ଇସଲାମାବାଦ୍: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ୫ ବର୍ଷ ପର୍ଯ୍ୟନ୍ତ ନିର୍ବାଚନରେ ଲଢିପାରିବେନି କିଂବା ରାଜନୈତିକ ପଦବୀରେ ରହିପାରିବେ ନାହିଁ । ବିଦେଶୀ ଉପହାର ଗ୍ରହଣ ମାମଲାରେ ପାକିସ୍ତାନର ନିର୍ବାଚନ ଆୟୋଗ ଇମ୍ରାନ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରି ଅଯୋଗ୍ୟ ଘୋଷଣା କରିଛନ୍ତି । ଇମ୍ରାନ୍ ଦେଶର ପ୍ରଧାନମନ୍ତ୍ରୀ ଥିା ବେଳେ ବିଦେଶର ରାଷ୍ଟ୍ରମୁଖ୍ୟଙ୍କଠାରୁ ଗ୍ରହଣ କରିଥିବା ଉପହାର ସହ ଜଡିତ ଅନେକ ତଥ୍ୟ ଲୁଚାଇ ରଖିଥିଲେ । ଏପରିକି ଇମ୍ରାନ ସେଥିରୁ କିଛି ବିକ୍ରି କରିଥିବା ମଧ୍ୟ ଅଭିଯୋଗ ଆସିଥିଲା । ତେବେ ଅଭିଯୋଗ ପାଇବା ପରେ ନିର୍ବାଚନ ଆୟୋଗ ଏଭଳି ନିଷ୍ପତ୍ତି ନେଇଛନ୍ତି । ଗତ ଏପ୍ରିଲରେ ପ୍ରଧାନମନ୍ତ୍ରୀ ପଦରୁ ବିଦା ହେବା ପରେ ଇମ୍ରାନ ବିଭିନ୍ନ ମାମଲାରେ ଛନ୍ଦି ହୋଇପଡ଼ିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସଂପ୍ରତି ଅକ୍ଟୋବର ୧୭ରେ, ପାକିସ୍ତାନର ଏକ ସ୍ୱତନ୍ତ୍ର ଅଦାଲତ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଓ ତାଙ୍କ ଦଳର କିଛି ନେତାଙ୍କ ବିରୋଧରେ ନିଷିଦ୍ଧ ଅର୍ଥ କାରବାର ମାମଲା ରହିଛି । ଏପରିକି ନିର୍ବାଚନ ଆୟୋଗଙ୍କ ନିକଟରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଅଭିଯୋଗରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସେଥିଲାଗି ତାଙ୍କୁ ଅକ୍ଟୋବର ୩୧ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରାଯାଇଥିଲା ।
ଫେଡେରାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏଫଆଇଏ) ଗତ ସପ୍ତାହରେ ଇମ୍ରାନ୍ ଖାନ ଏବଂ ତାଙ୍କ ଦଳର ଅନ୍ୟ ବରିଷ୍ଠ ନେତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଏଫ୍ଆଇଆର୍ ତଥ୍ୟ ଅନୁଯାୟୀ, ଇମ୍ରାନ ଖାନଙ୍କ ପାର୍ଟି ନାମରେ ପଞ୍ଜୀକୃତ ହୋଇଥିବା ଏକ ବ୍ୟାଙ୍କ ଆକାଉଣ୍ଟକୁ ଉଟ୍ଟନ୍ କ୍ରିକେଟ୍ ଲିମିଟେଡର ମାଲିକ ଆରିଫ୍ ମାସୁଦ୍ ନାକଭି ବେଆଇନ୍ ଭାବେ ଟଙ୍କା ପଠାଇଛନ୍ତି । ସବୁଠୁ ବଡ଼ କଥା ହେଉଛି ପାକିସ୍ତାନର ସଂସଦ ଏବଂ ରାଜ୍ୟ ବିଧାନସଭାର ୧୧ଟି ଆସନରେ ଉପନିର୍ବାଚନରେ ସର୍ବାଧିକ ସଂଖ୍ୟକ ଆସନ, ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଜିତିଛି । ଅକ୍ଟୋବର ୧୬ରେ ଉପନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହୋଇଥିଲା ଏବଂ ମୁଖ୍ୟତଃ ଏହା ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ପାକିସ୍ତାନ ମୁସଲିମ ଲିଗ୍-ନୱାଜ (ପିଏମଏଲ-ଏନ) ଏବଂ ଇମ୍ରାନ ଖାନଙ୍କ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ମଧ୍ୟରେ ହୋଇଥିଲା । ଯାହାକି ଆସନ୍ତା ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ଏହାର ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା।