ବନ୍ଧୁ ରଖିଲେ ବନ୍ଧୁଙ୍କ ନିମନ୍ତ୍ରଣ : ଦିଲ୍ଲୀରେ ସପରିବାର ରାଷ୍ଟ୍ରପତି କୋବିନ୍ଦଙ୍କୁ ଭେଟିଲେ ପୂର୍ବତନ ସାଂସଦ ବୀରଭଦ୍ର ସିଂ

ନୁଆଦିଲ୍ଲୀ: ପୂର୍ବତନ ସାଂସଦ ତଥା ରାଷ୍ଟ୍ରପତିଙ୍କ ବନ୍ଧୁ ବୀରଭଦ୍ର ସିଂ ରାଷ୍ଟ୍ରପତି ଭବନ ଯାଇ ମହାମହିମ ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି । ଗତ ୪ ତାରିଖରେ ସପରିବାର ରାଷ୍ଟ୍ରପତିଭବନକୁ ଯାଇ ରାମନାଥ କୋବିନ୍ଦଙ୍କୁ ସପରିବାର ଭେଟିଛନ୍ତି ବୀରଭଦ୍ର ସିଂ । ଭେଟିବା ପରେ ଉଭୟେ ଉଭୟଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ମନଖୋଲା ଆଳାପ କରିଥିଲେ । ମୟୁରଭଞ୍ଜ ଜିଲ୍ଲାର ବିକାଶ ନେଇ ବି ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । ରାଷ୍ଟ୍ରପତିଙ୍କୁ ମୟରୁଭଞ୍ଜ ଆସିବାକୁ ବି ସେ ନିମନ୍ତ୍ରଣ ଦେଇଥିବା କହିଛନ୍ତି ପୂର୍ବତନ ସାଂସଦ ବୀରଭଦ୍ର ସିଂ । ଉତ୍କଳ ବିଶ୍ବବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି  କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କର ପୁରୁଣା ବନ୍ଧୁ ବୀରଭଦ୍ର ସିଂଙ୍କୁ ବହୁ ବର୍ଷର ବ୍ୟବଧାନ ପରେ ଭେଟିଥିଲେ ଓ  ରାଷ୍ଟ୍ରପତି ଭବନ ଆସିବାକୁ ନିମନ୍ତ୍ରଣ କରିଥିଲେ ।

ରାଷ୍ଟ୍ରପତିଙ୍କ ସହ ବୀରଭଦ୍ରଙ୍କ ନିବିଡ଼ତା
– ୨୦୦୦ରେ ବିଜେଡି ଟିକେଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ବୀରଭଦ୍ର ସିଂହ।
– ସେହି ସମୟରେ ଉତ୍ତର ପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ରାମନାଥ କୋବିନ୍ଦ।
– ଉଭୟ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ସଂସଦୀୟ କମିଟିରେ ସଦସ୍ୟ ରହିଥିଲେ।
– ୨ବର୍ଷ ଏକାଠି କାମ କରିବା ଭିତରେ ବୀରଭଦ୍ରଙ୍କ ପରାମର୍ଶକୁ ଗୁରୁତ୍ୱ ଦେଉଥିଲେ କୋବିନ୍ଦ।
– ରାଜ୍ୟରେ ଏହି ବିଭାଗର ମନ୍ତ୍ରୀ ରହିସାରିଥିବାରୁ ସକାରାତ୍ମକ ପରାମର୍ଶ ଦେଉଥିଲେ ବୀରଭଦ୍ର।

ଉକ୍ରଳ ବିଶ୍ୱବିଦ୍ୟାଳୟରେ ପ୍ଲାଟିନମ ଜୁବଲିର ଉଦଯାପନୀ ଉତ୍ସବ ଚାଲିଥିବା ବେଳେ ଦର୍ଶକଙ୍କ ଗହଣରେ ବସିଥିଲେ ପୂର୍ବତନ ମନ୍ତ୍ରୀ ତଥା ସାଂସଦ ବୀରଭଦ୍ର ସିଂ । ରାଷ୍ଟ୍ରପତି ତାଙ୍କର ଅଭିଭାଷଣ ସାରି ମଂଚରୁ ବିଦାୟ ନେବାକୁ ସମୟରେ ତାଙ୍କର ନଜର ପଡିଥିଲା ତାଙ୍କର ଏହି ପୁରୁଣା ମିତ୍ରଙ୍କ ଉପରେ । ପ୍ରଥମେ ଜଣେ ବ୍ୟକ୍ତିଙ୍କୁ ଡାକି ତାଙ୍କ ବାବଦରେ କିଛି ପଚାରିଥିଲେ। ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଡାକି କହିଥିଲେ । ଏହାପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାଇକରେ ଘୋଷଣା କରିଥିଲେ-  ବୀରଭଦ୍ର ବାବୁ ଆପଣଙ୍କୁ ଦେଖା କରିବାକୁ ରାଷ୍ଟ୍ରପତି ଚାହୁଁଛନ୍ତି । ପରବର୍ତ୍ତୀ ସମୟରେ ଅଭ୍ୟର୍ଥନା କକ୍ଷରେ ଯାଇ ରାଷ୍ଟ୍ରପତିଙ୍କୁ ଭେଟିଥିଲେ ପୂର୍ବତନ ସାଂସଦ ତଥା ରାଷ୍ଟ୍ରପତିଙ୍କ ବନ୍ଧୁ ବୀରଭଦ୍ର ସିଂ।

୨୦୦୬ରେ ଶେଷଥର ପାଇଁ ରାମନାଥ କୋବିନ୍ଦଙ୍କୁ ଭେଟିଥିଲେ ବୀରଭଦ୍ର ସିଂହ। ହେଲେ ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ତାଙ୍କୁ ଭେଟିବା ପାଇଁ ଇଚ୍ଛା କରି ସେ ବାଣୀବିହାରକୁ ଛୁଟି ଆସିଥିଲେ।

ସମ୍ବନ୍ଧିତ ଖବର