ବାୟୁସେନା ଅଫିସର୍ସ ମେସ୍‌ରୁ ଗୋପନୀୟ ଫାଇଲ୍‌ ଚୋରି କରିବା ଅଭିଯୋଗରେ ପୂର୍ବତନ ରୋଷେୟା ଗିରଫ

ଗୋରଖପୁର (ଉତ୍ତରପ୍ରଦେଶ): ଭାରତୀୟ ବାୟୁସେନାର ଗୋରଖପୁର ସ୍ଥିତ ଅଫିସର୍ସ ମେସ୍‌ରେ ରୋଷେୟା ଭାବେ କାମ କରୁଥିବା ପୂର୍ବତନ ରୋଷେୟା ଶକ୍ତିକାନ୍ତ ଝାକୁ ଭାରତୀୟ ବାୟୁସେନାର ଗୁପ୍ତତଥ୍ୟ ଚୋରି କରିବା ଅଭିଯୋଗରେ ଗିରଫ କରାଯାଇଛି। ତେବେ, ସୌଭାଗ୍ୟକୁ ସେ ଚୋରି କରିଥିବା ଗୁପ୍ତତଥ୍ୟକୁ ସେ ଶତ୍ରୁପକ୍ଷର କୌଣସି ଲୋକକୁ ହସ୍ତାନ୍ତର କରିବା ପୂର୍ବରୁ ସେ ସମସ୍ତ ଗୁପ୍ତତଥ୍ୟକୁ ତା’ ନିକଟରୁ ଜବତ କରାଯାଇଛି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଅଫିସର୍ସ ମେସ୍‌ରେ ରୋଷେୟା ଭାବେ କାମ କରୁଥିବା ସମୟରେ ଶକ୍ତିକାନ୍ତର କାର୍ଯ୍ୟକଳାପ ଓ ଗତିବିଧି ସନ୍ଦେହଜନକ ହେବାରୁ ତାକୁ କାର୍ଯ୍ୟରୁ ନିଲମ୍ବିତ କରା ଯାଇଥିଲା। ତେବେ, ଶକ୍ତିକାନ୍ତ ଅଫିସର୍ସ ମେସ୍‌ ଛାଡ଼ି ଯିବାପରେ ଅଫିସର୍ସ ମେସ୍‌ରୁ କେତେକ ଗୁରୁତ୍ୱପୂର୍ଣ୍ଣ ଓ ଗୋପନୀୟ ଫାଇଲ୍‌ ନିଖୋଜ ହୋଇଯାଇଥିବା ଜଣାପଡ଼ିଥିଲା। ଏହି ଘଟଣାରେ ଶକ୍ତିକାନ୍ତ ଉପରେ ସନ୍ଦେହ ପ୍ରକାଶ କରି ଗୁଇନ୍ଦା ବିଭାଗ ପକ୍ଷରୁ ଶକ୍ତିକାନ୍ତ ଘର ଉପରେ ଚଢ଼ାଉ କରାଯାଇ ତଲାସୀ ନେବାବେଳେ ଅଫିସର୍ସ ମେସ୍‌ରୁ ନିଖୋଜ ହୋଇଥିବା ସମସ୍ତ ଫାଇଲ ତା’ ଘର ମଧ୍ୟରୁ ମିଲିଥିଲା। ଏହାପରେ ଏବେ ଶକ୍ତିକାନ୍ତକୁ ଗିରଫ କରାଯିବା ସହ ତାକୁ ଅଧିକ ଜେରା କରାଯାଉଛି। ଶକ୍ତିକାନ୍ତର ଘର ବିହାରର ବାଙ୍କା ଜିଲ୍ଲାରେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର