ତିରୁଅନନ୍ତପୁରମ୍: ବରିଷ୍ଠ କଂଗ୍ରେସ ନେତା ତଥା ଦୁଇଥର କେରଳର ମୁଖ୍ୟମନ୍ତ୍ରୀ ଥିବା ଓମେନ ଚାଣ୍ଡିଙ୍କର ମଙ୍ଗଳବାର ସକାଳେ ବେଙ୍ଗାଲୁରୁର ଏକ ଡାକ୍ତରଖାନାରେ ଦେହାନ୍ତ ହୋଇଯାଇଛି। ୭୯ ବର୍ଷ ବୟସ୍କ ଚାଣ୍ଡି କର୍କଟ ରୋଗରେ ପୀଡିତ ଥିଲେ। ଏକ ଫେସ୍‌ବୁକ ପୋଷ୍ଟରେ ତାଙ୍କ ପୁଅ ଚାଣ୍ଡି ଓମେନ କହିଛନ୍ତି ଯେ, ତାଙ୍କ ପିତାଙ୍କର ସକାଳ ପ୍ରାୟ ୫ଟା ୧୫ରେ ଦେହାନ୍ତ ହୋଇଯାଇଛି। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ କେରଳ ସରକାର ମଙ୍ଗଳବାର ଛୁଟି ଘୋଷଣା କରିଛନ୍ତି ଏବଂ ପରୀକ୍ଷା ବାତିଲ କରିଛନ୍ତି। କେରଳ କଂଗ୍ରେସର ଜଣେ ପ୍ରମୁଖ ନେତା ଭାବରେ ବିବେଚିତ ଓମେନ ଚାଣ୍ଡି ସମସ୍ତ ସାମାଜିକ ତଥା ଧାର୍ମିକ ସମ୍ପ୍ରଦାୟ ମଧ୍ୟରେ ସୁସମ୍ପର୍କ ରଖିଥିଲେ। ମୁଖ୍ୟମନ୍ତ୍ରୀ ଭାବରେ ସେ ତାଙ୍କର ‘ଜନସମ୍ପର୍କ ପାରିପାଦୀ’ (ଜନସମ୍ପର୍କ କାର୍ଯ୍ୟକ୍ରମ) ପାଇଁ ଲୋକପ୍ରିୟ ଥିଲେ, ଯାହା ମାଧ୍ୟମରେ ସେ ଜନସାଧାରଣଙ୍କୁ ଦେଖା କରିବାର ସୁଯୋଗ ଦେଇ ତତ୍କାଳ ସେମାନଙ୍କ ସମସ୍ୟାର ସମାଧାନ କରୁଥିଲେ। ସେ ୨୦୧୩ରେ ଜନସେବା ପାଇଁ ମିଳିତ ଜାତିସଂଘର ପୁରସ୍କାର ଗ୍ରହଣ କରିଥିଲେ। କୋଚି ମେଟ୍ରୋ, ବିଝିଞ୍ଜାମ ଅନ୍ତର୍ଜାତୀୟ ସାମୁଦ୍ରିକ ବନ୍ଦର, କନ୍ନୁର ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ କୋଚି-ମାଙ୍ଗାଲୋର ଗେଲ୍ ପାଇପଲାଇନ ଭଳି କେରଳର କେତେକ ବୃହତ୍ ଭିତ୍ତିଭୂମି ପ୍ରକଳ୍ପ ପାଇଁ ଚାଣ୍ଡିଙ୍କୁ ଶ୍ରେୟ ଦିଆଯାଏ।

Advertisment

କେରଳ ବିଧାନସଭାକୁ ୧୨ ଥର ନିର୍ବାଚିତ ହୋଇଥିବା ଚାଣ୍ଡି ପ୍ରଥମେ ୧୯୭୦ ମସିହାରେ କୋଟାୟାମ ଜିଲ୍ଲାର ପୁଥୁପାଲି ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ସେ ମୃତ୍ୟୁ ପର୍ଯ୍ୟନ୍ତ ଏହି ଆସନକୁ କ୍ରମାଗତ ଭାବରେ ପ୍ରତିନିଧିତ୍ୱ କରିଥିଲେ। କେରଳ ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟର ପରିସମାପ୍ତି ଘଟିଲା ବୋଲି କହି ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ ଏକ ଫେସ୍‌ବୁକ ପୋଷ୍ଟରେ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ସେ ଲେଖିଛନ୍ତି, ‘୧୯୭୦ରେ ଓମେନ ଚାଣ୍ଡି ଓ ମୁଁ ଏକାଦିନ କେରଳ ବିଧାନସଭାକୁ ନିର୍ବାଚିତ ହୋଇଥିଲୁ। କିନ୍ତୁ ତା’ ପରଠାରୁ ଅଧିକାଂଶ ବର୍ଷ ମୁଁ ବିଧାନସଭା ବାହାରେ ସର୍ବସାଧାରଣ ଜୀବନରେ ରହିଲା ବେଳେ ଓମେନ ଚାଣ୍ଡି ବିଧାନସଭାକୁ ସବୁଥର ନିର୍ବାଚିତ ହେଉଥିଲେ।’

ଚାଣ୍ଡିଙ୍କ ମରଶରୀର ମଙ୍ଗଳବାର ଅପରାହ୍ଣରେ ଏକ ସ୍ୱତନ୍ତ୍ର ବିମାନରେ ବେଙ୍ଗାଲୁରୁରୁ ତିରୁଅନନ୍ତପୁରମ୍‌କୁ ଅଣାଯାଇଛି। କଂଗ୍ରେସ କାର୍ଯ୍ୟାଳୟରେ ଜନସାଧାରଣଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବରୁ ଏହାକୁ ରାଜ୍ୟ ରାଜଧାନୀରେ ଥିବା ତାଙ୍କ ବାସଭବନକୁ ନିଆଯାଇଥିଲା। ପରେ ମୃତଦେହକୁ କୋଟାୟାମର ତିରୁନାକାରା ଗ୍ରାଉଣ୍ଡ ଏବଂ ପୁଥୁପାଲିରେ ଥିବା ତାଙ୍କ ବାସଭବନକୁ ନିଆଯାଇଥିଲା। ଗୁରୁବାର ପୁଥୁପାଲି ଚର୍ଚ୍ଚରେ ଅପରାହ୍ଣ ୨ଟାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି।

ଦିବଂଗତ ଚାଣ୍ଡିଙ୍କୁ ମୋଦୀଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡିଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ କହିଛନ୍ତି ଚାଣ୍ଡି ଜଣେ ନମ୍ର ଓ ଉତ୍ସର୍ଗୀକୃତ ଜନନେତା ଥିଲେ ଯିଏ ସାରା ଜୀବନ ଜନସେବାରେ ନିଜ ଜୀବନକୁ ବ୍ୟତୀତ କରିଛନ୍ତି। ମୋଦୀ କହିଛନ୍ତି, ଚାଣ୍ଡି ଓ ମୁଁ ଏକ ସମୟରେ ନିଜନିଜ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲୁ। କେରଳର ଉନ୍ନତି ପାଇଁ ଚାଣ୍ଡି ବହୁ କାମ କରିଛନ୍ତି। ଏଥି ସହ ଚାଣ୍ଡିଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ମୋଦୀ ଟ୍ବିଟ୍ କରି ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି।