ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମ୍‌ଜେ ଆକବରଙ୍କୁ ଝଟ୍‌କା, ମାନହାନି ମାମଲାରେ ପ୍ରିୟା ରମାନି ଦୋଷମୁକ୍ତ

ସାମାଜିକ ପ୍ରତିଷ୍ଠା ସଂପନ୍ନ ବ୍ୟକ୍ତି ମଧ୍ୟ ଯୌନ ଶୋଷଣ କରିଥାଏ: ଅଦାଲତ

ନୂଆଦିଲ୍ଲୀ: ଦିଲ୍ଲୀର ରାଉଜ୍‌ ଏଭେନ୍ୟୁ ଅଦାଲତରେ ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମ୍‌ଜେ ଆକବରଙ୍କୁ ବଡ଼ ଝଟ୍‌କା ଲାଗିଛି। ୨୦୧୮ରେ ‘ମି ଟୁ’ ଅଭିଯାନରେ ସାମ୍ବାଦିକା ପ୍ରିୟା ରମାନି ଏମ୍‌ଜେ ଆକବରଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ। ଏହାକୁ ଚ୍ୟାଲେଂଜ କରି ଆକବର ପ୍ରିୟା ରମାନିଙ୍କ ବିରୋଧରେ ରୁଜୁ କରିଥିବା ଅପରାଧିକ ମାନହାନି ମାମଲାକୁ ଅଦାଲତ ଆଜି ଖାରଜ କରିଦେଇଛନ୍ତି। କୋର୍ଟ ଆଜି ଏହି ମାମଲାର ରାୟ ଶୁଣାଇ କହିଛନ୍ତି ଯେ ଅଧିକାଂଶ ଯୌନ ଶୋଷଣ ବନ୍ଦ କୋଠରିରେ ହେଉଥିବା ଏବଂ ଏହାର ପ୍ରମାଣ ନଥିବା ଦର୍ଶାଇ ଅଭିଯୋଗକୁ ଅଣଦେଖା କରାଯାଇ ପାରିବ ନାହିଁ। ଶୋଷଣର ଶିକାର ଅଧିକାଂଶ ମହିଳା ସାମାଜିକ କଳଙ୍କକୁ ଡରି ସ୍ବର ଉତ୍ତୋଳନ କରିପାରୁନାହାନ୍ତି । ଯୌନ ଶୋଷଣ ଆତ୍ମସମ୍ମାନ ଏବଂ ଆତ୍ମବିଶ୍ବାସକୁ ଶେଷ କରିଦେଇଥାଏ।

କୌଣସି ବ୍ୟକ୍ତିର ପ୍ରତିଷ୍ଠାର ସୁରକ୍ଷା ପାଇଁ କାହାର ସମ୍ମାନକୁ ବାଜିରେ ଲଗାଯାଇ ପାରିବ ନାହିଁ ବୋଲି ଅଦାଲତ କହିଛନ୍ତି। ଘଟଣାର ଅନେକ ଦଶନ୍ଧି ପରେ ମଧ୍ୟ ନିଜ ଅଭିଯୋଗ ରଖିବାର ଅଧିକାର ମହିଳାଙ୍କର ରହିଛି। ସାମାଜିକ ପ୍ରତିଷ୍ଠା ସଂପନ୍ନ ବ୍ୟକ୍ତି ମଧ୍ୟ ଯୌନ ଶୋଷଣ କରିଥାଏ ବୋଲି ଅଦାଲତ କହିଛନ୍ତି। ଆଜି ମାମଲାର ଶୁଣାଣି ସମୟରେ ଆକବରଙ୍କ ଓକିଲା ଗୀତା ଲୁଥ୍ରା ଯୁକ୍ତି କରିଥିଲେ ଯେ ଏହି ମାମଲା ଅଦୌ ଯୌନ ଉତ୍ପୀଡ଼ନ ସଂକ୍ରାନ୍ତ ନୁହେଁ। ଏହା କେବଳ ଜଣେ ବ୍ୟକ୍ତିଙ୍କ ପ୍ରତିଷ୍ଠା ଓ ସମ୍ମାନକୁ ନେଇ ବୋଲି ସେ କହିଥିଲେ। ଏହାର ଜବାବରେ ରମାନିଙ୍କ ଓକିଲ କହିଥିଲେ ଯେ କେବଳ ପୁସ୍ତକ ଲେଖିଦେଲେ କୌଣସି ବ୍ୟକ୍ତି ପ୍ରତିଷ୍ଠିତ ହୋଇଯାଏ ନାହିଁ। ଅଦାଲତ ରାୟକୁ ପ୍ରିୟା ରମାନି ସ୍ବାଗତ କରିଛନ୍ତି। ‘ମି ଟୁ’ ଅଭିଯାନରେ ପୂର୍ବତନ ବିଦେଶ ରାଷ୍ଟ୍ରମନ୍ତ୍ରୀ ଏମ୍‌ଜେ ଆକରବଙ୍କ ବିରୋଧରେ ପ୍ରାୟ ୨୦ ମହିଳା ସାମ୍ବାଦିକ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ। ଏଥିପାଇଁ ଆକବରଙ୍କୁ କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା।

ସମ୍ବନ୍ଧିତ ଖବର