ଅମୃତସରରୁ ଲଢିବା ପ୍ରସ୍ତାବ ଆସିବା ପରେ ନିର୍ବାଚନ ଲଢ଼ିବାକୁ ଅନିଚ୍ଛା ପ୍ରକାଶ କଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ

ନୂଆପଲ୍ଲୀ : ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ଦୁଇ ଦୁଇଥର ଭାରତର ପ୍ରଧାନମନ୍ତ୍ରୀ ହୋଇଥିବା  ଡ.ମନମୋହନ ସିଂହ  ଏଥର ନିର୍ବାଚନ ଲଢିବେ ନା ନାହିଁ ଏହାକୁ ନେଇ ଏବେ ରାଜନୈତିକ ମହଲରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ।  କୁହାଯାଉଛି, ପଞ୍ଜାବର ସବୁଠାରୁ ଚର୍ଚ୍ଚିତ ଓ ହାଇପ୍ରୋଫାଇଲ ଲୋକସଭା ନିର୍ବାଚନମଣ୍ଡଳୀ  ଅମୃତସରରୁ  ନିର୍ବାଚନ ଲଢିବା ଲାଗି ମନମୋହନଙ୍କ ଉପରେ ଚାପ ପକାଉଛନ୍ତି କଂଗ୍ରେସ ନେତୃତ୍ୱ । ୯୦ ଦଶକରେ ଦେଶରେ ଅର୍ଥନୀତିର ଉଦାରୀକରଣ କରି ଚର୍ଚ୍ଚାକୁ ଆସିଥିଲେ ଡ.ସିଂହ।

କିନ୍ତୁ ଖବର ଅନୁସାରେ, ଏଥର ଲୋକସଭା ନିର୍ବାଚନ ଲଢିବାକୁ ମନମୋହନ ସିଂହ ଅନିଚ୍ଛୁକ ଥିବା ଜଣାଯାଇଛି । ସ୍ୱାସ୍ଥ୍ୟଗତ କାରଣ ଓ ଅଧିକ ବୟସାଧିକ୍ୟ ଯୋଗୁଁ ସେ ନିର୍ବାଚନ ଲଢିପାରିବେ ନାହିଁ ବୋଲି  ଦଳର ହାଇକମାଣ୍ଡକୁ ଜଣାଦେଇଛନ୍ତି । କିନ୍ତୁ ହାଇପ୍ରୋଫାଇଲ ଅମୃତସର ନିର୍ବାଚନମଣ୍ଡଳୀରୁ  ଲଢିବା ଲାଗି ମନମୋହନଙ୍କ ଉପରେ ଚାପ ପକାଉଛନ୍ତି ହାଇକମାଣ୍ଡ ।

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ମନାଇବା ପାଇଁ ମାରାଥନ ବୈଠକ ବି ଚାଲିଛି । କାଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏ ନେଇ ବରିଷ୍ଠ ନେତାଙ୍କ ସହ ଆଲୋଚନା ବି କରିଛନ୍ତି । ମନମୋହନ ସିଂ ବର୍ତମାନ ରାଜ୍ୟସଭା ସାଂସଦ ଅଛନ୍ତି । ଜୁନରେ ତାଙ୍କ କାର୍ଯ୍ୟକାଳ ବି ସରୁଛି । ଏଭଳି ସ୍ଥିତିରେ  ଦଳୀୟ ନେତୃତ୍ୱ ବି ଚାହୁଁଛନ୍ତି ଅମୃତସର ଭଳି ଆସନରୁ ମନମୋହନ ସିଂ ଲଢିବାକୁ ।

ସମ୍ବନ୍ଧିତ ଖବର