କୋଲକାତା : ଭାଗ୍ୟ କେତେବେଳେ କାହାକୁ ନେଇ କେଉଁଠି ପହଞ୍ଚାଇ ଦେବ ତାହା କହିବା ମୁସ୍କିଲ। ଇଂରାଜୀ ଏବଂ ପ୍ରାଣୀବିଜ୍ଞାନରେ ପିଏଚ୍ଡି କରିଥିଲେ ମଧ୍ୟ ଫୁଟ୍ପାଥ୍ରେ ଜୀବନ ବିତାଉଛନ୍ତି ଜଣେ ସଫଳ ଶିକ୍ଷୟିତ୍ରୀ । ସହରର ବିଭିନ୍ନ ଫୁଟ୍ପାଥ୍ ହିଁ ତାଙ୍କ ପାଇଁ ପାଲଟିଛି ବାସସ୍ଥଳୀ। ଏହି ଶିକ୍ଷୟିତ୍ରୀଙ୍କ ଦୟନୀୟ ଅବସ୍ଥା ଆଖିରେ ନ ଦେଖିଲେ ବିଶ୍ବାସ କରି ହେବନାହିଁ। ସେ ହେଉଛନ୍ତି ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଶାଳୀ ଈରା ବସୁ। ଈରା ବୁଦ୍ଧଦେବଙ୍କ ପତ୍ନୀ ମୀରା ବସୁଙ୍କ ଭଉଣୀ। ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ଥିବା ପ୍ରିୟନାଥ ବାଳିକା ଉଚ୍ଚ ବିଦ୍ୟାଳୟର ପୂର୍ବତନ ଶିକ୍ଷୟିତ୍ରୀ ଈରା ବସୁ ଡନ୍ଲପ ଅଞ୍ଚଳରେ ଥିବା ଫୁଟ୍ପାଥ୍ରେ ରହୁଛନ୍ତି। ହେଲେ ତାଙ୍କ ଭିଆଇପି ପରିଚୟ ବିଳମ୍ବରେ ଜଣାପଡ଼ିଛି। ତାଙ୍କର କିଛି ପୂର୍ବତନ ସହଯୋଗୀ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କର ସମ୍ପର୍କକୁ ଜାଣିଥିଲେ।
ଈରା ୧୯୭୬ ମସିହାରେ ପ୍ରିୟନାଥ ବାଳିକା ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ ଯୋଗ ଦେଇଥିଲେ। ସେଠାରେ ୩୪ ବର୍ଷ ଶିକ୍ଷକତା କରିବା ପରେ ୨୦୦୯ ମସିହା ଜୁନ୍ ୨୮ ତାରିଖରେ ସେ ଚାକିରିରୁ ଅବସର ନେଇଥିଲେ। ଅବସର ପରେ ସେ ବାରାନଗରରେ ରହୁଥିଲେ। ପରେ ଖଡ଼ଦହ ଚାଲି ଯାଇଥିଲେ। ପରବର୍ତ୍ତୀ ସମୟରେ ଆଶ୍ଚର୍ଯ୍ୟଜନକ ଭାବେ ସେ ସେଠାରୁ କେଉଁଆଡ଼େ ଯାଇଥିଲେ ତାହା କାହାରିକୁ ଜଣା ନଥିଲା। କିଛିଦିନ ପରେ ଡନ୍ଲପ ଅଞ୍ଚଳରେ ତାଙ୍କୁ ଦେଖିବାକୁ ମିଳିଥିଲା। ଗତ ୫ ତାରିଖ ଗୁରୁ ଦିବସ ଅବସରରେ ଡନ୍ଲପ ଅଞ୍ଚଳରେ ଥିବା ‘ଆର୍ଟିଜୋନ୍’ ସଂସ୍ଥା ପକ୍ଷରୁ ସମ୍ମାନିତ କରାଯାଇଥିଲା। ତାଙ୍କୁ ମିଠା ଖାଇବାକୁ ଦିଆଯାଇଥିଲା। ତା’ପରେ ସେ ତାଙ୍କ ଅତୀତର କାହାଣୀ କହିଥିଲେ। ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ପରିବାର ସହ ସମ୍ପର୍କକୁ ନେଇ ଈରା କହିଥିଲେ, ଭିଆଇପିମାନଙ୍କ ସହ ରହିବାକୁ ସେ ଚାହାନ୍ତି ନାହିଁ। ସାଧାରଣ ଜୀବନ ଜିଇଁବାରେ ତାଙ୍କୁ ଆନନ୍ଦ ମିଳେ। ସେମାନଙ୍କ ସହ ସମ୍ପର୍କ ରଖି କିଛି ଲାଭ ନାହିଁ। ଜଣେ ଶିକ୍ଷକ ଭାବେ ଗୁରୁଦିବସ ଅବସରରେ ସେ କହିଥିଲେ, କୋଭିଡ୍-୧୯ ମହାମାରୀର ସ୍ଥିତିକୁ ନେଇ ହେଉଥିବା ଅନ୍ଲାଇନ୍ କ୍ଲାସ୍ର ସେ ଘୋର ବିରୋଧୀ। କାରଣ ଅନ୍ଲାଇନ୍ କ୍ଲାସ୍ରୁ ପିଲାମାନେ କିଛି ଶିକ୍ଷା ଆହରଣ କରନ୍ତି ନାହିଁ। ତେଣୁ ଅନ୍ଲାଇନ୍ ପାଠପଢ଼ାକୁ ସେ ସମର୍ଥନ କରନ୍ତି ନାହିଁ। ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବାପରେ ସେ ଚର୍ଚ୍ଚାକୁ ଆସିଥିଲେ।
ପ୍ରିୟନାଥ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କୃଷ୍ଣାକଳୀ ଚନ୍ଦା କହିଛନ୍ତି, ଈରା ବସୁ ଅବସର ନେବା ପରେ ତାଙ୍କର ପେନ୍ସନ୍ ପାଇଁ ସମସ୍ତ କାଗଜପତ୍ର ଜମା କରିବାକୁ କୁହାଯାଇଥିଲା। ହେଲେ ସେ କାଗଜପତ୍ର ଜମା ନକରି କେଉଁଆଡ଼େ ନିଖୋଜ ହୋଇ ଯାଇଥିଲେ। ସେଥିପାଇଁ ତାଙ୍କୁ ପେନ୍ସନ୍ ମିଳୁନାହିଁ। ରାଙ୍କ ସ୍ବାସ୍ଥ୍ୟ ଖରାପ ଥିବା କଥା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପ୍ରଶାସନ ପକ୍ଷରୁ ଚିକିତ୍ସା ସହାୟତା ଦିଆଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/ira-bose.jpeg)