ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କରୋନା ସଂକ୍ରମଣର ଶିକାର ହୋଇଛନ୍ତି। ତାଙ୍କର କୋଭିଡ-୧୯ ପରୀକ୍ଷାରୁ ଏହା ଜଣାପଡ଼ିଛି । ଆଜି ତାଙ୍କର ସ୍ବାବ ନମୁନା ରିପୋର୍ଟ ପଜିଟିଭ ଆସିଛି। ଏ ନେଇ ପ୍ରଣବ ମୁଖାର୍ଜୀ ଟ୍ୱିଟ କରି ଘୋଷଣା କରିଛନ୍ତି। ସେ କହିଛନ୍ତି, ଅନ୍ୟ କାମ ପାଇଁ ଡାକ୍ତରଖାନା ଗସ୍ତରେ ଆସିଥିବା ବେଳେ ଆଜି ମୋର କରାଯାଇଥିବା କୋଭିଡ-୧୯ ରିିପୋର୍ଟ ପଜିଟିଭ୍ ଆସିଛି। ଗତ ସପ୍ତାହରେ ମୋ ସହ ଯୋଗାଯୋଗରେ ଆସିଥିବା ଲୋକଙ୍କୁ ମୁଁ ଅନୁରୋଧ କରୁଛି, ଦୟାକରି ନିଜକୁ ସଙ୍ଗରୋଧରେ ରଖି ନିଜର କରୋନା ପରୀକ୍ଷା କରାନ୍ତୁ।
On a visit to the hospital for a separate procedure, I have tested positive for COVID19 today.
I request the people who came in contact with me in the last week, to please self isolate and get tested for COVID-19. #CitizenMukherjee— Pranab Mukherjee (@CitiznMukherjee) August 10, 2020
ଦେଶର ୧୩ତମ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ୨୦୧୯ରେ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ଲାଭ କରିଥିଲେ। ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ରାଷ୍ଟ୍ରପତି ରହିଥିବା ପ୍ରଣବ କଂଗ୍ରେସର ଜଣେ ବରିଷ୍ଠ ନେତା ଏବଂ କଂଗ୍ରେସ ସରକାରରେ ସେ ଅର୍ଥମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ପଦ ମଧ୍ୟ ଅଳଙ୍କୃତ କରିଛନ୍ତି। ୧୯୮୪ରେ ସେ ଦେଶର ଅର୍ଥମନ୍ତ୍ରୀ ଥିଲେ। ନରସିଂହ ରାଓଙ୍କ ମନ୍ତ୍ରିମଣ୍ଡଳରେ ସେ ୧୯୯୫ରୁ ୧୯୯୬ ପର୍ଯ୍ୟନ୍ତ ବୈଦେଶିକ ମନ୍ତ୍ରୀ ରହିଥିଲେ। କଂଗ୍ରେସର ଆଗଧାଡ଼ିର ନେତା ପ୍ରଣବ ଗତ ବର୍ଷ ଆରଏସ୍ଏସ୍ର ଏକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବାକୁ ନେଇ ଚର୍ଚ୍ଚାରେ ରହିଥିଲେ।
ଗୃହମନ୍ତ୍ରୀ ଅମିତ ଶାହାଙ୍କ ପରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କରୋନାଭାଇରସ୍ ଆକ୍ରାନ୍ତ ହେବା ଖବର ଚର୍ଚ୍ଚାର ବିଷୟ ପାଲଟିଛି । ଅଗଷ୍ଟ ୨ରେ ଗୃହମନ୍ତ୍ରୀ ଅମିତ ଶାହା କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏ ସଂପର୍କରେ ସେ ନିଜେ ଟ୍ଵିଟ କରି ସୂଚନା ଦେଇଥିଲେ । ଟ୍ଵିଟରରେ ସେ ଲେଖିଥିଲେ ଯେ, କରୋନାର ପ୍ରାରମ୍ଭିକ ଲକ୍ଷଣ ଦେଖାଯିବା ପରେ ସେ ପରୀକ୍ଷା କରିଥିଲେ । ପରୀକ୍ଷାରୁ ସେ କରୋନା ପଜିଟିଭ ଥିବା ଜଣାପଡ଼ିଛି । ତେବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ ଅଛି, କିନ୍ତୁ ଡାକ୍ତରଙ୍କ ପରାମର୍ଶକ୍ରମେ ସେ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଗତ କିଛି ଦିନ ଧରି ତାଙ୍କ ସଂପର୍କରେ ଆସିଥିବା ଲୋକମାନେ ସଙ୍ଗରୋଧରେ ରହିବା ସହ ଟେଷ୍ଟ କରିବାକୁ ସେ ଅନୁରୋଧ କରିଥିଲେ ।