ପରଲୋକରେ ୯୪ ବର୍ଷିୟ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପଣ୍ଡିତ ସୁଖରାମ

ନୂଆଦିଲ୍ଲୀ: ବିଶିଷ୍ଟ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପଣ୍ଡିତ ସୁଖରାମଙ୍କର ଦେହାନ୍ତ ହୋଇଥିବା କଥା ତାଙ୍କ ନାତି କହିଛନ୍ତି। ମେ ୭ ତାରିଖରେ ୯୪ ବର୍ଷିୟ ସୁଖରାମଙ୍କୁ ନୂଆଦିଲ୍ଲୀସ୍ଥିତ ‘ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ’ରେ (ଏମ୍‌ସ୍‌) ଭର୍ତ୍ତି କରାଯାଇଥିଲା।

ମଙ୍ଗଳବାର ରାତିରେ ହିମାଚଳ ପ୍ରଦେଶର କଂଗ୍ରେସ ନେତା ସୁଖରାମଙ୍କ ନାତି ଆଶ୍ରୟ ଶର୍ମା ‘ଫେସ୍‌ବୁକ୍‌ ପୋଷ୍ଟ୍‌’ରେ ଲେଖଛନ୍ତି: ବିଦାୟ ଜେଜେ, ଏବେ ଆଉ ଫୋନ୍‌ ବାଜିବ ନାହିଁ। ଏଥିସହ ସେ ସୁଖରାମଙ୍କ ସହିତ ନିଜ ପିଲାବେଳର ଗୋଟାଏ ଫଟୋ ମଧ୍ୟ ପୋଷ୍ଟ୍‌ କରିଛନ୍ତି। କିନ୍ତୁ, କ‌େତେବେଳେ ସୁଖରାମ ପରଲୋକ ଗମନ କଲେ ତାହା ସେ ଉଲ୍ଲେଖ କରିନାହାନ୍ତି।

ସୁଖରାମଙ୍କର ଜନ୍ମ ୧୯୨୭ ମସିହା ଜୁଲାଇ ୨୭ ତାରିଖରେ। ତାଙ୍କର ଆଉଜଣେ ନାତି ଆୟୁଷ ଶର୍ମା ଜଣେ ଅଭିନେତା ଏବଂ ସେ ବଲିଉଡ୍‌ ସୁପର୍‌ଷ୍ଟାର୍‌ ସଲ୍‌ମନ୍‌ ଖାଁଙ୍କ ଭଉଣୀଙ୍କୁ ବିବାହ କରିଛନ୍ତି।

ମେ ୪ ତାରିଖ ଦିନ ମନାଲିରେ ‘ବ୍ରେନ୍‌ ଷ୍ଟ୍ରୋକ୍‌’ ହେବାରୁ ସୁଖରାମଙ୍କୁ ମଣ୍ଡୀସ୍ଥିତ ଆଞ୍ଚଳିକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଉନ୍ନତ ଚିକିତ୍ସା ନିମନ୍ତେ ସେଠାରୁ ତାଙ୍କୁ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଯୋଗାଇ ଦେଇଥିବା ହେଲିକପ୍ଟର୍‌ ଯୋଗେ ନୂଆଦିଲ୍ଲୀସ୍ଥିତ ‘ଏମ୍‌ସ୍’କୁ ଅଣାଯାଇଥିଲା।

୧୯୯୩ରୁ ୧୯୯୬ ପର୍ଯ୍ୟନ୍ତ ସୁଖରାମ କେନ୍ଦ୍ର ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ ଦାୟିତ୍ବ) ଭାବେ କାର୍ଯ୍ୟ ନିର୍ବାହ କରିଥିଲେ। ହିମାଚଳ ପ୍ରଦେଶର ମଣ୍ଡୀ ଲୋକସଭା ଆସନରୁ ପ୍ରତିନିଧିତ୍ବ କରୁଥିବା ସୁଖରାମ ୫ ଥର ବିଧାୟକ ଓ ୩ ଥର ଲୋକସଭା ସାଂସଦ ଭାବେ ବିଜୟ ହାସଲ କରିଥିଲେ।

୧୯୬୩ରୁ ୧୯୮୪ ପର୍ଯ୍ୟନ୍ତ ସେ ମଣ୍ଡୀ ବିଧାନସଭା ଆସନରୁ ବିଧାୟକ ହୋଇଥିବା ସୁଖରାମ ହିମାଚଳ ପ୍ରଦେଶର ପଶୁପାଳନ ମନ୍ତ୍ରୀ ଥିବା ବେଳେ ଜର୍ମାନିରୁ ଗାଈ ଆଣିଥିଲେ। ଏହାଫଳରେ ରାଜ୍ୟର କୃଷକମାନଙ୍କ ଆୟ ବୃଦ୍ଧି ପାଇଥିଲା।

