ଦିନେ ଥିଲେ ଭାରତର ସବୁଠୁ କ୍ଷମତାଶାଳୀ ଅମଲା, ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି

ଚେନ୍ନାଇ: ଭାରତର ମୁଖ୍ୟ ନିର୍ବାଚନ କମିଶନରମାନଙ୍କ ମଧ୍ୟରୁ ବୋଧହୁଏ ସବୁଠୁ ଲୋକପ୍ରିୟ କିଏ ବୋଲି ପ୍ରଶ୍ନ ହେଲେ, ବୋଧହୁଏ ଜଣେ ବ୍ୟକ୍ତିଙ୍କ ନାଁ ସମସ୍ତେ କହିବେ । ସେ ହେଉଛନ୍ତି ଟିଏନ ଶେଷାନ । ନବେ ଦଶକରେ ଭାରତର ମୁଖ୍ୟ ନିର୍ବାଚନ କମିଶନର ଥିବାବେଳେ ସେ ନିର୍ବାଚନ ସଂସ୍କାର ଲାଗି ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଥିଲେ । ତାଙ୍କ ଅମଳରେ ହିଁ ଦେଶରେ ଭୋଟର ପରିଚୟ ପତ୍ର ବ୍ୟବସ୍ଥା ଆରମ୍ଭ ହୋଇଥିଲା । ଗୋଟିଏ ପ୍ରକାରେ କହିଲେ ଜଣେ ନିର୍ବାଚନ କମିଶନରଙ୍କ କ୍ଷମତା କେତେ ତାହା ସେ ନେତାଙ୍କଠାରୁ ଆରମ୍ଭ କରି ସାଧାରଣ ଭୋଟରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣାଇଦେଇଥିଲେ ।

କିନ୍ତୁ ଭାରତର ଏହି ମହାକ୍ଷମତାଶାଳୀ ଅଧିକାରୀ ଏବେ ବୟସର ଅପରାହ୍ନରେ ବେଶ ଏକୁଟିଆ ଜୀବନଯାପନ କରୁଛନ୍ତି । ସେ ଓ ତାଙ୍କ ପତ୍ନୀ ଜୟଲକ୍ଷ୍ମୀ ରହୁଛନ୍ତି ଗୁରୁକୂଳମ ନାମକ ଚେନ୍ନାଇର ଏକ ବୃଦ୍ଧାଶ୍ରମରେ । ତେବେ ଏହା ନୁହେଁ ଯେ ସେ ବାସହୀନ । ତାଙ୍କର କେରଳର ପଲକ୍କଡଠାରେ ଏକ ଘର ଅଛି । ଅବସର ପରେ କିଛିଦିନ ସେ ସେଠାରେ ରହୁଥିଲେ । କିନ୍ତୁ ସନ୍ତାନହୀନ ଶେଷାନ ଦମ୍ପତ୍ତି ଚେନ୍ନାଇର ଏହି ବୃଦ୍ଧାଶ୍ରମକୁ ହିଁ ନିଜର ଘର ବାଛି ନେଇଛନ୍ତି । ସେଠାରେ ଅନ୍ୟ ଅନ୍ତେବାସୀଙ୍କ ସହ ମିଳିମିଶି ରହୁଛନ୍ତି । ସାରା ଜୀବନ ଜଣେ ଅତ୍ୟନ୍ତ ସଚ୍ଚୋଟ ଓ କର୍ମଠ ଅଫିସର ଥିବା ଶେଷାନ ଏବେ କେବଳ ନିଜର ପେନସନରେ ଚଳୁଛନ୍ତି । ନିକଟରେ ସେ ଅନ୍ତବାସୀଙ୍କ ସହ ମିଶି ନିଜର ୮୫ ତମ ଜନ୍ମଦିନ ପାଳନ କରିଥିଲେ । ନିଜର ସୀମିତ ମାସିକ ଆୟ ସତ୍ତ୍ୱେ ସେ ଅନ୍ୟମାନଙ୍କୁ ମଧ୍ୟ ଯଥାସାଧ୍ୟ ସାହାଯ୍ୟ କରିବାକୁ ଭୁଲୁନାହାନ୍ତି । ତାଙ୍କୁ ୧୯୯୬ ମସିହାରେ ସମ୍ମାନଜନକ ରମଣ ମାଗାସେସେ ପୁରସ୍କାର ଦିଆଯାଇଥିଲା ।

ସମ୍ବନ୍ଧିତ ଖବର