ଗିରଫ ହେଲେ ପୁଲିସ ପ୍ରତି ଦୁର୍ବ୍ୟବହାର ଓ ଆକ୍ରମଣ କରିଥିବା ପୂର୍ବତନ କଂଗ୍ରେସ ବିଧାୟକ ଆସିଫ୍‌ ଖାଁ

ନୂଆଦିଲ୍ଲୀ: ପୁଲିସ ପ୍ରତି ଦୁର୍ବ୍ୟବହାର ଓ ଆକ୍ରମଣ କରିଥିବା ପୂର୍ବତନ କଂଗ୍ରେସ ବିଧାୟକ ଆସିଫ୍‌ ମହମ୍ମଦ୍‌ ଖାଁଙ୍କୁ ଗିରଫ କରାଯାଇଛି।

ପୁଲିସ କହିବା ଅନୁସାରେ, ରାଜ୍ୟ ନିର୍ବାଚନ କମିସନ୍‌ଙ୍କ ବିନା ଅନୁମତିରେ କାହିଁକି ସମାବେଶ କରୁଛନ୍ତି ବୋଲି ପଚାରିବାରୁ ପୂର୍ବତନ ବିଧାୟକ ଖାଁ ଶାହୀନ୍‌ ବାଗ୍‌ ଅଞ୍ଚଳରେ ଜଣେ ପୁଲିସ ଅଧିକାରୀଙ୍କୁ ଗାଳି ଦେଇଥିଲେ।

ଶୁକ୍ରବାର ଦିନ କଂଗ୍ରେସ ‘ଏମ୍‌ସିଡି’ କାଉନ୍‌ସିଲର୍‌ ପ୍ରାର୍ଥୀ ଆରିବ୍‌ ଖାଁଙ୍କ ପିତା ଅଭିଯୁକ୍ତ ଆସିଫ୍‌ ମହମ୍ମଦ୍‌ ଖାଁ ତୈୟାବ୍‌ ମସ୍‌ଜିଦ୍‌ ସମ୍ମୁଖରେ ୨୦/୩୦ଜଣ ସମର୍ଥକଙ୍କୁ ସମବେତ କରି ‘ଲାଉଡ୍‌ ହେଲର୍‌’ ଯୋଗେ ଉଦ୍‌ବୋଧନ ଦେଉଥିଲେ। ଉକ୍ତ ସମାବେଶ ସେ ଅଞ୍ଚଳରେ ପାଟ୍ରୋଲିଙ୍ଗ୍‌ କରୁଥିବା ପୁଲିସ କନେଷ୍ଟବଳଙ୍କ ଦୃଷ୍ଟିଗୋଚର ହୋଇଥିଲା ବୋଲି ଦିଲ୍ଲୀ ପୁଲିସ କହିଛି।

Image Courtesy of OPIndia

ଏ ସଂକ୍ରାନ୍ତରେ ସୂଚନା ପାଇ ସବ୍‌-ଇନ୍‌ସ୍ପେକ୍ଟର୍‌ ଅକ୍ଷୟ ଯାଇ ତାଙ୍କୁ ପଚରିଥିଲେ , ସଭା କରିବା ପାଇଁ ସେ ଅନୁମତି ପାଇଛନ୍ତି କି, ନାହିଁ। ଏଥିରେ ଖାଁ ରାଗିଯାଇ ତାଙ୍କୁ ଗାଳି ଦେଇଥିଲେ ବୋଲି ଦକ୍ଷିଣପୂର୍ବ ଡେପୁଟି କମିସନର୍‌ ଈଶା ପାଣ୍ଡେ କହିଛନ୍ତି।

ଅଭିଯୁକ୍ତଙ୍କ ନାଁରେ ଶାହୀନ୍‌ ବାଗ ଥାନାରେ ମାମଲା ରୁଜୁ କରାଯାଇଛି। ଗିରଫ ଅଭିଯୁକ୍ତ ଖାଁଙ୍କ ବ୍ୟତୀତ ମିଞ୍ଝାଜ୍‌ ଏବଂ ସାବିର୍‌ ନାମରେ ଆଉ ଦୁଇଜଣଙ୍କୁ ବି ଅଟକ ରଖାଯାଇଛି। ଏହି ମାମଲାରେ ସେମାନଙ୍କର ଭୂମିକା ବିଷୟ ଯାଞ୍ଚ କରାଯାଉଛି ବୋଲି ପୁଲିସ କହିଛି।

ଏ ସଂକ୍ରାନ୍ତରେ ଅଭିଯୁକ୍ତ ଖାଁ କହିଛନ୍ତି ଯେ, ଦିଲ୍ଲୀ ପୌର ନିର୍ବାଚନରେ ଭୋଟ୍‌ ଖରିଦ୍‌ କରିବା ଲାଗି ‘ଆପ୍‌’ ପ୍ରାର୍ଥୀ ଟଙ୍କା ବାଣ୍ଟିଥିବା କଥା ଜାଣିବା ପରେ ସେ ମସ୍‌ଜିଦ୍‌କୁ ଆସିଥିଲେ। ଏହାକୁ ବିରୋଧ କରି କହିବାରୁ ପୁଲିସ ବାଧା ଦେଇଥିଲା।

ସମ୍ବନ୍ଧିତ ଖବର