ଆସନ୍ତାକାଲି ନିଗମବୋଧ ଘାଟରେ ହେବ ଅରୁଣ ଜେଟ୍‌ଲୀଙ୍କ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଅରୁଣ ଜେଟ୍‌ଲୀଙ୍କ ପାର୍ଥିବ ଶରୀର ନିଗମବୋଧ ଘାଟରେ ଅନ୍ତିମ ସଂସ୍କାର କରାଯିବ। ଦିଲ୍ଲୀସ୍ଥିତ ଭାରତୀୟ ଜନତା ପାର୍ଟି (ବିଜେପି) ମୁଖ୍ୟ କାର୍ଯ୍ୟଳୟରେ ଅନ୍ତିମ ଦର୍ଶନ ପରେ ଜେଟଲୀଙ୍କ ପାର୍ଥିବ ଶରୀରକୁ ରବିବାର ଅପରାହ୍ଣ ୨ଟାରେ ନିଗମବୋଧ ଘାଟକୁ ନିଆଯିବ। ବିଜେପି କାର୍ଯ୍ୟାଳୟରେ ଦଳର ବରିଷ୍ଠ ନେତା, କର୍ମକର୍ତ୍ତା, ପ୍ରଶଂସକ ଜେଟଲୀଙ୍କ ମରଶରୀରରେ ଶ୍ରଦ୍ଧାଞ୍ଜଳି ଦେବେ।

ସୂଚନାଯୋଗ୍ୟ ବିଜେପିର ସଙ୍କଟମୋଚନ କୁହାଯାଉଥିବା ଅରୁଣ ଜେଟଲୀଙ୍କର ଶନିବାର ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‌ସ)ରେ ପରଲୋକ ହୋଇଯାଇଛି। ସେ ଦୀର୍ଘ ଦିନ ଧରି ରୋଗରେ ପୀଡ଼ିତ ଥିବାରୁ ତାଙ୍କୁ ଅଗଷ୍ଟ ୯ ତାରିଖରୁ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ଜେଟଲୀ ୬୬ ବର୍ଷ ବୟସରେ ଆଜି ମଧ୍ୟାହ୍ଣ ୧୨ଟା ୭ରେ ଅନ୍ତିମ ଶ୍ୱାସକ୍ରିୟା ନେଇଥିଲେ।

ଜେଟ୍‌ଲିଙ୍କର ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓ ଅନ୍ୟ ରାଜନୈତିକ ଦଳ ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି। ବିଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନ ଯୋଗେ ସ୍ୱର୍ଗତଃ ଜେଟଲୀଙ୍କ ପତ୍ନୀ ଓ ପରିବାର ସହ କଥା ହୋଇ ଶୋକ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ରାଜନୀତିରେ ଅରୁଣ ଜଣେ ଶୀର୍ଷସ୍ତରର ନେତା ହେବାସହ ବିଜ୍ଞ ଓ ବିଶିଷ୍ଟ ଆଇନଜ୍ଞ ମଧ୍ୟ ଥିଲେ। ବିଭିନ୍ନ କ୍ଷେତ୍ରରେ ଦେଶ ପ୍ରତି ତାଙ୍କର ଅବଦାନ ଅତୁଳନୀୟ ଥିଲା।

ସମ୍ବନ୍ଧିତ ଖବର