ନାବାଳିକା ସହ ଦୁଷ୍କର୍ମ କରି ଫେରାର ଥିବା କ୍ରିକେଟର ସନ୍ଦୀପ ଗିରଫ

କାଠମାଣ୍ଡୁ: ନାବାଳିକା ସହ ଦୁଷ୍କର୍ମ କରି ଫେରାର ଥିବା କ୍ରିକେଟର ଗିରଫ। ନେପାଳ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସନ୍ଦୀପ ଲାମିଛାନେଙ୍କୁ ପୁଲିସ ଗିରଫ କରିଛି। ଏହି ଷ୍ଟାର କ୍ରିକେଟର ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା ଏବଂ ତାଙ୍କ ବିରୋଧରେ ଗିରଫ ପରୱାନା ମଧ୍ୟ ଜାରି କରାଯାଇଥିଲା। ଗିରଫ ପରୱାନା ଜାରି ହେବା ପରେ ସନ୍ଦୀପ ଫେରାର ହୋଇଯାଇଥିଲେ। ଏବେ ସେ ନେପାଳ ଫେରିବା ପରେ କ‌ାଠମାଣ୍ଡୁର ତ୍ରିଭୂବନ ବିମାନବନ୍ଦରରୁ ତାଙ୍କୁ ଗିରଫ କରିଛି ପୁଲିସ। ଦୁଷ୍କର୍ମ ମାମଲାର ଯାଞ୍ଚ କରିବା ପାଇଁ ପୁଲିସ ସନ୍ଦୀପଙ୍କୁ ହେପାଜତକୁ ନେଇଛି।

ସୂଚନା ମୁତାବକ, କାଠମାଣ୍ଡୁର ଏକ ହୋଟେଲକୁ ଡାକି ସନ୍ଦୀପ ଲାମିଛାନେ ଦୁଷ୍କର୍ମ କରିଥିବାର ଅଭିଯୋଗ କରିଥିଲେ ୧୭ବର୍ଷର ପୀଡ଼ିତା। ଏହା ପରେ ସନ୍ଦୀପଙ୍କ ବିରୋଧରେ କୋର୍ଟ ଗିରଫ ପରୱାନା ଜାରି କରିଥିଲେ ମଧ୍ୟ ବିଦେଶରେ କ୍ରିକେଟ୍ ଲିଗ୍ ଖେଳୁଥିବା ସନ୍ଦୀପ ନିଜ ଦେଶକୁ ଫେରିନଥିଲେ। ଏହି ସମୟରେ ନେପାଳ କ୍ରିକେଟ୍ ଆସୋସିଏସନ୍ (ସିଏଏନ) ସେପ୍ଟେମ୍ବର ୮ରେ ନିର୍ଦ୍ଦେଶ ଜାରି କରି ସନ୍ଦୀପଙ୍କୁ ନିଲମ୍ବିତ କରିଥିଲା।

ଗିରଫ ପରୱାନା ଜାରି ହେବା ସମୟରେ ସନ୍ଦୀପ କୈରେବିୟନ୍ ପ୍ରିମିୟର ଲିଗ୍ (ସିପିଏଲ୍) ଖେଳୁଥିଲେ। ୱାରେଣ୍ଟ ଜାରି ହେବା ପରେ ସନ୍ଦୀପ ଅଧାରୁ ଲିଗ୍ ଛାଡି ଖୁବ ଶୀଘ୍ର ଦେଶକୁ ଫେରିବେ ବୋଲି କହିଥିଲେ। ହେଲେ ଦିନ ପରେ ଦିନ ବିତିଥିଲେ ବି ସେ ନେପାଳ ଫେରିନଥିଲେ। ସନ୍ଦୀପ ଫେରାର ହେବା ସହ ତାଙ୍କ ଠିକଣା ମଧ୍ୟ ମିଳିପାରିନଥିଲା। ଏହି ସମୟରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସନ୍ଦୀପ ନିଜକୁ ନିର୍ଦ୍ଦୋଷ ବୋଲି କହିଥିଲେ।

ସମ୍ବନ୍ଧିତ ଖବର