ଏମ୍ସରେ ବାଜପେୟୀ : ଭେଟିଲେ ମୋଦୀ, ଶାହ, ରାହୁଲ

ନୂଆଦିଲ୍ଲୀ : ଦୀର୍ଘଦିନ ହେଲା ଅସୁସ୍ଥ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଆଜି ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‌ସ)ରେ ଭର୍ତ୍ତି ହୋଇଛନ୍ତି। ଏମ୍ସର ନିର୍ଦ୍ଦେଶକ ତଥା ଫୁସ୍‌ଫୁସ୍‌ ରୋଗ ବିଶେଷଜ୍ଞ ଡାକ୍ତର ରଣଦୀପ ଗୁଲେରିଆଙ୍କ ଅଧୀନରେ ତାଙ୍କର ଚିକିତ୍ସା ଚାଲିଛି। ଦୀର୍ଘ ୩ ଦଶନ୍ଧି ଧରି ଡାକ୍ତର ଗୁଲେରିଆ ୯୩ ବର୍ଷୀୟ ବାଜପେୟୀଙ୍କ ବ୍ୟକ୍ତିଗତ ଚିକିତ୍ସକ ଭାବେ କାର୍ଯ୍ୟ କରି ଆସୁଛନ୍ତି। ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।

ଏମ୍ସ ପକ୍ଷରୁ ବିଳମ୍ବିତ ରାତିରେ ଜାରି ଏକ ବିବୃତିରେ କୁହାଯାଇଛି ଯେ, ବାଜପେୟୀଙ୍କ କିଡ୍‌ନି ସମ୍ବନ୍ଧୀୟ ସମସ୍ୟା ରହିଛି। ଏଥିସହିତ ପରିସ୍ରା ସଂକ୍ରମଣ ମଧ୍ୟ ହୋଇଛି। ଏଥିପାଇଁ ତାଙ୍କର ଡାଏଲିସିସ୍‌ କରାଯାଉଛି। ତେବେ, ତାଙ୍କ ସ୍ୱାସ୍ଥ୍ୟ ପ୍ରତି ଏବେ ବିପଦ ନାହିଁ ଏବଂ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ଏହି ବିବୃତିରେ ସୂଚନା ଦିଆଯାଇଛି।

ଆଜି ମଧ୍ୟାହ୍ନରେ ବାଜପେୟୀ ଏମ୍ସରେ ଭର୍ତ୍ତି ହେବା ପରେ ଏହି ଖବର ବିଜୁଳି ବେଗରେ ଦେଶବ୍ୟାପୀ ଖେଳି ଯାଇଥିଲା। ତାଙ୍କୁ ଦେଖିବା

ଲାଗି ଏମ୍ସରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଭିଡ଼ ଆରମ୍ଭ ହୋଇଯାଇଥିଲା। ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଏବଂ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ବାଜପେୟୀଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଦୀର୍ଘ ୫୦ ମିନିଟ୍‌ କାଳ ହସ୍ପିଟାଲ୍‌ରେ ରହି ବାଜପେୟୀଙ୍କ ପରିବାରର ସଦସ୍ୟ ଏବଂ ଡାକ୍ତରମାନଙ୍କ ସହିତ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ସେହିଭଳି, ଦୀର୍ଘ ୬ ଦଶନ୍ଧିର ଘନିଷ୍ଠ ସହଯୋଗୀ ତଥା ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ମଧ୍ୟ ଏମ୍ସରେ ପହଞ୍ଚି ବାଜପେୟୀଙ୍କୁ ଭେଟିଥିଲେ ।

ଅନ୍ୟପକ୍ଷରେ, ବାଜପେୟୀ ଏମ୍ସରେ ଭର୍ତ୍ତି ହେବା ପରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। କାଲି ସକାଳ ୯ଟାରେ ଏମ୍ସ ପକ୍ଷରୁ ମେଡିକାଲ ବୁଲେଟିନ ଜାରି କରାଯିବ। ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସେହି ବୁଲେଟିନ୍‌ରୁ ଅଧିକ ତଥ୍ୟ ମିଳିପାରିବ ବୋଲି ଆଶା କରାଯାଉଛି। ତେବେ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ରହିଛି ଓ ସ୍ଥିତି ଚିନ୍ତାଜନକ ନୁହେଁ ବୋଲି କେନ୍ଦ୍ରମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେହିଭଳି, କେନ୍ଦ୍ରମନ୍ତ୍ରୀ ବିଜୟ ଗୋୟଲ କହିଛନ୍ତି ଯେ, ପରିସ୍ରା ସଂକ୍ରମଣ କାରଣରୁ ବାଜପେୟୀଙ୍କୁ ଏମ୍ସ ଅଣାଯାଇଛି। ମଙ୍ଗଳବାର ସକାଳ ସୁଦ୍ଧା ତାଙ୍କୁ ଘରକୁ ନିଆଯିବ ବୋଲି ଆଶା କରାଯାଉଛି।

