ଅମୃତସର: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ ଛାତି ଯନ୍ତ୍ରଣା ଅନୁଭବ କରିବା ପରେ ରବିବାର ତାଙ୍କୁ ମୋହଲିର ଫର୍ଟିସ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ସିରୋମଣି ଅଖିଳ ଦଳ(ଏସ୍ଏଡି)ର ନେତା ପ୍ରକାଶ ସିଂହ ଗତ ଫେବ୍ରୁଆରିରେ ବି ଅସୁସ୍ଥ ହୋଇଥିବାରୁ ମୁକ୍ତସରରୁ ମୋହଲିର ଫର୍ଟିସ୍ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ।
ଗତକାଲି ବିଳମ୍ବିତ ରାତିରେ ତାଙ୍କ ଛାତି ଯନ୍ତ୍ରଣା ହେବା ସହ ଅନେକ ଥର ବାନ୍ତି ମଧ୍ୟ କରିଥିଲେ ସେ। ତାପରେ ତାଙ୍କ ଅବସ୍ଥା ବିଗିଡ଼ାବାରେ ଲାଗିବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲ୍ ଅଣା ଯାଇଥିଲା। ଏହା ପୂର୍ବରୁ ଜୁନ୍ ୬ ତାରିଖରେ ତାଙ୍କ ଗ୍ୟାସ୍ଷ୍ଟ୍ରିକ୍ ସମସ୍ୟା ଉପୁଜିବାରୁ ତାଙ୍କୁ ହସ୍ପିଟାଲ୍ ନିଆଯାଇଥିଲା।
୯୪ ବର୍ଷୀୟ ପଞ୍ଜାବର ଏହି ପୂର୍ବତନ ମୁଖ୍ୟମନ୍ତ୍ରୀ ଗତ ଜାନୁଆରି ମାସରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେ ସମୟରେ ଲୁଧିଅାନାର ଦୟାନନ୍ଦ ମେଡିକାଲ୍ କଲେଜ୍ ଆଣ୍ଡ୍ ହସ୍ପିଟାଲ୍ (ଡିଏମ୍ସିଏଚ୍)ରେ ଭର୍ତ୍ତି ହୋଇ ଚିକିତ୍ସିତ ହୋଇଥିଲେ। ହସ୍ପିଟାଲ୍ରେ ଭର୍ତ୍ତି ହେବାର କିଛି ଦିନ ମଧ୍ୟରେ ସେ ସୁସ୍ଥ ହୋଇ ଡିସ୍ଚାର୍ଜ ମଧ୍ୟ ହୋଇ ଯାଇଥିଲେ। ଏବେ ପୁଣି ଥରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି।