ଏକ ଯୁଗର ଅବସାନ : ନିଃଶବ୍ଦ ପ୍ରଣବ

୭ଦିନିଆ ରାଷ୍ଟ୍ରୀୟ ଶୋକ, ଅର୍ଧନମିତ ରହିବ ଜାତୀୟ ପତାକା

ନୂଆଦିଲ୍ଲୀ : ସତେ ଯେମିତି ନିଃଶବ୍ଦ ହୋଇଗଲା ପ୍ରଣବ ଧ୍ବନି। ପରଲୋକକୁ ଚାଲିଗଲେ ପୂର୍ବତନ ରାଷ୍ଟ୍ରପତି ‘ଭାରତ ରତ୍ନ’ ପ୍ରଣବ ମୁଖାର୍ଜୀ। ନୂଆଦିଲ୍ଲୀ ସ୍ଥିତ ଆର୍ମି ରିସର୍ଚ୍ଚ ଆଣ୍ଡ୍‌ ରେଫରାଲ ହସ୍ପିଟାଲ୍‌ରେ ଭେଣ୍ଟିଲେଟର ସହାୟତାରେ ଦୀର୍ଘ ତିନି ସପ୍ତାହ ଧରି ମୃତ୍ୟୁ ସହ ସଂଗ୍ରାମ ଚଳାଇଥିବା ପ୍ରଣବ (୮୪) ଆଜି ବିଦାୟ ନେଇଗଲେ। ଏଥିସହିତ ଭାରତୀୟ ରାଜନୀତିରେ ଏକ ଯୁଗର ଅବସାନ ଘଟିଲା। ଭାରତ ମାତାର ଏହି କୃତି ସନ୍ତାନଙ୍କ ମୃତ୍ୟୁରେ କେନ୍ଦ୍ର ସରକାର ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି।

ଗତ ୯ ତାରିଖ ସକାଳେ ସେ ରାଜାଜୀମାର୍ଗ ସ୍ଥିତ ବାସଭବନରେ ବୁଲୁଥିବା ବେଳେ ତଳେ ଖସି ପଡ଼ିବାରୁ ତାଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଯାଇଥିଲା। ମସ୍ତିଷ୍କରୁ ଜମାଟ ରକ୍ତକୁ ଅସ୍ତ୍ରୋପଚାର ମାଧ୍ୟମରେ ବାହାର କରିବା ଲାଗି ଶ୍ରୀ ମୁଖାର୍ଜୀ ଗତ ୧୦ ତାରିଖରେ ଉପରୋକ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ସେ କରୋନା ସଂକ୍ରମିତ ହୋଇଥିବା ମଧ୍ୟ ଜଣାପଡ଼ିଥିଲା। ଗତ ୧୯ ତାରିଖରେ ତାଙ୍କର ଫୁସ୍‌ଫୁସ୍‌ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ଦୀର୍ଘ ଦୁଇ ସପ୍ତାହ ହେଲା ସେ କୋମା ଅବସ୍ଥାକୁ ଚାଲିଆସିଥିଲେ। ଗତକାଲିଠାରୁ ତାଙ୍କ ସ୍ବାସ୍ଥାବସ୍ଥାରେ ଘୋର ଅବନତି ଘଟିଥିଲା। ବିଶେଷଜ୍ଞ ଡାକ୍ତରମାନଙ୍କ ଅକ୍ଳାନ୍ତ ଚେଷ୍ଟା ସତ୍ତ୍ବେ ପ୍ରଣବ ଆରପାରିକୁ ଚାଲିଗଲେ। ଆଜି ତାଙ୍କ ପୁଅ ଅଭିଜିତ୍‌ ଟ୍ବିଟ୍‌ କରି ପ୍ରଣବଙ୍କ ପରଲୋକ ଗମନ ସଂପର୍କରେ ସୂଚନା ଦେଇଥିଲେ।

ପ୍ରଣବଙ୍କ ପରଲୋକରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଶୋକବ୍ୟକ୍ତ କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି ‌ଯେ ପ୍ରଣବଙ୍କ ମୃତ୍ୟୁରେ ଏକ ଯୁଗର ଅବସାନ ହୋଇଛି। ସାଧାରଣ ଜୀବନରେ ପ୍ରଣବ ଜଣେ ବିଶାଳ ବ୍ୟକ୍ତିତ୍ବ ଥିଲେ। ସେହିଭଳି ପ୍ରଧାନମନ୍ତ୍ରୀ ତାଙ୍କ ଶୋକବାର୍ତାରେ କହିଛନ୍ତି, ଆମ ଦେଶର ବିକାଶ ପାଇଁ ସେ ଅଲିଭା ଚିହ୍ନ ଛାଡ଼ି ଯାଇଛନ୍ତି। ସେ ଅତ୍ୟନ୍ତ ବିଜ୍ଞ, ଉତ୍ତୁଙ୍ଗ ରାଷ୍ଟ୍ରନୀତିଜ୍ଞ ଥିଲେ। ସବୁ ଦଳ ଓ ସବୁ ବର୍ଗର ଲୋକେ ତାଙ୍କୁ ଭଲ ପାଉଥିଲେ।

୧୯୩୫ ଡିସେମ୍ବର ୧୧ରେ ବ୍ରିଟିଶ ଶାସନାଧୀନ ଭାରତବର୍ଷର ବଙ୍ଗ ପ୍ରଦେଶ ଅନ୍ତର୍ଗତ ମିରାତି ନାମକ ଏକ କ୍ଷୁଦ୍ର ଗ୍ରାମରେ ଜନ୍ମଗ୍ରହଣ କରିଥିବା ପ୍ରଣବ ୧୯୬୯ରେ ରାଜନୀତିରେ ପ୍ରବେଶ କରିଥିଲେ। ପରବର୍ତୀ ସମୟରେ ସେ ୫ ଥର ରାଜ୍ୟସଭାକୁ ଓ ୨ ଥର ଲୋକସଭାକୁ ନିର୍ବାଚିତ ହେବା ସହିତ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ତୁଲାଇଥିଲେ। ୨୦୧୨ରେ କଂଗ୍ରେସ ନେତୃତ୍ବାଧୀନ ୟୁପିଏ-୨ ସରକାର ତାଙ୍କୁ ରାଷ୍ଟ୍ରପତି ଆସନରେ ବସାଇଥିଲା। ୨୦୧୭ରେ ରାଷ୍ଟ୍ରପତି କାର୍ଯ୍ୟକାଳ ସରିବା ପରେ ନିଜର ସ୍ବାସ୍ଥ୍ୟଗତ ସମସ୍ୟା ଦର୍ଶାଇ ସେ ପ୍ରତ୍ୟକ୍ଷ ରାଜନୀତିରୁ ସନ୍ନ୍ୟାସ ନେଇଥିଲେ।

ଅର୍ଧନମିତ ରହିବ ଜାତୀୟ ପତାକା
ଭୁବନେଶ୍ୱର : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ରାଜ୍ୟ ସରକାର ୭ ଦିନିଆ ଶୋକ ଘୋଷଣା କରିଛନ୍ତି। ଅଗଷ୍ଟ ୩୧ ତାରିଖରୁ ସେପ୍ଟେମ୍ବର ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଶୋକ ପାଳନ କରାଯିବ। ଏହି ୭ ଦିନ ସାରା ରାଜ୍ୟରେ ଜାତୀୟ ପତାକା ଅଧନମିତ ରହିବ ବୋଲି ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାକୁ କଡ଼ାକଡ଼ି ତଦାରଖ କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

ସମ୍ବନ୍ଧିତ ଖବର