪ ମସିହାରେ କୁରାଭିଲଙ୍ଗଡ଼୍ କନଭେଣ୍ଟରେ ଦୁଷ୍କର୍ମ ଅଭିଯୋଗ ହୋଇଥିଲା। କିନ୍ତୁ ବିସପ୍ କହିଥଲେ ସେ ସେଦିନ କନଭେଣ୍ଟରେ ଅନୁପସ୍ଥିତ ଥିଲେ। ହେଲେ କନଭେଣ୍ଟ୍ ରେଜିଷ୍ଟରରୁ ସ୍ପଷ୍ଟ ହୋଇଥିଲା ଯେ ବିସପ୍ ସେଦିନ କନଭେଣ୍ଟରେ ଥିଲେ। ବିସପ୍ ନିଜକୁ ନିର୍ଦ୍ଦୋଷ ପ୍ରତିପାଦିତ କରିବାପାଇଁ ପୁଲିସକୁ ଅନେକ ମିଛ କହିଥିବା ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ ଦୁଷ୍କର୍ମ ମାମଲାରେ ବିସପଙ୍କୁ  ବିରୋଧରେ ଗତ ଜୁନ୍ ୨୭ ତାରିଖରେ ପୀଡ଼ିତା ନନ୍ ପୁଲିସରେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ କାର୍ଯ୍ୟାନୁଷ୍ଠାନ ନହେବାରୁ ଗତ ସେପ୍ଟେମ୍ବର ୮ ତାରିଖରେ ନନ୍ ନ୍ୟାୟ ଦାବି କରି ବିସପଙ୍କୁ ବିରୋଧରେ ଆନ୍ଦୋଳନ କରିଥିଲେ।

ସମ୍ବନ୍ଧିତ ଖବର