ପୂର୍ବତନ କାଉନସିଲର ଓ ତାଙ୍କ ଭାଇଙ୍କୁ ଗୁଳି କରି ହତ୍ୟା

ଗୁରୁଗ୍ରାମ : ଶୁକ୍ରବାର ସକାଳେ ଜଣେ ପୂର୍ବତନ କାଉନସିଲର ଏବଂ ତାଙ୍କ ବଡ଼ ଭାଇଙ୍କୁ ଗୁଳି କରି ହତ୍ୟା କରାଯାଇଛି। ପାଟାଉଡି ବ୍ଲକର ଖୋଦ୍ ଗାଁର ବାସିନ୍ଦା ପରମଜିତ ସିଂ ଠାକୁରାନ୍‌ (୩୬) ଏବଂ ତାଙ୍କ ବଡ଼ ଭାଇ ସୁରଜିତ ସିଂ ଠାକୁରାନ୍‌ (୩୯) ମଦ ବ୍ୟବସାୟ କରନ୍ତି। ଆକ୍ରମଣକାରୀମାନେ ସେମାନଙ୍କୁ ତାଙ୍କ ଘର ନିକଟରେ ପ୍ରାୟ ୩୦ ରାଉଣ୍ଡ ଗୁଳି କରିଥିଲେ। ଗୁରୁତର ଆହତ ଅବସ୍ଥାରେ ଦୁହିଁଙ୍କୁ ଗୁରୁଗ୍ରାମର ମେଦାନ୍ତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇବାରୁ ବିଶାଳ ପୁଲିସ ବାହିନୀ ମୁତୟନ କରାଯାଇଛି।

ପୁଲିସ ସୂତ୍ରରୁ ଜଣାପଡ଼ିଛି, ପୂର୍ବାହ୍ନ ପ୍ରାୟ ୯.୨୦ ସମୟରେ ପୂର୍ବତନ କାଉନସିଲର ପରମଜିତ୍ ତାଙ୍କ ଘର ବାହାରେ ଏକ ଫୋନ୍ କଲରେ ବ୍ୟସ୍ତ ଥିବାବେଳେ ପାଞ୍ଚଜଣ ସଶସ୍ତ୍ର ଆକ୍ରମଣକାରୀ ଦୁଇଟି ବାଇକ୍‌ରେ ଆସି ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ୨୦୦ ମିଟର ଦୂରରେ ଛିଡ଼ା ହୋଇଥିବା ତାଙ୍କ ଭାଇ ସୁରଜିତଙ୍କୁ ମଧ୍ୟ ଆକ୍ରମଣକାରୀମାନେ ଟାର୍ଗେଟ କରିଥିଲେ। ପ୍ରାୟ ୩୦ ରାଉଣ୍ଡ ଗୁଳି କରିବା ପରେ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଯିବାରୁ ଆକ୍ରମଣକାରୀମାନେ ସେମାନଙ୍କ ଗୋଟିଏ ବାଇକ୍ ଛାଡି ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ଖବର ପାଇ ପୁଲିସ ପହଞ୍ଚିଥିଲା ଏବଂ ଗୁରୁତର ଆହତ ଦୁଇ ଭାଇଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେଠାରେ ସେମାନଙ୍କ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର