ନୂଆଦିଲ୍ଲୀ: କୋଭିଡ୍-୧୯ ସଂକ୍ରମଣଜନିତ ସ୍ବାସ୍ଥ୍ୟଗତ ସମସ୍ୟା ଜଟିଳ ହେବାରୁ ପୂର୍ବତନ ଭାରତୀୟ ଓପେନର୍ ତଥା ବର୍ଷୀୟାନ୍ କ୍ରିକେଟ୍ ପ୍ରଶାସକ ଚେତନ ଚୌହାନଙ୍କର ଆଜି ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା। ଭାଇ ପୁଷ୍ପେନ୍ଦ୍ର ଚୌହାନ ତାଙ୍କର ମୃତ୍ୟୁ ଖବର ସୁନିଶ୍ଚିତ କରିଛନ୍ତି। ଆଜି ଅପରାହ୍ଣ ୪. ୩୦ର ହୃଦ୍ଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା କଥା ଡାକ୍ତରଖାନା ସୂତ୍ରରୁ ପ୍ରକାଶ।
ଜୁଲାଇ ମାସରେ କୋଭିଡ୍-୧୯ ପଜିଟିଭ୍ ବାହାରିଥିବା ଚୌହାନ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନ ଥିବା ବେଳେ ସଂକ୍ରମଣ ପୁଣି ବଢ଼ିଯିବାରୁ ତାଙ୍କର ବୃକ୍କ୍ ଅକାମି ହେବା ସହ ରକ୍ତଚାପ ସମସ୍ୟା ସୃଷ୍ଟି କରିଥିଲା।
କରୋନାଭାଇରସ୍ ଦ୍ବାରା ସଂକ୍ରମିତ ହେବା ପରେ ଚୌହାନ ଲକ୍ଷ୍ନୌସ୍ଥିତ ସଞ୍ଜୟ ଗାନ୍ଧୀ ପିଜିଆଇ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। ପରେ ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଥିଲା। ଶୁକ୍ରବାର ରାତିରେ ଚୌହାନଙ୍କ ସ୍ବାସ୍ଥ୍ୟ ଅବନତି ହେବାରୁ ଡାକ୍ତରମାନେ ତାଙ୍କୁ ଭେଣ୍ଟିଲେଟର୍ରେ ରଖିଥିଲେ।
/sambad/media/post_attachments/wp-content/uploads/2020/08/chetan.jpg)
ଚୌହାନ୍ ‘ଦିଲ୍ଲୀ ଆଣ୍ଡ୍ ଡିଷ୍ଟ୍ରିକ୍ଟ୍ କ୍ରିକେଟ୍ ଆସୋସିଏସନ୍’ର ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସଚିବ ଏବଂ ମୁଖ୍ୟ ଚୟନକାରୀ ପଦରେ ଅଧିଷ୍ଠିତ ହେବା ସହ ଅଷ୍ଟ୍ରେଲିଆ ଗସ୍ତ ସମୟରେ ଟିମ୍ ଇଣ୍ଡିଆର ମ୍ୟାନେଜର୍ ଥିଲେ।
୧୯୯୧ ଏବଂ ୧୯୯୮ରେ ଚୌହାନ୍ ଉତ୍ତର ପ୍ରଦେଶର ଆମରୋହା ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ। ୧୯୮୧ରେ ତାଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଥିଲା।
ଦୀର୍ଘ ୧୨ ବର୍ଷର କ୍ରିକେଟ୍ କ୍ୟାରିଅର୍ରେ ଚୌହାନ ୪୦ଟି ଟେଷ୍ଟ୍ ମ୍ୟାଚ୍ ଖେଳି ୧୬ଟି ଅର୍ଦ୍ଧ-ଶତକ ଓ ଦୁଇଟି ୱିକେଟ୍ ସହ ୨୦୮୪ ରନ୍ ହାସଲ କରିଥିଲେ। ସୁନୀଲ ଗାଭାସ୍କରଙ୍କ ଯୋଡ଼ି ଭାବେ ସେ ଭାରତ ଦଳର ଓପେନିଙ୍ଗ୍ କରୁଥିଲେ। ଉଭୟଙ୍କ ସହଭାଗିତାରେ ୧୨ଟି ଶତକ ସହ ୩୦୦୦ରୁ ଅଧିକ ରନ୍ ସଂଗୃହୀତ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/chetan-chouhan-1.jpg)