ଆଇଏନ୍‌ଏକ୍ସ ଦୁର୍ନୀତି ମାମଲା: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଗିରଫ କଲା ସିବିଆଇ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମକୁ ବୁଧବାର ସିବିଆଇ ଗିରଫ କରିଛି। ବହୁ ସମୟଧରି ପଚାରାଉଚରା କରିବା ପରେ ପି. ଚିଦାମ୍ବରମଙ୍କୁ ସିବିଆଇ ତାଙ୍କ ବାସଭବନରୁ ଗିରଫ କରିଥିବା ଜଣାପଡ଼ିଛି। ଚିଦାମ୍ବରମ ସିବିଆଇ ମୁଖ୍ୟ କାର୍ଯ୍ୟାଳୟରେ ମଧ୍ୟ ପହଞ୍ଚିଛନ୍ତି।

ପି. ଚିଦାମ୍ବରମ ଆଜି ରାତି ସିବିଆଇ କାର୍ଯ୍ୟାଳୟରେ ରହିବେ। ତାଙ୍କୁ ଗୁରୁବାର କୋର୍ଟରେ ହାଜର କରାଯିବ। ଇତି ମଧ୍ୟରେ ସିବିଆଇ ମୁଖ୍ୟ ଆରକେ ଶୁକ୍ଲା ନିଜର ମୁଖ୍ୟ କାର୍ଯ୍ୟାଳୟରେ ପହଂଚି ସାରିଛନ୍ତି। ପି. ଚିଦାମ୍ବରମକୁ ନିଆଯିବା ସମୟରେ ସିବିଆଇକୁ ତୀବ୍ର ବିରୋଧ କରାଯାଇଥିଲା।

ପି. ଚଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମ କହିଛନ୍ତି, କାହାକୁ ଖୁସି କରିବା ପାଇଁ ସିବିଆଇ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି। ରାଜନୈତିକ ଉଦ୍ଦେଶ୍ୟ ରଖି ପି. ଚିଦାମ୍ବରମକୁ ଗିରଫ କରାଯାଇଛି। ଆମେ କୋର୍ଟର ଦ୍ୱାରସ୍ଥ ହେବୁ ବୋଲି କାର୍ତ୍ତି ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।

ଏକ ନାଟକୀୟ ଘଟଣାକ୍ରମରେ ଗତ କାଲିଠାରୁ ନିଖୋଜ ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମ କିଛି ସମୟ ପୂର୍ବେ ହଠାତ କଂଗ୍ରେସ (ଏଆଇସିସି) ମୁଖ୍ୟାଳୟରେ ପହଞ୍ଚିଥିଲେ। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ ଯେ ସେ କୌଣସି ବେଆଇନ କାର୍ଯ୍ୟ କରିନାହାନ୍ତି । ସିବିଆଇ ଏଫଆଇର ଓ ଚାର୍ଜସିଟରେ ତାଙ୍କ ନାଁ ମଧ୍ୟ ନାହିଁ । ସେ କହିଥିଲେ ଯେ, ହାଇକୋର୍ଟ ଗତ ୧୩-୧୫ ମାସ ଧରି ତାଙ୍କୁ ସୁରକ୍ଷା ଦେଇଥିଲେ । ଏବେ ପ୍ରାୟ ୭ ମାସ ପରେ ତାଙ୍କର ଅଗ୍ରୀମ ଜାମିନ ଆବେଦନକୁ ବାତିଲ କରିଦେଇଛନ୍ତି । ସେ କହିଥିଲେ, ସୁପ୍ରିମକୋର୍ଟ ନିର୍ଦ୍ଦେଶକୁ ସେ ମାନିବେ ଓ ଏଥିପାଇଁ ଶୁକ୍ରବାର ପର୍ଯ୍ୟନ୍ତ ଅପେକ୍ଷା କରିବେ ।

ଫେରାର ଥିବା ଅଭିଯୋଗକୁ ସେ ଖଣ୍ଡନ କରି ସେ କହିଥିଲେ, ସେ ଆଇନକୁ ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଅଛନ୍ତି । ଏହି ଅବସରରେ ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ, ଅଭିଷେକ ମନୁସିଂଘଭୀ, ସଲମାନ ଖୁର୍ସିଦ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର