ବିଶ୍ୱ ସ୍ତବ୍ଧ: ଜାପାନର ପୂର୍ବ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ହତ୍ୟା

ଭାଷଣ ଦେଉଥିବା ବେଳେ ଗୁଳିମାଡ଼, ବିଶ୍ୱବ୍ୟାପୀ ଶୋକ, ଭାରତରେ ଦିନିକିଆ ରାଷ୍ଟ୍ରୀୟ ଶୋକ ଆଜି

ଟୋକିଓ : ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଆତତାୟୀର ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି। ଶୁକ୍ରବାର ସକାଳେ ନିର୍ବାଚନ ପ୍ରଚାର ପାଇଁ ନାରା ସହରକୁ ଯାଇଥିବା ଆବେ ଏକ ଜନସଭାରେ ଉଦ୍‌ବୋଧନ ଦେଉଥିବା ବେଳେ ଆକ୍ରମଣକାରୀ ତାଙ୍କୁ ପଛରୁ ଗୁଳିମାଡ଼ କରିଥିଲା। ତାଙ୍କ ଦେହରେ ଦୁଇଟି ଗୁଳି ବାଜିଥବା ବେଳେ ଘଟଣାସ୍ଥଳରେ ହିଁ ୬୭ ବର୍ଷୀୟ ଆବେ ଟଳି ପଡ଼ିଥିଲେ। ତାଙ୍କୁ ବଞ୍ଚାଇବାକୁ ସମସ୍ତ ପ୍ରୟାସ କରାଯାଇଥିଲେ ମଧ୍ୟ ଏଥିରେ ସଫଳତା ମିଳିନଥିଲା। ଆବେଙ୍କ ଜୀବନ ରକ୍ଷା ପାଇଁ ପ୍ରୟାସ କରିଥିବା ଡାକ୍ତର କହିଛନ୍ତି ଯେ ଗୋଟିଏ ଗୁଳି ଆବେଙ୍କ ହୃତ୍‌ପିଣ୍ଡରେ ବଡ଼ ଛିଦ୍ର କରିଦେଇଥିଲା ଏବଂ ତାଙ୍କର ହୃତ୍‌ସ୍ପନ୍ଦନ ବନ୍ଦ ହୋଇଯାଇଥିଲା। ପୂର୍ବ ପ୍ରଧାନମନ୍ତ୍ରୀ ଆବେଙ୍କୁ ଏଭଳି ହତ୍ୟା ସମଗ୍ର ବିଶ୍ବକୁ ସ୍ତବ୍ଧ କରିଦେଇଛି।

ଜାପାନରେ ଏଭଳି ହତ୍ୟାକାଣ୍ଡ ଗତ ୫୦-୬୦ ବର୍ଷ ମଧ୍ୟରେ କେବେ ଘଟିନାହିଁ। କଡ଼ା ସୁରକ୍ଷା ବଳୟରେ ଥିବା ଆବେଙ୍କୁ ହତ୍ୟାକାରୀ ଅତି ପାଖରୁ ଗୁଳି କରିଥିଲା। ସୁରକ୍ଷା କର୍ମୀମାନେ ତୁରନ୍ତ ତାକୁ କାବୁ କରିନେଇଥିଲେ। ତା’ର ନାମ ୟାମାଗାମି ତେସୁୟା ଏବଂ ସେ ଜାପାନ ନୌସେନାରେ ୩ ବର୍ଷ କାମ କରିଥିଲା। ଆବେଙ୍କୁ ହତ୍ୟା ପାଇଁ ସେ ନିଜେ ଏକ ଦେଶୀ ବନ୍ଧୁକ ପ୍ରସ୍ତୁତ କରିଥିଲା ବୋଲି ପୁଲିସକୁ କହିଛି। ଆକ୍ରମଣକାରୀ ନିଜ ଅପରାଧ ସ୍ବୀକାର କରିଛି ଏବଂ ସେ ଆବେଙ୍କ ପ୍ରତି ଅସନ୍ତୁଷ୍ଟ ଥିବାରୁ ତାଙ୍କୁ ହତ୍ୟା କରିଥିବା କହିଛି।

Rediffmail

ଆବେଙ୍କ ହତ୍ୟାକୁ ନେଇ ଜାପାନରେ ଶୋକର ବାତାବରଣ ଦେଖିବାକୁ ମଳିଛି। ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ଆାଜି ଆବେଙ୍କ ପରଲୋକ ପରେ ଦେଶବାସୀଙ୍କୁ ଦେଇଥିବା ଉଦ୍‌ବୋଧନ ବେଳେ କାନ୍ଦି ପକାଇଥିଲେ। ଏହି ବର୍ବର କାଣ୍ଡ ଗଣତନ୍ତ୍ର ଉପରେ ଏକ ବଡ଼ ଆକ୍ରମଣ ବୋଲି କିସିଦା କହିଛନ୍ତି।

ପ୍ରଧାନମନ୍ତ୍ରୀ ପଦରୁ ସିଞ୍ଜୋ ଆବେ ୨୦୨୦ରେ ଇସ୍ତଫା ଦେଇଥିଲେ। ତାଙ୍କ ସ୍ବାସ୍ଥ୍ୟ ଠିକ୍‌ ନ ରହିବାରୁ ସେ ପ୍ରଧାନମନ୍ତ୍ରୀ ପଦ ଛାଡ଼ିଥିଲେ। ଜାପାନରେ ସବୁଠାରୁ ଅଧିକ ସମୟ ଧରି ପ୍ରଧାନମନ୍ତ୍ରୀ ରହିଥିଲେ ଆବେ। ପ୍ରଥମ ଥର ଲାଗି ୨୦୦୬ରେ ସେ ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହି ପଦରେ ସେ ଗୋଟିଏ ବର୍ଷ ରହିଥିଲେ। ଏହାପ‌ରେ ସେ ୨୦୧୨ରେ ପ୍ରଧାନମନ୍ତ୍ରୀ ହୋଇଥିଲେ। ୨୦୨୦ ପର୍ଯ୍ୟନ୍ତ ସେ ଏହି ପଦରେ ଥିଲେ।

ତାଙ୍କ ବିୟୋଗରେ ବିଶ୍ବ ନେତାମାନେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଭାରତ ସହିତ ମଧ୍ୟ ଆବେଙ୍କର ଅତି ଘନିଷ୍ଠ ସଂପର୍କ ରହିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆବେଙ୍କ ବିୟୋଗରେ ଶୋକ ବ୍ୟକ୍ତ କରି କହିଛନ୍ତି, ‘ମୋର ସବୁଠାରୁ ପ୍ରିୟ ବନ୍ଧୁଙ୍କ ମଧ୍ୟରୁ ଜଣେ ସିଞ୍ଜୋ ଆବେଙ୍କ ଦୁଃଖଦ ବିୟୋଗରେ ମୁଁ ସ୍ତବ୍ଧ, ମର୍ମାହତ। ଆବେ ଜଣେ ମହାନ ବୈଶ୍ବିକ ରାଷ୍ଟ୍ରନେତା ଥିଲେ। ଜଣେ ଅତି ଦକ୍ଷ ପ୍ରଶାସକ ଭାବେ ମଧ୍ୟ ତାଙ୍କର ପରିଚିତି ଥିଲା। ବିଶ୍ବ କଲ୍ୟାଣ ଦିଗରେ ସେ ନିଜକୁ ସମର୍ପିତ କରିଦେଇଥିଲେ।’ ଆବେଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ମୋଦୀ ଦିନିକିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଶନିବାର ଭାରତ ଶୋକ ପାଳନ କରିବ। ଆବେଙ୍କ ବିୟୋଗରେ ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, କଂଗ୍ରେସ ସଭାପତି ସୋନିଆ ଗାନ୍ଧି ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରି ଏହା ଭାରତ ଓ ବିଶ୍ବ ପାଇଁ ଦୁଃଖଦ ଦିନ ବୋଲି କହିଛନ୍ତି।

ଆତତାୟୀକୁ କାବୁ କରୁଛନ୍ତି ସୁରକ୍ଷା କର୍ମୀ

ବିଶ୍ବ ସ୍ତବ୍ଧ

ଟୋକିଓ : ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କୁ ଶୁକ୍ରବାର ଦିନ ଯେଭଳି ସର୍ବସମ୍ମୁଖରେ ଗୁଳି କରି ହତ୍ୟା‌ କରାଯାଇଛି ତାହା କେବଳ ଜାପାନ ନୁହେଁ ସାରା ବିଶ୍ବକୁ ସ୍ତବ୍ଧ କରି କରିଦେଇଛି। ଜାପାନରେ ଖୁବ୍‌ କମ୍‌ ଅପରାଧ ହେବା ନଜିର ରହିଛି। ଜାପାନ ବନ୍ଧୁକ ନିୟନ୍ତ୍ରଣ ପାଇଁ ବିଶ୍ବରେ ଜଣାଶୁଣା। ୧୨୫ ନିୟୁତ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ରରେ ଗତବର୍ଷ କେବଳ ୧୦ଟି ଗୁଳିକାଣ୍ଡଜନିତ ଅପରାଧ ହୋଇଛି। ଗତବର୍ଷ ଗୁଳିକାଣ୍ଡ ଯୋଗୁଁ କେବଳ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୪ ଜଣ ଆହତ ହୋଇଥିଲେ। ବନ୍ଧୁକ ଉପରେ ଏଭଳି ଭାବେ ଶକ୍ତ ନିୟନ୍ତ୍ରଣ ରଖିଥିବା ଜାପାନ ନିଜର ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଗୁଳି ମାଡ଼ରେ ହରାଇଦେବା ସାରା ବିଶ୍ବକୁ ଚକିତ କରିଦେଇଛି। ଆକ୍ରମଣର ସ୍ପଷ୍ଟ କାରଣ କ’ଣ ତାହା ଜଣାପଡ଼ିନାହିଁ। ଆକ୍ରମଣ ପାଇଁ ଯେଉଁ ବନ୍ଧୁକ ବ୍ୟବହାର ହୋଇଛି ତାହା ସଂପୂର୍ଣ୍ଣ ଦେଶୀ ଏବଂ ଆକ୍ରମଣକାରୀ ନିଜେ ଏହାକୁ ପ୍ରସ୍ତୁତ କରିଥିବା ଜେରା ବେଳେ ସ୍ବୀକାର କରିଛି। ଆଜି ଯେଉଁ ଆକ୍ରମଣ ହୋଇଛି ତାହା ଜାପାନ୍‌ରେ ସାଧାରଣତଃ ବିରଳ। ଶେଷ ଥର ପାଇଁ ୨୦୧୯ରେ ଏକ ହାଇ ପ୍ରୋଫାଇଲ୍‌ ଗୁଳିକାଣ୍ଡ ହୋଇଥିଲା। ଜଣେ ପୂର୍ବତନ ମାଫିଆ ଗ୍ୟାଙ୍ଗ୍‌ ସଦସ୍ୟଙ୍କୁ ଟୋକିଓର କାରାଓକୋରେ ଗୁଳି କରି ହତ୍ୟା କରାଯାଇଥିଲା।

ସମ୍ବନ୍ଧିତ ଖବର