୧୯୮୪ ମସିହାରେ ସେ ଲୋକସଭାକୁ ନିର୍ବାଚିତ ହୋଇ ରାଜୀବ ଗାନ୍ଧୀଙ୍କ ସରକାରରେ ଜଣେ କନିଷ୍ଠ ମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରିଥିଲେ।

Image Courtesy of Amar Ujala

ସୁଖରାମ ମଣ୍ଡୀ ଲୋକସଭା ଆସନରୁ ପ୍ରତିନିଧିତ୍ବ କରୁଥିବା ବେଳେ ତାଙ୍କ ପୁଅ ଅନୀଲ ଶର୍ମା ନିର୍ବାଚନରେ ଅବତୀର୍ଣ୍ଣ ହୋଇ ୧୯୯୩ରେ ବିଧାନସଭା ଆସନରୁ ବିଜୟୀ ହୋଇଥିଲେ।

୧୯୯୬ରେ ମଧ୍ୟ ସୁଖରାମ ମଣ୍ଡୀ ଲୋକସଭା ଆସନରୁ ବିଜୟୀ ହୋଇଥିଲେ କିନ୍ତୁ, ‘ଟେଲିକମ୍‌’ ଦୁର୍ନୀତି ହେତୁ ସେ ଓ ତାଙ୍କ ପୁଅ କଂଗ୍ରେସରୁ ବହିଷ୍କୃତ ହୋଇଥିଲେ। ୧୯୯୬ରେ ଯୋଗାଯୋଗ ମନ୍ତ୍ରୀ ଥିବା ବେଳେ କରିଥିବା ଦୁର୍ନୀତି ଯୋଗୁଁ ୨୦୧୧ରେ ତାଙ୍କୁ ୫ବର୍ଷ କାରାଦଣ୍ଡାଦେଶ ହୋଇଥିଲା।

ପରେ ସୁଖରାମ ‘ହିମାଚଳ ବିକାଶ କଂଗ୍ରେସ ପାର୍ଟି’ ନାମରେ ରାଜନୈତିକ ଦଳ ଗଠନ କରି ‘ବିଜେପି’ ସହ ମେଣ୍ଟ କରିବା ସହ ସରକାରରେ ଯୋଗ ଦେଇଥିଲେ। ୧୯୯୮ରେ ସେ ମଣ୍ଡୀ ସଦର ଆସନରୁ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରି ବିପୁଳ ଭୋଟ୍‌ରେ ବିଜୟୀ ହୋଇଥିଲେ। ୧୯୯୮ରେ ତାଙ୍କ ପୁଅ ଅନୀଲ ଶର୍ମା ମଧ୍ୟ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।

୨୦୦୩ ବିଧାନସଭା ନିର୍ବାଚନରେ ସେ ମଣ୍ଡୀ ଆସନରୁ ବିଜୟୀ ହୋଇଥିଲେ ବି ୨୦୦୪ ଲୋକସଭା ନିର୍ବାଚନ ନିମନ୍ତେ କଂଗ୍ରେସରେ ଯୋଗଦେଇଥିଲେ। ଜଣେ କଂଗ୍ରେସ ପ୍ରାର୍ଥୀଭାବେ ତାଙ୍କ ପୁଅ ଅନୀଲ ୨୦୦୭ ଓ ୨୦୧୨ରେ ଜଣେ କଂଗ୍ରେସ ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ।

୨୦୧୭ ବିଧାନସଭା ନିର୍ବାଚନ ପୂର୍ବରୁ ସୁଖରା ପୁଅ ଅନୀଲ ଓ ନାତି ଆଶ୍ରୟଙ୍କ ସହ ‘ବିଜେପି’ରେ ଯୋଗ ଦେଇଥିଲେ। ଏବେ ସୁଖରାମଙ୍କ ପୁଅ ଅନୀଲ ମଣ୍ଡୀର ‘ବିଜେପି’ ବିଧାୟକ ଅଛନ୍ତି।

କିନ୍ତୁ, ଠିକ୍‌ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ରୁଖରାମ ନାତି ଆଶ୍ରୟଙ୍କ ସହ ମିଶି କଂଗ୍ରେସରେ ଯୋଗ ଦେଇଥିଲେ। କଂଗ୍ରେସ ଟିକେଟ ପାଇ ମଧ୍ୟ ନାତି ଆଶ୍ରୟ ନିର୍ବାଚନ ଜିଣି ପାରି ନ ଥିଲେ।

ସମ୍ବନ୍ଧିତ ଖବର