ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ କେ ନଟବର ସିଂହଙ୍କର ଗତରାତିରେ ପରଲୋକ ଘଟିଛି। ତାଙ୍କୁ ୯୩ ବର୍ଷ ହୋଇଥିଲା। କିଛି ସପ୍ତାହ ହେବ ସେ ଅସୁସ୍ଥ ଥିଲେ ଏବଂ ଦିଲ୍ଲୀ ନିକଟସ୍ଥ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ନଟବରଙ୍କ ପୁଅ ଜଗତ ସିଂହ ଏବଂ ପତ୍ନୀ ହେମିନ୍ଦର କୁମାରୀ ସିଂହ ଅଛନ୍ତି। ଖ୍ୟତନାମା କୂଟନୀତିଜ୍ଞ ନଟବର ସିଂହ ୨୦୦୪ରୁ ୨୦୦୫ ପର୍ଯ୍ୟନ୍ତ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ମନ୍ତ୍ରିମଣ୍ଡଳରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ରାଜୀବ ଗାନ୍ଧୀ ସରକାରରେ ସେ ୧୯୮୫-୮୬ ପର୍ଯ୍ୟନ୍ତ କେନ୍ଦ୍ର ଇସ୍ପାତ, ଖଣି ଓ କୋଇଲା ଏବଂ କୃଷି ରାଷ୍ଟ୍ରମନ୍ତ୍ରୀ ଥିବା ବେଳେ ୧୯୮୬-୮୯ ପର୍ଯ୍ୟନ୍ତ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।
ନଟବର ୧୯୮୪ ମସିହାରେ ଭାରତୀୟ ବୈଦେଶିକ ସେବାରୁ ଓହରିବା ପରେ ସେ ଭରତପୁର (ରାଜସ୍ଥାନ)ରୁ ପ୍ରଥମ ଥର ପାଇଁ ନିର୍ବାଚନ ଜିତିଥିଲେ। ୧୯୫୩ରେ ୨୨ ବର୍ଷ ବୟସରେ ସେ ଆଇଏଫ୍ଏସରେ ଯୋଗ ଦେବା ପରେ ବ୍ରିଟେନରେ ଭାରତର ଡେପୁଟି ହାଇକମିସନର (୧୯୭୩-୭୭) ଭାବରେ କାର୍ଯ୍ୟ କରିଥିଲେ ଏବଂ ପରେ ୧୯୭୭ରେ ଜାମ୍ବିଆରେ ଭାରତର ହାଇକମିସନର ହୋଇଥିଲେ । ସେ ୧୯୮୦-୮୨ ପର୍ଯ୍ୟନ୍ତ ପାକିସ୍ତାନରେ ଭାରତର ରାଷ୍ଟ୍ରଦୂତ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ଅଧିକ ଅଧ୍ୟୟନ ପାଇଁ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ଏବଂ ପରେ ଚୀନ୍ର ବେଜିଂ ବିଶ୍ୱବିଦ୍ୟାଳୟକୁ ଯିବା ପୂର୍ବରୁ ସେ ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍ସ କଲେଜରେ ଇତିହାସ ଅଧ୍ୟୟନ କରିଥିଲେ। ୧୯୮୩ ମସିହାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଗୋଷ୍ଠୀ ନିରପେକ୍ଷ ଶିଖର ସମ୍ମିଳନୀର ପ୍ରସ୍ତୁତି କମିଟିର ମୁଖ୍ୟ ଭାବରେ କାର୍ଯ୍ୟ କରିବା ପରେ ତାଙ୍କୁ ଭାରତର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମବିଭୂଷଣରେ ସମ୍ମାନିତ କରାଯାଇଥିଲା ।
ରାଜନୈତିକ ଉତ୍ଥାନ-ପତନ
ବରିଷ୍ଠ କଂଗ୍ରେସ ନେତା ପିଭି ନରସିଂହ ରାଓ ପ୍ରଧାନମନ୍ତ୍ରୀ ହେବା ପରେ ୧୯୯୧ରେ ସେ ସାମୟିକ ଭାବେ ରାଜନୀତିରୁ ଦୂରେଇ ଯାଇଥିଲେ। ଏହାପରେ ସେ ‘ଅଖିଳ ଭାରତୀୟ ଇନ୍ଦିରା କଂଗ୍ରେସ’ର ଅନ୍ୟତମ ପ୍ରତିଷ୍ଠାତା ହୋଇଥିଲେ। ୨୦୦୨ ମସିହାରେ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ସେ ବୈଦେଶିକ ବ୍ୟାପାର ମନ୍ତ୍ରୀ ହୋଇ କ୍ଷମତାକୁ ଫେରିଥିଲେ। ତେବେ ୨୦୦୬ ମସିହାରେ ତୈଳ ଓ ଖାଦ୍ୟ ଦୁର୍ନୀତି ପଦାକୁ ଆସିବା ପରେ ତାଙ୍କୁ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା। ଅନୁସନ୍ଧାନ ବେଳେ ଜଣାପଡ଼ିଥିଲା ଯେ ତାଙ୍କ ପୁଅ ସମେତ ତାଙ୍କର ଘନିଷ୍ଠ ଲୋକମାନେ ଏଥିରୁ ଅନୈତିକ ଲାଭ ଉଠାଇଛନ୍ତି। ତେବେ ବ୍ୟକ୍ତିଗତ ଭାବେ ସେ କେବେ ବି କୌଣସି ଫାଇଦା ଉଠାଇ ନାହାନ୍ତି ବୋଲି ସିଂହ ସର୍ବଦା ଦୃଢ଼ତାର ସହ ନିଜ ଯୁକ୍ତି ରଖିଥିଲେ। ମିଳିତ ଜାତିସଂଘର ଭୋଲ୍କର କମିଟି ତୈଳ ଦୁର୍ନୀତିରେ ନଟବର ଏବଂ କଂଗ୍ରେସ ଦଳ ଫାଇଦା ଉଠାଇଥିବା ଘୋଷଣା କରିଥିଲା। ଫେବ୍ରୁଆରି ୨୦୦୮ରେ ନଟବର କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ ।
ଆତ୍ମଜୀବନୀକୁ ନେଇ ବିବାଦ
ସୋନିଆ ଗାନ୍ଧୀ ଏବଂ ଡକ୍ଟର ମନମୋହନ ସିଂହଙ୍କ ବିରୋଧରେ ନଟବର ସିଂହ ଅନେକ ଥର ମତ ରଖି ଚର୍ଚ୍ଚାରେ ରହିଥିଲେ ଏବଂ ୨୦୧୪ରେ ପ୍ରକାଶିତ ତାଙ୍କ ଆତ୍ମଜୀବନୀ ପୁସ୍ତକ ‘ଵାନ୍ ଲାଇଫ୍ ଇଜ୍ ନଟ୍ ଇନଫ୍’ରେ ଉଭୟଙ୍କ ସହ ବ୍ୟକ୍ତିଗତ କଥାବାର୍ତ୍ତା ପ୍ରକାଶ କରିଥିବାରୁ ତାଙ୍କ ବିରୋଧରେ ଅନୌଚିତ ବ୍ୟବହାର ଅଭିଯୋଗ ହୋଇଥିଲା। ସେହି ସମୟରେ ଏକ ସାକ୍ଷାତକାରରେ ସିଂହ ନିଜ ପକ୍ଷ ରଖି କହିଥିଲେ ଯେ ସୋନିଆ ଗାନ୍ଧୀ ଜଣେ ଐତିହାସିକ ବ୍ୟକ୍ତିତ୍ୱ ଏବଂ ଜଣେ ସାର୍ବଜନୀନ ବ୍ୟକ୍ତିତ୍ୱଙ୍କର ବ୍ୟକ୍ତିଗତ ଜୀବନ ନାହିଁ। ସେ କହିଥିଲେ- ‘ମୁଁ ଏହି ପୁସ୍ତକଟି କୌଣସି ପ୍ରତିଶୋଧ, ଦ୍ୱେଷ କିମ୍ବା ତିକ୍ତତା ସହିତ ଲେଖିନାହିଁ, ନଚେତ୍ ମୁଁ ନିଜ ସମ୍ମାନରେ ତଳକୁ ଖସିଯିବି।’ ଚୂଡ଼ାନ୍ତ ବିଶ୍ଳେଷଣରେ ‘ମୁଁ ନିଜ ପ୍ରତି ଉତ୍ତରଦାୟୀ’ ବୋଲି ସେ କହିଥିଲେ। ନିଜ ପୁସ୍ତକରେ ସିଂହ ଏହା ମଧ୍ୟ ଦାବି କରିଥିଲେ ଯେ ଯେ ୧୦ ଜନପଥ (ସୋନିଆ ଗାନ୍ଧୀଙ୍କ ବାସଭବନ) ହିଁ ୟୁପିଏ ସରକାରଙ୍କ ପ୍ରକୃତ କ୍ଷମତା କେନ୍ଦ୍ର ଥିଲା।
ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ
ନଟବର ସିଂହଙ୍କ ବିୟୋଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏବଂ କଂଗ୍ରେସ ନେତାଗଣ ଗଭୀର ଶୋକବ୍ୟକ୍ତ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ରାଷ୍ଟ୍ରପତି ମୁର୍ମୁ ଲେଖିଛନ୍ତି, ‘ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ ନଟବର ସିଂହଙ୍କ ବିୟୋଗରେ ମୁଁ ଦୁଃଖିତ। ନିଜ ଲମ୍ବା କ୍ୟାରିୟରରେ ସେ ଜଣେ ବିଶିଷ୍ଟ କୂଟନୀତିଜ୍ଞଠାରୁ ଆରମ୍ଭ କରି ଜଣେ ଶ୍ରେଷ୍ଠ ସାଂସଦ ପର୍ଯ୍ୟନ୍ତ ଅନେକ ସୁଖ୍ୟାତିର ଅଧିକାରୀ ହୋଇଥିଲେ। ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ନଟବର ସିଂହ ଜଣେ ପ୍ରସିଦ୍ଧ ଲେଖକ ଥିଲେ । ତାଙ୍କ ପରିବାର, ବନ୍ଧୁ ଓ ଅନୁଗାମୀମାନଙ୍କ ପ୍ରତି ମୋର ଗଭୀର ସମବେଦନା।’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ନଟବର ସିଂହଙ୍କ ବିୟୋଗରେ ମୁଁ ଦୁଃଖିତ। କୂଟନୀତି ଓ ବୈଦେଶିକ ନୀତି ଜଗତରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି। ସେ ତାଙ୍କର ଜ୍ଞାନ ତଥା ଉତ୍କୃଷ୍ଟ ଲେଖା ପାଇଁ ମଧ୍ୟ ଜଣାଶୁଣା ଥିଲେ। ଦୁଃଖର ଏହି ମୁହୂର୍ତ୍ତରେ ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ସହ ପ୍ରତି ମୋର ଗଭୀର ସମବେଦନା ।’ ସେହିପରି ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଏକ୍ସରେ ଲେଖିଛନ୍ତି, ‘ନଟବର ସିଂହଙ୍କ ବିୟୋଗରେ ଗଭୀର ଦୁଃଖିତ। ସେ ବିଭିନ୍ନ ପଦପଦବୀରେ ଦେଶର ସେବା କରିଥିଲେ । ଜଣେ ପ୍ରଖ୍ୟାତ ଲେଖକ ଓ ଖ୍ୟାତିସମ୍ପନ୍ନ ବ୍ୟକ୍ତିତ୍ବ ଭାବେ ସେ ସର୍ବଦା ପ୍ରେରଣାର ଉତ୍ସଥିଲେ। କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ରଣଦୀପ ସୁରଜେୱାଲା କହିଛନ୍ତି, ପୂର୍ବତନ ବୈଦେଶିକ ମନ୍ତ୍ରୀ ନଟବର ସିଂହଙ୍କ ବିୟୋଗ ଖବର ଅତ୍ୟନ୍ତ ଦୁଃଖଦାୟକ। ଭଗବାନ ତାଙ୍କ ପରିବାରକୁ ଏହି କ୍ଷତି ସହିବା ପାଇଁ ଶକ୍ତି ଦିଅନ୍ତୁ ଏବଂ ଦିବଂଗତ ଆତ୍ମାକୁ ଶାନ୍ତି ଦିଅନ୍ତୁ। ଆସନ୍ତାକାଲି ଲୋଧି ରୋଡ୍ ଶ୍ମଶାନରେ ନଟବରଙ୍କ ଅନ୍ତିମ ସଂସ୍କାର କରାଯିବ।