ନୂଆଦିଲ୍ଲୀ: ‘ଫେସ୍ବୁକ୍’ର ‘ସିଇଓ’ ମାର୍କ ଜୁକର୍ବର୍ଗଙ୍କର ଅଫିସ୍ର କର୍ମଚାରୀଙ୍କ ଆଗରେ ନିଜ ‘କଟାନା’ ନାମରେ ଏକ ପ୍ରକାର ଖଣ୍ଡା’ ବୁଲାଇବା ଭଳି ବିଚିତ୍ର ଅଭ୍ୟାସ ଥିଲା ବୋଲି ‘ଫେସ୍ବୁକ୍’ର ଅନ୍ୟତମ ପ୍ରଥମ କର୍ମଚାରୀ ନୋଆ କେଗନ୍ କହିଛନ୍ତି।
୧୩ ମିନିଟ୍ର ଏକ ଭିଡିଓରେ ଫେସ୍ବୁକ୍ର ପୂର୍ବତନ ‘କୋଡର୍’ ନୋଆ କଗେନ୍ କହିଛନ୍ତି, ‘କୋଡ୍’ ଏବଂ ୱେବ୍ସାଇଟ୍ରେ ଛଡ଼ାଯାଉଥିବା ବିଷୟବସ୍ତୁ ସବୁ ମନକୁ ନ ଗଲେ ଜୁକର୍ବର୍ଗ ଖଣ୍ଡା ବୁଲାଉଥିଲେ।
ଜୁକର୍ବର୍ଗଙ୍କ ଖଣ୍ଡା ବିଷୟରେ କହିଥିବା ଉକ୍ତ ଭିଡିଓକୁ ‘ଟିକ୍ଟକ୍’ରେ ସେୟାର୍ କରି କେଗନ୍ କହିଛନ୍ତି, ଇଚ୍ଛା କରୁଥିବା କଥା ହାସଲ କରାଇବା ପାଇଁ ତାଙ୍କ ପାଖରେ ବଡ଼ ବଡ଼ ଉପାୟ ଥିଲା। ସ୍ନେହରେ ସେ କହୁଥିଲେ, ସେ କାମ ଜଲ୍ଦି ନ କଲେ, ମୁଁ ଆପଣଙ୍କ ମୁହଁରେ ମୁଥ ମାରିବି ଅଥବା ଏଇ ଖଣ୍ଡାରେ ହାଣି ଆପଣଙ୍କୁ ଟିକି ଟିକି କରି ପକାଇବି। ଖଣ୍ଡାଟି ସେ କାହିଁକି ରଖିଥିଲେ ବୋଲି ଆଜି ପର୍ଯ୍ୟନ୍ତ ମୁଁ ଜାଣିପାରିଲି ନାହିଁ। ଶାନ୍ତଶିଷ୍ଟ ବୋଲି ଜଣାପଡୁଥିଲେ ବି କାମ କରାଇବା ପାଇଁ ଜୁକର୍ବର୍ଗ ଖଣ୍ଡା ବ୍ୟବହାର କରୁଥିଲେ।
କେଗନ୍ ଆହୁରି ମଧ୍ୟ କହିଛନ୍ତି, ‘ଫେସ୍ବୁକ୍’ର ସମସ୍ତ କର୍ମଚାରୀଙ୍କ ‘ଗାଡ଼ି ପାର୍କିଙ୍ଗ୍ ଟିକେଟ୍’ ଅର୍ଥ ଜୁକର୍ବର୍ଗ ପୈଠ କରୁଥିଲେ। ‘ଫେସ୍ବୁକ୍’ ସେତେ ଭଲ ଚାଲି ନ ଥିବା ବେଳେ ମଧ୍ୟ ସେ କର୍ମଚାରୀମାନଙ୍କୁ ଭଲ ବୋନସ୍ ଦେଉଥିଲେ। ଏଥିପାଇଁ କର୍ମଚାରୀମାନେ ତାଙ୍କୁ ଖୁବ୍ ପ୍ରଶଂସା କରୁଥିଲେ।
ସମ୍ପ୍ରତି ‘ଆପ୍ସୁମୋ’ରେ ‘ସିଇଓ’ ଭାବେ କାର୍ଯ୍ୟରତ କେଗନ୍ କହିଛନ୍ତି ଯେ, ମାତ୍ର ୧୦ ମାସ କାମ କରିବା ପରେ ତାଙ୍କୁ ‘ଫେସ୍ବୁକ୍’ରୁ ବହିଷ୍କାର କରାଯାଇଥିଲା। ସେତେବେଳେ ତାଙ୍କୁ ଦରମା ବାବଦକୁ ୬୦ ହଜାର ଡଲାର୍ ଏବଂ କମ୍ପାନିରେ ଥିବା ତାଙ୍କ ସେୟାର୍ ବାବଦକୁ ୦.୧% ଦିଆଯାଇ ବିଦା କରାଯାଇଥିଲା।