ବାପାଙ୍କ ଫଟୋରେ ଫୁଲମାଳ ଅର୍ପଣ କରୁଥିବାବେଳେ ପୂର୍ବତନ ବିଧାୟକଙ୍କ ମୃତ୍ୟୁ

ଚେନ୍ନାଇ: ବାପାଙ୍କ ଫଟୋରେ ଫୁଲମାଳ ଅର୍ପଣ କରୁଥିବାବେଳେ ପୂର୍ବତନ ବିଧାୟକଙ୍କ ମୃତ୍ୟୁ ହୋଇଛି | ତାମିଲନାଡୁରେ ଜଣେ ପୂର୍ବତନ ବିଧାୟକଙ୍କ ସହ ଏଭଳି ଘଟିଛି | ମିଳିଥିବା ସୂଚନା ମୁତାବକ ପୂର୍ବତନ ଡିଏମକେ ବିଧାୟକ ବିରାପଣ୍ଡି ଏ ରାଜାଙ୍କର ୫୯ତମ ଜନ୍ମଦିନରେ ଶନିବାର ଦେହାନ୍ତ ହୋଇଛି।

ବିରାପଣ୍ଡି ଏ ରାଜା ତାଙ୍କ ବାପା ତଥା ପୂର୍ବତନ ମନ୍ତ୍ରୀ ବିରାପଣ୍ଡି ଏ ଅରୁମୁଗାମଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରୁଥିବା ବେଳେ ହୃଦଘାତ ହୋଇଥିଲା। ପରିବାର ସୂତ୍ରରୁ କୁହାଯାଇଛି ଯେ ରାଜା ତାଙ୍କ ବାପାଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରୁଥିବାବେଳେ ଚେତାଶୂନ୍ୟ ହୋଇ ପଡ଼ିଥିଲେ | ଏହାପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା |

ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ରାଜା ୨୦୦୬ରେ ବିରାପଣ୍ଡିରୁ ତାମିଲନାଡୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଏବଂ ସେତେବେଳେ ସାଲେମ ଜିଲ୍ଲାରେ ଦଳର ନିର୍ବାଚନ କମିଟିର ସଚିବ ଥିଲେ। ସେ ୧୯୮୨ ମସିହାରେ ଡିଏମକେରେ ଯୋଗ ଦେଇଥିଲେ ଏବଂ ସେବେଠାରୁ ଦଳରେ ବିଭିନ୍ନ ପଦବୀରେ ରହିଆସିଛନ୍ତି। ଡିଏମକେ ସୂତ୍ର ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏବଂ ତାଙ୍କ କ୍ୟାବିନେଟ ସହକର୍ମୀମାନେ ପୂର୍ବତନ ବିଧାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଷ୍ଟାଲିନ ତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି |

ସମ୍ବନ୍ଧିତ ଖବର