ମଧ୍ୟପ୍ରଦେଶର ଗୋଓ୍ଵାଲିଅରରେ ବାଜପେୟୀ ୧୯୨୪ ମସିହା ଡିସେମ୍ବର ୨୫ ତାରିଖରେ ଜନ୍ମଲାଭ କରିଥିଲେ। ୧୯୪୨ ମସିହାରେ ଭାରତ ଛାଡ଼ ଆନ୍ଦୋଳନକୁ ଝାସ ଦେଇ ରାଜନୀତିରେ ସାମିଲ ହୋଇଥିଲେ। ଭାରତର ପ୍ରଥମ ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାବେ ଜାତିସଂଘର ସାଧାରଣ ପରିଷଦ ବୈଠକରେ ହିନ୍ଦୀରେ ଭାଷଣ ଦେଇ ଚର୍ଚ୍ଚାକୁ ଆସିଥିଲେ। ଲକ୍ଷ୍ନୌ ଆସନରୁ ସେ ୧୯୯୧, ୧୯୯୬, ୧୯୯୮, ୧୯୯୯ ଏବଂ ୨୦୦୪ ମସିହାରେ ଲୋକସଭାକୁ ଲଗାତର ୫ ଥର ନିର୍ବାଚିତ ହୋଇଥିଲେ। ନିଜର ଦୀର୍ଘ ରାଜନୀତି ଜୀବନ ଭିତରେ ବାଜପେୟୀ ୩ ଥର ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ପ୍ରଥମ ଥର ୧୯୯୬ମସିହାରେ ୧୩ ଦିନ ପାଇଁ କ୍ଷମତାରେ ରହିଥିଲେ। ଦ୍ୱିତୀୟ ଥର ୧୯୯୮ମସିହାରେ ୧୩ ମାସ ପାଇଁ ଏବଂ ୧୯୯୯ ମସିହାରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। ପ୍ରଥମ ଅଣକଂଗ୍ରେସ ନେତାଭାବେ ବାଜପେୟୀ ୧୯୯୯ରୁ ୨୦୦୪ ମସିହା ପର୍ଯ୍ୟନ୍ତ ଦେଶକୁ ୫ ବର୍ଷ ଶାସନ କରିବାରେ ସକ୍ଷମ ହୋଇଥିଲେ। ୨୦୧୫ ମସିହାରେ ତାଙ୍କୁ କେନ୍ଦ୍ର ସରକାର ଦେଶର ସର୍ବୋଚ୍ଚ ସମ୍ମାନ ‘ଭାରତ ରତ୍ନ’ ଉପାଧି ପ୍ରଦାନ କରିଥିଲେ।

ତାଙ୍କ ସମୟରେ ଦେଶରେ ଅନେକ ବିକାଶମୂଳକ କାର୍ଯ୍ୟ ହୋଇଥିଲା। ତାଙ୍କର ଜନ୍ମଦିନ ଡିସେମ୍ବର ୨୫ ‘ସୁଶାସନ ଦିବସ’ ଭାବେ ପାଳନ ହୋଇ ଆସୁଛି। ରାଜନେତା ବ୍ୟତୀତ ସେ ଜଣେ ଲେଖକ, କବି ଏବଂ ବକ୍ତା ଭାବେ ବେଶ୍‌ ପରିଚିତ। ୨୦୦୫ ମସିହାରୁ ସେ ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେଇ ସାରିଛନ୍ତି। ୨୦୦୯ ମସିହାରୁ ଅସୁସ୍ଥତା କାରଣରୁ ସାଧାରଣ ଜୀବନରୁ ନିଜକୁ ଦୂରେଇ ରଖିଛନ୍ତି।

ସମ୍ବନ୍ଧିତ ଖବର