ଇଡି ହେପାଜତରେ ରହିବେ ପୂର୍ବତନ ଶିକ୍ଷା ମନ୍ତ୍ରୀ ପାର୍ଥ ଓ ସହଯୋଗୀ ଅର୍ପିତା

କୋଲକାତା: ଏନଫୋର୍ସମେଣ୍ଟ ଡିରେକ୍ଟୋରେଟ (ଇଡି) ଦ୍ବାରା ଗିରଫ ହୋଇଥିବା ପଶ୍ଚିମବଙ୍ଗର ପୂର୍ବତନ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଇଡି ଅଧୀନରେ ରହିବେ। କୋଲକାତାର ସ୍ବତନ୍ତ୍ର କୋର୍ଟ ସୋମବାର ଏଭଳି ନିର୍ଦ୍ଦେଶ ଦେଇଛନ୍ତି।

ପଶ୍ଚିମବଙ୍ଗରେ ପ୍ରାଥମିକ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି ହୋଇଥିଲା। ଏହି ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗ ହେବା ପରେ ଇଡି ଗତ ଶୁକ୍ରବାର ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ଚଢଉ କରି ନଗଦ ପ୍ରାୟ ୨୦ କୋଟି ଟଙ୍କା ଜବତ କରିଥିଲା । ପାର୍ଥ ଏବଂ ଅର୍ପିତାଙ୍କୁ ଗିରଫ କରିଥିଲା। ତେବେ ପାର୍ଥଙ୍କ ସ୍ବାସ୍ଥ୍ୟ ଭଲ ନଥିବାରୁ ତାଙ୍କ ସ୍ବାସ୍ଥ୍ୟ ଯାଂଚ ପାଇଁ ତାଙ୍କୁ କୋଲକାତାର ଏସଏସକେଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଇଡି ଏହାକୁ ବିରୋଧ କରିବାରୁ ତାଙ୍କ ଓକିଲ କୋର୍ଟର ଦ୍ବାରସ୍ଥ ହୋଇଥିଲେ। କୋର୍ଟ ପାର୍ଥଙ୍କୁ ଭୁବନେଶ୍ବର ଏମ୍ସ ହସ୍ପିଟାଲରେ  ସ୍ବାସ୍ଥ୍ୟ ଯାଂଚ କରିବାକୁ ନିର୍ଦ୍ଦେଶ ଦେବା ପରେ ତାଙ୍କୁ ସୋମବାର ଭୁବନେଶ୍ବର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ତାଙ୍କର ସ୍ବାସ୍ଥ୍ୟବସ୍ଥାରେ ସେପରି କୌଣସି ସମସ୍ୟା ନାହିଁ ବୋଲି ଏମ୍ସ ପକ୍ଷରୁ କୁହାଯିବା ସହ ତାଙ୍କୁ ଡିସଚାର୍ଜ କରାଯାଇଛି।

ଶ୍ରୀ ଚାଟର୍ଜୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ରିପୋର୍ଟକୁ କୋଲକତା ହାଇକୋର୍ଟଙ୍କ ନିକଟକୁ ପଠାଇ ଦିଆଯାଇଛି। ପରେ ଇଡି ପକ୍ଷରୁ ୧୪ ଦିନିଆ ରିମାଣ୍ଡ ଆବେଦନ କରାଯାଇଥିବା ବେଳେ ଭର୍ଚୁଆଲ୍ ମାଧ୍ୟମରେ ଉକ୍ତ ମାମଲାର ଶୁଣାଣି ହୋଇ ରାୟ ସଂରକ୍ଷିତ ଥିଲା। ପର ମୁହୂର୍ତ୍ତରେ ପାର୍ଥ ଓ ଅର୍ପିତା ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଇଡି ଅଧୀନରେ ରହିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ୪୮ ଘଣ୍ଟାକୁ ଥରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଯାଂଚ କରିବାକୁ ହେବ ବୋଲି କୋର୍ଟ ତାଙ୍କ ନିର୍ଦ୍ଦେଶରେ ଉଲ୍ଲେଖ କରିଛନ୍ତି। ବିଲମ୍ବିତ ରାତିରେ ପାର୍ଥ ଚାଟର୍ଜୀଙ୍କୁ କୋଲକାତା ଫେରାଇ ନିଆଯିବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଜବତ ଟଙ୍କା ପାର୍ଥଙ୍କର ବୋଲି ଅର୍ପିତା ସ୍ବୀକାର କରିବା ପରେ ପାର୍ଥଙ୍କ ସମସ୍ୟା ଆହୁରି ବଢିଯାଇଛି ।

ସମ୍ବନ୍ଧିତ ଖବର