କଂଗ୍ରେସର ପତନ ବାବଦରେ ଗବେଷଣା କରି ଡକ୍ଟରେଟ ଡିଗ୍ରୀ ହାସଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ରାଜନୀତି ବିଜ୍ଞାନରେ ପିଏଚଡି ଶେଷ କରିଛନ୍ତି। ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ସେ ଡକ୍ଟରେଟ୍ ଡିଗ୍ରୀ ହାସଲ କରିଛନ୍ତି। ତେବେ ପିଏଚଡି ପାଇଁ ବାଛିଥିବା ବିଷୟ ବାବଦରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ | କାରଣ ତାଙ୍କ ବିଷୟ କିଛି ଏମିତି ରହିଛି ଯେ ଯାହାକୁ ଶୁଣି କଂଗ୍ରେସର ବରିଷ୍ଠ ନେତାମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି | ଚାନ୍ନିଙ୍କ ରିସର୍ଚ୍ଚ ପ୍ରସଙ୍ଗ ଥିଲା ‘କଂଗ୍ରେସର ପତନର କାରଣ’। କଂଗ୍ରେସ କିଭଳି ପତନ ଆଡକୁ ଆଗେଇଲା ସେନେଇ ସେ ଗବେଷଣା କରିଛନ୍ତି ଓ ଏଥିରେ ସେ ଏଭଳି କିଛି ଅନାଲୋଚିତ କଥା ଉଲ୍ଲେଖ କରିଛନ୍ତି ଯାହାକୁ ନେଇ କଂଗ୍ରେସ ଶିବିରରେ ଭୂକମ୍ପ ଦେଖାଦେଇଛି | ସେ ତାଙ୍କ ଥେସିସ ବା ଗବେଷଣା ପତ୍ରରେ ଦର୍ଶାଇଛନ୍ତି ଯେ କିଛି ନେତାଙ୍କ ଚାଟୁକାରିତା ହିଁ କଂଗ୍ରେସର ପତନର ମୁଖ୍ୟ କାରଣ ସାଜିଛି | ସେ ନିଜ ରିସର୍ଚ୍ଚରେ କହିଛନ୍ତି ଯେ କଂଗ୍ରେସକୁ ପତନରୁ ରକ୍ଷା କରିବା ପାଇଁ ଗାନ୍ଧୀ ପରିବାର ସଂଗ୍ରାମ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ କିଛି ନେତାଙ୍କ କାରଣରୁ ଦଳର ବିଶ୍ୱସ୍ତ କର୍ମୀଙ୍କ ମନୋବଳ ହ୍ରାସ ପାଉଛି। ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଏହି ଅନୁସନ୍ଧାନରେ ପ୍ରଫେସର ଡ଼. ଇମାନୁଏଲ୍ ନାହର ମାର୍ଗଦର୍ଶନ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ଏହି ଅନୁସନ୍ଧାନ ୨୦୦୪ ଲୋକସଭା ନିର୍ବାଚନ ପରଠାରୁ କଂଗ୍ରେସର ରଣନୀତି ଉପରେ ଆଧାରିତ।

ଥେସିସରେ ସେ ଉଲ୍ଲେଖ କରିଛନ୍ତି ଯେ ପଞ୍ଜାବରେ କଂଗ୍ରେସ ଶାସନ କାଳରେ କ୍ୟାପଟେନ ଅମରିନ୍ଦର ସିଂ, ସିଦ୍ଧୁ ଏବଂ ସୁନୀଲ ଜାଖରଙ୍କ ମଧ୍ୟରେ କଳହ ଲାଗିଥିବାବେଳେ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଏବଂ ସଚିନ ପାଇଲଟଙ୍କ ମଧ୍ୟରେ କଳହ ଲାଗି ରହିଛି । କଂଗ୍ରେସ ନେତା ଚନ୍ନି ମଧ୍ୟ ମଧ୍ୟପ୍ରଦେଶର ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ କମଲ ନାଥ ମଧ୍ୟରେ ଥିବା କଳହ ବିଷୟରେ ଉଲ୍ଲେଖ କରିଛନ୍ତି। ଛତିଶଗଡରେ ଏବଂ କର୍ଣ୍ଣାଟକରେ କଂଗ୍ରେସ ସରକାରର ପତନରୁ ଆରମ୍ଭ କରି ଜି -୨୩ ଗୋଷ୍ଠୀ ବିଷୟରେ ମଧ୍ୟ ସେ ଲେଖିଛନ୍ତି | ରିସର୍ଚ୍ଚ ଥେସିସରେ ୨୦୦୯ରେ ୟୁପିଏର ବିଜୟର କାରଣ ବର୍ଣ୍ଣନା କରି ଏହା ମଧ୍ୟ କୁହାଯାଇଛି ଯେ ମନରେଗା, ଆର୍ଟିଆଇ ଏବଂ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମ ଯୋଗୁଁ କଂଗ୍ରେସ କ୍ଷମତାକୁ ଆସିଥିଲା । ୨୦୧୧ରେ, ଆନ୍ନାଙ୍କ ଆନ୍ଦୋଳନ ଏବଂ କେଜ୍ରିୱାଲଙ୍କ ପରି ଲୋକମାନେ କଂଗ୍ରେସକୁ ଅନେକ କ୍ଷତି କରିବା ଆରମ୍ଭ କରିଥିଲେ। ୨ଜି ସ୍ପେକ୍ଟ୍ରମ, ଆଦର୍ଶ ସୋସାଇଟି ସ୍କାମ ଭଳି ପ୍ରସଙ୍ଗ ମଧ୍ୟ ଦଳର ଭାବମୂର୍ତ୍ତିକୁ ନଷ୍ଟ କରିଦେଇଛି | ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ନି ତାଙ୍କ ଅନୁସନ୍ଧାନରେ କହିଛନ୍ତି ଯେ ସୋନିଆ ଗାନ୍ଧୀଙ୍କ ଧ୍ୟାନ ଦଳର ବରିଷ୍ଠ ନେତାଙ୍କ ଉପରେ ରହିଥିଲାବେଳେ ରାହୁଲ ଗାନ୍ଧୀ କେବଳ ଯୁବକମାନଙ୍କ ମଧ୍ୟରେ ସୀମିତ ରହିଥିଲେ। । ଏନଡିଏ କ୍ଷମତାକୁ ଆସିବାର କାରଣ ବର୍ଣ୍ଣନା କରି ଚନ୍ନି କହିଛନ୍ତି ଯେ ୨୦୧୪ରେ ବିଜେପିର ନିର୍ବାଚନ ପ୍ରଚାର ଅଭିଯାନ ଆକ୍ରମଣାତ୍ମକ ଥିଲା। ପ୍ରଧାନମନ୍ତ୍ରୀ ମୋଦୀ ବିଜେପିର ଚେହେରା ଥିବାବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ତାଙ୍କ ପ୍ରଶ୍ନର ଉତ୍ତର ଦେଇପାରିନଥିଲେ। କଂଗ୍ରେସକୁ ପୁଣିଥରେ ଫେରିବାକୁ ହେଲେ ସଂଗଠନକୁ ମଜବୁତ କରିବାକୁ ପଡ଼ିବ ବୋଲି ଚନ୍ନି ତାଙ୍କ ପରାମର୍ଶରେ କହିଛନ୍ତି।

ସମ୍ବନ୍ଧିତ ଖବର