ପୁସ୍ତକ ଉନ୍ମୋଚନ କଲେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ

‘ଆମ୍ବେଦକର ଆଣ୍ଡ୍‌ ମୋଦୀ: ରିଫମର୍ସ ଆଇଡିଆଜ୍ ପରଫର୍ମର୍ସ ଇମ୍ପ୍ଲିମେଂଟେସନ୍‌' ପୁସ୍ତକ

ଭୁବନେଶ୍ବର : ଭାରତର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ‘ଆମ୍ବେଦକର ଆଣ୍ଡ ମୋଦୀ: ରିଫମର୍ସ ଆଇଡିଆଜ୍ ପରଫର୍ମର୍ସ ଇମ୍ପ୍ଲିମେଂଟେସନ୍‌’ ପୁସ୍ତକ ଉନ୍ମୋଚନ କରିଛନ୍ତି । ଏହି ଅବସରରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର, ଭାରତର ପୂର୍ବତନ ପ୍ରଧାନ ବିଚାରପତି କେଜି ବାଳକ୍ରିଷ୍ଣନ୍‌, କେନ୍ଦ୍ର ସୂଚନା ଏବଂ ପ୍ରସାରଣ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଏଲ୍‌. ମୁରୁଗାନ୍ ଏବଂ ବ୍ଲୁକ୍ରାଫ୍ଟ ଡିଜିଟାଲ୍ ଫାଉଣ୍ଡେସନର ନିର୍ଦ୍ଦେଶକ ହିତେଶ ଜେନା ମଧ୍ୟ ଉପସ୍ଥିତ ଥିଲେ।

ଏହି ଅବସରରେ ଶ୍ରୀ ଅନୁରାଗ ଠାକୁର ଏହି ସମାବେଶକୁ ସମ୍ବୋଧିତ କରି କହିଥିଲେ ଯେ ଏହି ପୁସ୍ତକ କେବଳ ମହାନ ସଂସ୍କାରକ ବାବା ସାହେବ ଡଃ ଭୀମରାଓ ଆମ୍ବେଦକରଙ୍କ ଉଚ୍ଚ ଚିନ୍ତାଧାରା ଏବଂ ଦର୍ଶନର ସଂଗ୍ରହ ନୁହେଁ, ବରଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଗତ ଆଠ ବର୍ଷ ମଧ୍ୟରେ ଏହି ଧାରଣା କିପରି କାର୍ଯ୍ୟକାରୀ ହୋଇଛି ତାହାର ଏକ ସଂକଳନ । ଏହା ଡଃ ଆମ୍ବେଦକରଙ୍କ ଦୃଷ୍ଟିକୋଣକୁ ହୃଦୟଙ୍ଗମ କରିବା ପାଇଁ କରାଯାଉଥିବା କଠୋର ପ୍ରୟାସର ଏହା ଏକ ନଥି। ଶ୍ରୀ ଠାକୁର ଡଃ ଆମ୍ବେଦକରଙ୍କ ଅବଦାନକୁ ମନେ ପକାଇ କହିଛନ୍ତି ଯେ ସେ ଜଣେ ଉଚ୍ଚକୋଟୀର ରାଜନେତା ଥିଲେ, ଯାହାଙ୍କର ବିଚାର ଗୁଡିକ, ହସ୍ତକ୍ଷେପ ଏବଂ ଦର୍ଶନ ଆମ ରାଷ୍ଟ୍ର ତଥା ଦେଶର ମୂଳଦୁଆକୁ ସୃଷ୍ଟି କରିଛି, ଯାହାକୁ ଆମେ ଆଜି ଜାଣିଛେ । ସେ କହିଥିଲେ ଯେ, ଆମ୍ବେଦକର ତାଙ୍କର ସାରା ଜୀବନ ସମାନତା, ମାନବିକ ଅଧିକାର ଏବଂ ସାମାଜିକ ନ୍ୟାୟ ପାଇଁ ସଂଘର୍ଷ କରିବା ନିମନ୍ତେ ସମର୍ପି ଦେଇଥିଲେ । ସେ ଦଳିତ ତଥା ସାମାଜିକ ରୂପରେ ଉତ୍ପୀଡନର ଶିକାର ହେଉଥିବା ଲୋକ ମାନଙ୍କର ସ୍ୱର ଥିଲେ । ତାଙ୍କ ଜୀବନ ଏବଂ ଦର୍ଶନର ଆଧୁନିକ ଭାରତର ନିର୍ମାଣ ଉପରେ ବ୍ୟାପକ ପ୍ରଭାବ ରହିଛି ବୋଲି ସେ କହିଥିଲେ।

ଭାରତର ପୂର୍ବତନ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ତାଙ୍କ ଅଭିଭାଷଣରେ ଡଃ ଆମ୍ବେଦକରଙ୍କ ବହୁମୁଖୀ ବ୍ୟକ୍ତିତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ସ୍ୱାଧୀନ ଭାରତର ପ୍ରାରମ୍ଭିକ ବର୍ଷ ଗୁଡିକରେ ତାଙ୍କର ଅବଦାନକୁ ମନେ ପକାଇ ଶ୍ରୀ କୋବିନ୍ଦ କହିଥିଲେ, ଯେ ବାବା ସାହେବଙ୍କ ଅବଦାନ ବ୍ୟାଙ୍କିଂ, ଜଳସେଚନ, ବିଜୁଳି ବ୍ୟବସ୍ଥା, ଶିକ୍ଷା ବ୍ୟବସ୍ଥା, ଶ୍ରମ ପରିଚାଳନା, ରାଜସ୍ୱ ବଂଟନ ବ୍ୟବସ୍ଥା ଇତ୍ୟାଦି ନୀତି ଗୁଡିକୁ ଆକାର ପ୍ରଦାନ କରିଛି । ଭାରତର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ବାଳକ୍ରିଷ୍ଣନ୍ ଡଃ ଆମ୍ବେଦକରଙ୍କ ଅବଦାନକୁ ଭାରତର ମହାନ ଚିନ୍ତାନାୟକ ମାନଙ୍କ ମଧ୍ୟରୁ ଜଣେ ଭାବରେ ମନେ ପକାଇଥିଲେ । ସେ ଭାରତର ଶିଳ୍ପାୟନ, ମହିଳା ସଶକ୍ତିକରଣ, ଶିକ୍ଷା ଏବଂ ଭାରତର ଆଧୁନିକୀକରଣ ଉପରେ ବାବା ସାହେବଙ୍କ ପରାମର୍ଶକୁ ମନେ ପକାଇ ଥିଲେ । ସେ ଆହୁରି ମଧ୍ୟ ଗୁରୁତ୍ୱ ଦେଇ କହିଥିଲେ ଯେ, ବର୍ତ୍ତମାନର ସରକାରଙ୍କ ନୀତି ଡଃ ଆମ୍ବେଦକରଙ୍କ ଦ୍ୱାରା ପ୍ରସ୍ତୁତ ଭାରତର ମୌଳିକ ଚିନ୍ତାଧାରାର ସାରକଥାକୁ କାର୍ଯ୍ୟକାରୀ କରୁଛି ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର