କଟକ: ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି, ଆହ୍ଲାବାଦ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି, ଓଡ଼ିଶା ମାନବାଧିକାର କମିସନର ପ୍ରଥମ ଅଧ୍ୟକ୍ଷ ଜଷ୍ଟିସ ଦେବପ୍ରିୟ ମହାପାତ୍ରଙ୍କର ପରଲୋକ ଘଟିଛି। ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। କିଛିଦିନ ହେବ ସେ ଅସୁସ୍ଥ ଥିଲେ। ଆଜି ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଶେଷଶଯ୍ୟା ନିକଟରେ ପତ୍ନୀ ଓ ପରିବାରର ଅନ୍ୟ ସଦସ୍ୟଙ୍କ ସହିତ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ହାଇକୋର୍ଟର ବିଚାରପତି ଜଷ୍ଟିସ ସାବିତ୍ରୀ ରଥ, ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର, ଜଷ୍ଟିସ ଭି.ନରସିଂହ, ଜଷ୍ଟିସ ମୁରାହରି ଶ୍ରୀ ରମଣଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ। ଖାନନଗର ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ତାଙ୍କର ଝିଅ ମୁଖାଗ୍ନି ଦେଇଥିଲେ। ପତ୍ନୀ, ତିନି ଝିଅ ଓ ଚାରି ନାତିନାତୁଣୀଙ୍କୁ ସେ ପଛରେ ଛାଡି ଯାଇଛନ୍ତି।
ଜଷ୍ଟିସ ସୌରୀ ପ୍ରସାଦ ମହାପାତ୍ରଙ୍କ ପୁଅ ଜଷ୍ଟିସ ଦେବପ୍ରିୟ ମହାପାତ୍ର ୧୯୩୭, ଅଗଷ୍ଟ ୩ରେ ଜନ୍ମଗ୍ରହଣ କରିଥିଲେ। ସେ ଆହ୍ଲାବାଦର ଇୱିଙ୍ଗ୍ ଖ୍ରୀଷ୍ଟିଆନ କଲେଜରୁ ସ୍ନାତକ ସମାପ୍ତ କରିବା ପରେ କଟକ ମଧୁସୂଦନ ଆଇନ କଲେଜରୁ ଏଲ୍ଏଲ୍.ବି. ଡିଗ୍ରି ହାସଲ କରିଥିଲେ। ୧୯୬୦, ଅକ୍ଟୋବର ୧୨ରେ ସେ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ହାଇକୋର୍ଟରେ ୨୩ ବର୍ଷର ଓକିଲାତି ଭିତରେ ସେ ବହୁ ଗୁରୁତ୍ବପୂର୍ଣ୍ଣ ସାମ୍ବିଧାନିକ, ଦେୱାନୀ, ଫୌଜଦାରୀ ମାମଲାର ସଫଳ ପରିଚାଳନା କରି ସୁନାମ ଅର୍ଜନ କରିଥିଲେ। ହାଇକୋର୍ଟରେ ସେ ଅତିରିକ୍ତ ଷ୍ଟାଣ୍ଡିଂ କାଉନସିଲ, ଷ୍ଟାଣ୍ଡିଂ କାଉନସିଲ, ଅତିରିକ୍ତ ସରକାରୀ ଓକିଲ ଭାବେ ରାଜ୍ୟ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରିଥିଲେ। ୧୯୮୩, ନଭେମ୍ବର ୧୮ରେ ସେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ୧୯୯୫, ମେ’ରୁ ୧୯୯୬, ଫେବ୍ରୁଆରି ମଧ୍ୟରେ ସେ ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ୧୯୯୬ ଫେବ୍ରୁଆରି ୧୬ରେ ତାଙ୍କୁ ଆହ୍ଲାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା। ଏହାପରେ ୧୯୯୮, ଡିସେମ୍ବର ୯ରେ ସୁପ୍ରିମକୋର୍ଟର ବିଚାରପତି ଭାବେ ସେ ଶପଥ ଗ୍ରହଣ କରିଥିଲେ। ୨୦୦୨, ଅଗଷ୍ଟ ୨ରେ ସେ ସୁପ୍ରିମକୋର୍ଟରୁ ଅବସର ଗ୍ରହଣ କରିଥିଲେ। ଓଡ଼ିଶା ମାଟିର ସେବା କରିବା ପାଇଁ ସେ କଟକ ଫେରି ଆସିଥିଲେ। ସେ ଓଡ଼ିଶା ମାନବାଧିକାର କମିସନର ପ୍ରଥମ ଅଧ୍ୟକ୍ଷ ଭାବେ ୨୦୦୩ରେ ନିଯୁକ୍ତି ପାଇଥିଲେ। ଏହି ପଦରେ ସେ ୨୦୦୭ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ଜଣେ ନମ୍ର, ବିନୟି, ମିଷ୍ଟଭାଷୀ ବିଚାରପତି ଭାବେ ସେ ପରିଚିତ ଥିଲେ।